ଅବ୍ୟବହୃତ ହୋଇପତିଛି ଗୃହ ଶୁଣୁନି ପୁର୍ତ୍ତ ବିଭାଗ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ଡାକ୍ତରଖାନା ପରିସରରେ ନବ ନିର୍ମିତ ମାତୃ ଓ ଶିଶୁ ଗୃହରେ ପାଣି ଜମି ରହୁଥିବାରୁ ତାହା ପରିତ୍ୟକ୍ତ ହୋଇପଡି ରହିଛି। ଏହି ଗୃହ ନିର୍ମାଣ ବେଳେ କୌଣସି ନାମଫଳକ ଲଗାଯାଇ ନଥିବାରୁ ଗୃହ ନିର୍ମାଣ ରେ କେତେ ଟଙ୍କା ବ୍ୟୟ ହୋଇଛି ତାହା ଜଣାପଡୁନି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୃହ ଅଭାବରୁ ଆବଶ୍ୟକ ବେଡ଼ ପଡିପାରୁ ନଥିବା ବେଳେ ମାତୃ ଓ ଶିଶୁ ଗୃହ ନିର୍ମାଣ ସରିଲେ ଏଠାରେ କିଛି ବେଡ଼ ପକାଇବାକୁ ଡାକ୍ତରଖାନା କର୍ତ୍ତୁପକ୍ଷ ଲକ୍ଷ ରଖିଥିଲେ । ମାତ୍ର ଘର କାମ ସରିବାପରେ ଗୃହର ଏପରି ଅବସ୍ଥା ଯୋଗୁଁ ଗୃହଟି ପରିତ୍ୟକ୍ତ ହୋଇ ପଡିରହିଛି। ଏ ସମ୍ପର୍କରେ ଡାକ୍ତରଖାନାର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ବାରମ୍ଵାର ପୁର୍ତ୍ତ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ପ୍ରଭାତ ନାୟକ କହିଛନ୍ତି। ଏପରିକି ଘରେ ଜଳ ଯୋଗାଣ ପାଇଁ ଲାଗିଥିବା ଟ୍ୟାପଗୁଡିକ ମଧ୍ୟ ଅଚ଼ଳ ହୋଇପଡିଛି। କାନ୍ଥର ବିଭିନ୍ନ ସ୍ଥାନରେ ରଙ୍ଗ ଛାଡି ଫାଟ ସୃଷ୍ଟି ହେଲାଣି । ଏନେଇ ରୋଗୀ କଲ୍ୟାଣ ସମିତି ବୈଠକରେ ମଧ୍ୟ ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିନ ଦିଅନ୍ତି ତେବେ କୋଟିଏରୁ ଉର୍ଦ୍ଧ ଟଙ୍କା ପାଣିରେ ପଡିବ ବୋଲି ଡ଼ାକ୍ତର ନାୟକ କହିଛନ୍ତି।