ଚାନ୍ଦିପୁର ବେଳାଭୂମୀରେ ଭିତ୍ତିଭୂମିର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା
ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ବେଳାଭୂମୀରେ ପର୍ଯ୍ୟଟନର ବିକାଶ, ଭିତ୍ତିଭୂମିର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଚାନ୍ଦିପୁରର ସୁଦୀର୍ଘ ବେଳାଭୂମୀ ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ସତ୍ତ୍ୱେ ପର୍ଯ୍ୟଟକଙ୍କ ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମୀର ବିକାଶ ହୋଇ ପାରିନାହିଁ । ଫଳରେ ଧିରେ ଧିରେ ପର୍ଯ୍ୟଟକମାନେ ଚାନ୍ଦିପୁରରୁ ମୁହଁ ଫେରାଉଥିବା ପରିଲକ୍ଷିତ ହୋଇଛି । ବେଳାଭୂମୀ ପ୍ରତିରୋଧକ ବନ୍ଧ ପ୍ରକଳ୍ପ ମାଧ୍ୟମରେ ଆରମ୍ଭ ହୋଇଥିବା ମେରାଇନ ଡ୍ରାଇଭ୍ର ନିର୍ମାଣ କାର୍ଯ୍ୟ ଶେଷ ଉପରେ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଥିଲେ । ବନ୍ଧର ଲମ୍ବ ବୃଦ୍ଧି ସହିତ ବେଳାଭୂମିକୁ ଯିବା ପାଇଁ ଏକାଧିକ ଏଂଟ୍ରି ପଏଂଟ ରଖିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷ ବର୍ଷ ଧରି ଉନ୍ନତି ନାମରେ ଚାନ୍ଦିପୁର ବେଳାଭୂମୀ ପ୍ରତି କେବଳ ଅବହେଳା କରାଯାଇଥିବା ମତ ପୋଷଣ ସହ ଖୁବ ଶୀଘ୍ର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ଦତ୍ତ ଦେଇଛନ୍ତି । ଏ ନେଇ ସେ ବିଭାଗୀୟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ବେଳେ ଯୋଜନା ବଦ୍ଧ କାର୍ଯ୍ୟଶୈଳୀ ମାଧ୍ୟମରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ । ଫଳରେ ଚାନ୍ଦିପୁର ବେଳାଭୂମୀ ସ୍ୱଳ୍ପ ଦିନ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢିବା ସହ ବାଲେଶ୍ୱରର ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀ ଦତ୍ତ କହିଛନ୍ତି । ଜଳସେଚନ ବିଭାଗ ଅଧିୀକ୍ଷଣ ଯନ୍ତ୍ରୀ ନବ ମହାଳିକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଧାୟକ ଶ୍ରୀ ଦତ୍ତଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।