ଆସୁଛି ଦଶହରା, ସଜେଇ ହେଉଛି ବ୍ୟବସାୟ ପ୍ରତିଷ୍ଠାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପାର୍ବଣର ଋତୁ ପାଖେଇ ଆସିଯାଇଛି । ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପ୍ରମୁଖ ପର୍ବ ଭାବେ ପରିଚିତ ଥିବା ଦଶହରା ବା ଦୁର୍ଗାପୂଜାକୁ ଆଉ ମାତ୍ର ୧୪ ଦିନ ବାକି ରହିଥିବା ବେଳେ ଏହା ପରେ ପରେ ଆସୁଛି କୁମାର ପୂର୍ଣ୍ଣିମା ଓ ଆଲୋକର ପର୍ବ ଦୀପାବଳି । ପାର୍ବଣ ଋତୁ ସକାଶେ ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସ୍ଥାନୀୟ ପୌରାଞ୍ଚଳ ଲକ୍ଷ୍ମୀ ବଜାର, ଫେସନ ବଜାର, ସିଟି ବଜାର ମେଟ୍ରୋ, ମୁଖ୍ୟ ସଡକ ଗୁଡିକରେ ଥିବା ସମସ୍ତ ପ୍ରକାର ଲୁଗା, ପୋଷାକ ଓ ପୂଜା ସାମଗ୍ରୀ ବ୍ୟବସାୟର କେନ୍ଦ୍ରସ୍ଥଳୀ ପାଲଟିଥିବା ବେଳେ ସହର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରୁ ବହୁ କ୍ଷୁଦ୍ର ବ୍ୟବସାୟୀ ଆସି ଅସ୍ଥାୟୀ ଭାବେ ଦୋକାନ ଖୋଲି ବେପାର କରିବାରେ ଲାଗିଛନ୍ତି । ସହରର ହୋଲସେଲ ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଖୁଚୁରା ବ୍ୟବସାୟୀ ରହିଥିବାରୁ ପାର୍ବଣ ସମୟରେ ବ୍ୟବସାୟ ସକାଶେ ସ୍ୱତନ୍ତ୍ର ଓ ମନଲୋଭା ଅଫର ଓ ରିହାତି ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । ଏଥି ସକାଶେ କିଛି ବଡ ବଡ ବ୍ୟବସାୟୀ ସ୍ୱତନ୍ତ୍ର ଭାବେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲୁଗା, କପଡା, ପ୍ୟାଣ୍ଟ, ସାର୍ଟ, କିଡସ୍ ଓ ଲେଡିସ୍ ଆଇଟମ୍ ମଗାଇ ମହଜୁଦ ରଖିଥିବାର ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଗୁଜୁରାଟ ଅଞ୍ଚଳରୁ ବିଭିନ୍ନ ମନଲୋଭା ଶାଢି ସମେତ ରେଡିମେଡି ପୋଷାକର ସମ୍ଭାର ଦେଖିବାକୁ ମିଳିଛି । ପାର୍ବଣ ଋତୁ ପାଇଁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବ୍ୟବସାୟୀ ମାନେ ନିଜକୁ ପ୍ରସ୍ତୁତ କରି ସାରିଲେଣି । ଏ ନେଇ ରେଡିମେଡ ପୋଷାକ ଦୋକାନ ମାଲିକ ବିନ୍ଦୁ ସାଗର ଦଳାଇଙ୍କୁ ପଚାରିବାରୁ ସେ କୁହନ୍ତି ଚଳିତ ବର୍ଷ ବ୍ୟବସାୟ ଆଶାନୁରୂପ ଏବେ ସୁଦ୍ଧା ହୋଇନାହିଁ । ଲୋକେ ଅନଲାଇନ ଅର୍ଡର କରୁଥିବାରୁ ବ୍ୟବସାୟ ଜୋର ଧରିନି। ଲୁଗା ବ୍ୟବସାୟୀ ଗୈାରହରି ପୃଷ୍ଟିଙ୍କୁ ପଚାରିବାରୁ ସେ କୁହନ୍ତି ଚଳିତ ବର୍ଷ ବ୍ୟବସାୟ ମାନ୍ଦା ରହିଛି । ଦଶହରା ଆହୁରି ୧୪ ଦିନ ବାକି ରହିଥିବା ବେଳେ ଆଗକୁ ବେପାର ଜୋର ଧରିବ ବୋଲି ଆଶା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ