ଓଡିଶାର ପ୍ରଗତିରେ ହରେକୃଷ୍ଣ ମହତାବଙ୍କ ଅତୁଳନୀୟ ଅବଦାନ
ଓଡିଶାର ସର୍ବପ୍ରଥମ ମୁଖ୍ୟମନ୍ତ୍ରୀ, ହରେକୃଷ୍ଣ ମହତାବଙ୍କର ଅସାଧାରଣ ବ୍ୟକ୍ତିତ୍ବ ଥିଲା | ସେ ମିଷ୍ଟଭାଷୀ ଉଦାର, ନିର୍ଭିକ,ନମ୍ର ସାହିତ୍ୟପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ଆଦର୍ଶ ରାଜନେତା ଥିଲେ | ସେ ଓଡିଶାର ଜଣେ ବିଚକ୍ଷଣ ରାଜନୀତିଜ୍ଞ, ଐତିହାସିକ ଓ ସୁଲେଖକ ଭାବେ ପରିଚିତ | ସେ ୧୮୯୯ମସିହା ଆଗରପଡା ରେ (ବର୍ତମାନ ଭଦ୍ରକ ଜିଲ୍ଲା ରେ ଅବସ୍ଥିତ) ଏକ ସମ୍ରାନ୍ତ କ୍ଷତ୍ରିୟ ପରିବାରରୁ ଜନ୍ମଗ୍ରହଣ କରିଥିଲେ | ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସେ ବହୁବାର କାରାବରଣ କରିଥିଲେ | ବିଭିନ୍ନ ସମୟରେ ବିଭିନ୍ନ ପଦପଦବୀରେ ରହି ବହୁ ଜନହିତକର କାର୍ଯ୍ୟ କରିଯାଇଛନ୍ତି | ତାଙ୍କର ପ୍ରେରଣା ଓ ସମ୍ପାଦନାରେ ପ୍ରଜାତନ୍ତ୍ର, ମୀନାବଜାର , ଝଙ୍କାର ପ୍ରଭୁତି,, ପତ୍ରପତ୍ରିକା କଟକରୁ ପ୍ରକାଶିତ ହେଉଛି | ସମ୍ଭାନ୍ତ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ସଦାସର୍ବଦା ଜଣେ ସରଳ ନିଷ୍କପଟ, ଉଦାର, ନମ୍ର ରାଜନେତା ଥିଲେ | ଗର୍ବ, ଅହଂଙ୍କାର ତାଙ୍କୁ ତଳେମାତ୍ର ଛୁଇଁ ପାରିନଥିଲା | ଯାହାକି ଏକବିଂଶ ଶତାବ୍ଦୀର ରାଜନେତା ପାଖରେ ଏହା ପରିଲକ୍ଷିତ ହେଉନାହିଁ | ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ତାଙ୍କୁ ଉତ୍କଳକେଶରୀର ଆଖ୍ୟା ପ୍ରଦାନ କରିଅଛି |ନବଉତ୍କଳର ନିର୍ମାତା ରୂପେ ସେ ସୁପ୍ରତିଷ୍ଟିତ। ” ତୁଳସୀ ଦୁଇ ପତ୍ରରୁ ବାସିଲା ପରି” ବାଲ୍ୟ କାଳରୁ ହିଁ ଡକ୍ଟର ହରେକୃଷ୍ଣ ମହତାବଙ୍କ ମନରେ ଦେଶପ୍ରେମର ବହ୍ନି ପ୍ରଜ୍ଜଳିତ ହୋଇଥିଲା । ଦେଶମାତୃକାର ସେବା ପାଇଁ ପାଠପଢ଼ା ଅଧାରୁ ସମାପ୍ତ କରି ଭାରତର ସ୍ଵାଧୀନତା ସଂଗ୍ରାମରେ ସେ ଯୋଗଦେଇଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ସେ ୧୯୨୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଓ କୋଲକାତା ଅଧିବେଶନରେ ଯୋଗ ଦେଇଥିଲେ ଏବଂ ଭାରତକୁ ସ୍ବାଧୀନ କରିବାର ଜିଜ୍ଞାସା ତାଙ୍କ ମନ ମଧ୍ୟରେ ଜାଗ୍ରତ ହୋଇଥିଲା | ସେଥିପାଇଁ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୨୧ ମସିହାରେ ଭାରତର ସ୍ଵାଧିନତା ସଂଗ୍ରାମରେ ସେ ଯୋଗଦେଇଥିଲେ। ସେଥିପାଇଁ ତାଙ୍କୁ ବହୁବାର ଜେଲ୍ ଯିବାକୁ ପଡ଼ିଥିଲା। ୧୯୩୦ ମସିହାରେ ହୋଇଥିବା ଆଇନ ଅମାନ୍ୟ ଆନ୍ଦୋଳନରେ ତାଙ୍କର ଭୂମିକା ଅତୁଳନୀୟ ଥିଲା । ୧୯୩୪ ମସିହାରେ ସେ ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ଏବଂ ଓଡ଼ିଶାର ମନ୍ଦିର ଗୁଡ଼ିକୁ ସବୁ ଲୋକଙ୍କ ପାଇଁ ଖୋଲିବା ପାଇଁ ପଦକ୍ଷେପ ନେଇଥିଲେ । ତାଙ୍କ ପାଖରେ ଧନୀ, ଗରିବ , ଉଚ୍ଚ, ନୀଚ୍ଚ ଜାତିର ଭେଦ ଭାବ ନଥିଲା । ୧୯୩୩ ରୁ ୧୯୩୬ମସିହା ପର୍ଯ୍ୟନ୍ତ ସେ ଓଡ଼ିଶାର ଅଗ୍ରପଡ଼ା ରେ ଥିବା ଗାନ୍ଧୀ କର୍ମମଣ୍ଡଳ ଆଶ୍ରମରେ ହରିଜନ ମାନଙ୍କ ଉନ୍ନତି ନିମନ୍ତେ ଅନେକ କାର୍ଯ୍ୟ କରିଥିଲେ। ୧୯୪୨ ମସିହାରେ ଗାନ୍ଧିଜୀଙ୍କ ନେତୃତ୍ୱରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ସେ ଅଂଶଗ୍ରହଣ କରିଥିଲେ ଏବଂ ଇଂରେଜ ମାନଙ୍କୁ ଦୃଢତାର ସହିତ ବିରୁଦ୍ଧ କରିଥିଲେ । ତେଣୁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଭାରତର ସ୍ଵାଧୀନତା ସଂଗ୍ରାମରେ ବାରମ୍ବାର ଅଂଶଗ୍ରହଣ କରି ତାଙ୍କୁ ଅନେକ ବାର ଜେଲ୍ ଯିବାକୁ ପଡ଼ିଥିଲା । ଜାତୀୟ ଆନ୍ଦୋଳନରେ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ୭ଥର ଜେଲ୍ ଯିବାକୁ ପଡ଼ିଥିଲା । ସେ ଦୀର୍ଘ ୮ ବର୍ଷ ଧରି ଜେଲ୍ ରେ ସମୟ ଅତିବାହିତ କରିଛନ୍ତି। ଭାରତ ଛାଡ଼ ଆନ୍ଦୋଳନରେ ସେ “୧୯୪୨ ରୁ ୧୯୪୫” ମସିହା ପର୍ଯ୍ୟନ୍ତ କାରାଗାରରେ ବନ୍ଦୀ ହୋଇ ରହିଥିଲେ। ଜେଲ୍ ରେ ବନ୍ଦୀ ଥିବା ସମୟରେ ସେ ୩ ଟି ଉପନ୍ୟାସ ଅନେକ କବିତା ଓ ଓଡ଼ିଶାର ଇତିହାସ ଲେଖିଥିଲେ |୧୯୪୬ ମସିହା ଏପ୍ରିଲ ୨୩ରେ ସେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ ହୋଇଥିଲେ | ଡକ୍ଟର ହରେକୃଷ୍ଣ ମହତାବଙ୍କ ବିରୁଦ୍ଧରେ ବାରମ୍ବାର ଷଡ଼ଯନ୍ତ୍ର କରାଯାଇଥିଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ନିର୍ଭୀକତା, ତ୍ୟାଗ, ସଚ୍ଚୋଟତା, ନମ୍ରତାକୁ ପାଥେୟ କରି ସେ ସବୁ ଷଡ଼ଯନ୍ତ୍ର କୁ ପଶମିତ କରିପାରିଥିଲେ। ତାଙ୍କ ପାଇଁ ଦଳ, ପଦପଦବୀ ଅପେକ୍ଷା ରାଷ୍ଟ୍ର ସର୍ବୋପରି ଥିଲା | ଦଳୀୟ ସ୍ଵାର୍ଥ ଅପେକ୍ଷା ରାଷ୍ଟ୍ର ତଥା ରାଜ୍ୟର ସ୍ୱାର୍ଥକୁ ସଦାସର୍ବଦା ଗୁରୁତ୍ୱ ଦେଉଥିଲେ ଏଥିରେ ତିଳେମାତ୍ର ସଂନ୍ଦେହର ଅବକାଶ ନାହିଁ | ରାଜନୀତିରେ କୌଣସି ବ୍ୟକ୍ତି କିମ୍ବା କୌଣସି ଦଳର ମହିମାମଣ୍ଡନ କରିବାକୁ ସେ ନାପସନ୍ଦ କରୁଥିଲେ | ସେ ସଦାସର୍ବଦା ଆମ ରାଷ୍ଟ୍ର ତଥା ରାଜ୍ୟର ବିକାଶ ପାଇଁ ଚେଷ୍ଟିତ ଥିଲେ | କ୍ଷମତା,ପଦପଦବୀର ଲାଳସା ତାଙ୍କୁ ଗ୍ରାସ କରି ପାରିନଥିଲା | ସେ ସଦାସର୍ବଦା ଓଡ଼ିଆ ଭାଷା,ସାହିତ୍ୟ, ପରମ୍ପରା, ସଂସ୍କୃତିକୁ ବଜାଇ ରଖିବା ପାଇଁ ଅପ୍ରାଣ ଉଦ୍ୟମ କରୁଥିଲେ | ସେ ଲାଲବାହାଦୁର ଶାସ୍ତ୍ରୀଙ୍କ ଭଳି ଅତି ସରଳ ନିରାଡ଼ମ୍ବର ଜୀବନ ଅତିବାହିତ କରୁଥିଲେ | ଅସହାୟ ଗରିବ, ମଧ୍ୟବିତ୍ତ ଲୋକଙ୍କର ଦବିଯାଉଥିବା ସ୍ୱରକୁ ନିଜର ଗଳ୍ପ, ଉପନ୍ୟାସ ଏବଂ ଖବରକାଗଜ “ପ୍ରଜାତନ୍ତ୍ର” ରେ ପ୍ରକାଶ କରୁଥିଲେ | ନିରପେକ୍ଷ ଦୈନିକ ଖବରକାଗଜ “ପ୍ରଜାତନ୍ତ୍ର” ସଦାସର୍ବଦା ସାଧାରଣ ଲୋକଙ୍କ ସ୍ୱର ହୋଇ ତାର ଦାୟିତ୍ୱ ସଠିକ ଭାବରେ ନିର୍ବାହ କରୁଛି | ଯେତେବେଳେ ପ୍ରଶାସନ ନେତା,ମନ୍ତ୍ରୀ, ଅଫିସର ମାନେ ଭ୍ରଷ୍ଟାଚାରରେ ଲିପ୍ତ ରୁହନ୍ତି, ଅହଂକାରରେ ବଶବର୍ତ୍ତୀ ହୋଇ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଭୁଲିଯାଆନ୍ତି, ସେବକ ପରିବର୍ତ୍ତେ ନିଜକୁ ମାଲିକ ମନେକରନ୍ତି, ସେତେବେଳେ ନିରପେକ୍ଷ ଖବରକାଗଜ ପ୍ରଜାତନ୍ତ୍ର ପ୍ରଶାସନକୁ ଚେତାଇ ଦିଏ ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନେତା, ମନ୍ତ୍ରୀ, ଅଫିସର ମାନେ ଜନତାର ସେବକ ହୋଇଥାନ୍ତି ଏବଂ ପ୍ରକୃତରେ ଜନତା ହିଁ ସର୍ବଶକ୍ତିମାନ , ଏହାର ଅର୍ଥ ଆମ ଦେଶର ସମସ୍ତ ଭୋଟର ଅଖଣ୍ଡ କ୍ଷମତାର ଅଧିକାରୀ |
ନିଜର ଖଣ୍ଡିଏ ଭୋଟ ମାଧ୍ୟ୍ୟମରେ ସରକାର ପରିବର୍ତ୍ତନ କରିବାର କ୍ଷମତା ଜନସାଧାରଣଙ୍କ ପାଖରେ ରହିଛି | ଡ଼କ୍ଟର ହରେକୃଷ୍ଣ ମହତାବଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଆମ ଦେଶର ସମସ୍ତ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା | ତାଙ୍କର ମତ ଥିଲା ଭାରତ ପରି ବିଶାଳ ଦେଶରେ ସମସ୍ତେ ଆତ୍ମନିର୍ଭରଶୀଳ ହେବା ଉଚିତ | ତାଙ୍କର ଏହି ଆହ୍ୱାନ ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଂଚିପାରିଛି | ଜୀବନର ପ୍ରତ୍ୟେକ ମୁହୂର୍ତ ସେ ଦେଶ ପାଇଁ ଚିନ୍ତା କରିଛନ୍ତି |ତାଙ୍କ ପାଇଁ ରାଷ୍ଟ୍ର ସର୍ବାଗ୍ରେ | ବାଲେଶ୍ୱର ଜିଲ୍ଲାରେ ଚେୟାରମ୍ୟାନ ଦାୟିତ୍ବରେ ଥିବାବେଳେ ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ବିଦେଶୀ ପୋଷାକକୁ ବିରୋଧ କରିଥିଲେ | ୧୯୩୦ରେ ସେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ଜେଲ୍ ଯାଇଥିଲେ | ଏକ ନୂତନ ଓଡିଶା ଗଠନ ଦିଗରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା | ସର୍ଦ୍ଧାର ବଲ୍ଲବଭାଇଙ୍କ ଆହ୍ୱାନ ଏବଂ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ସହଯୋଗ ଦ୍ୱାରା ଓଡିଶାର ୨୬ଟି ଗଡ଼ଜାତ ରାଜ୍ୟ ଓଡିଶାରେ ମିଶ୍ରଣ ହୋଇଥିଲା | ତାଙ୍କ ରଚିତ “ଗାଁ ମଜଲିସ୍” ଲେଖା ପାଇଁ ତାଙ୍କୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା | ଏଥିସହ ଇଂରାଜୀ ପତ୍ରିକା ” ଦ ଇଷ୍ଟ୍ରର୍ଣ ଟାଇମସର” ସେ ସମ୍ପାଦକ ଥିଲେ | ସେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ୨ଥର ନିର୍ବାଚିତ ହୋଇଥିଲେ | ପାଖାପାଖି ସାତବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ | ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡିଶାର ଅନେକ ଜନମୁଖୀ ପ୍ରଜେକ୍ଟରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା | ହୀରାକୁଦ ଡ୍ୟାମ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା | କଟକ ଆକାଶବାଣୀ କେନ୍ଦ୍ରର ପ୍ରତିଷ୍ଠାତା ଭାବେ ସେ ଚିରପରିଚିତ | ବାରବାଟୀ ଷ୍ଟାଡିଅମ ନିର୍ମାଣରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା | ଓଡିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନନ୍ତରିତ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା | ଡ଼କ୍ଟର ହରେକୃଷ୍ଣ ମହତାବ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଐତିହାସିକ ଆଦର୍ଶ ମୁଖ୍ୟମନ୍ତ୍ରୀ, ସାହିତ୍ୟପ୍ରେମୀ, ସମ୍ପାଦକ, ଦକ୍ଷ ପ୍ରଶାସକ ଏବଂ ସର୍ବଗୁଣସମ୍ପନ୍ନ ବ୍ୟକ୍ତିତ୍ବ ଥିଲେ | ରାଜନୀତିର ସଂକୀର୍ଣ୍ଣ ସୀମାକୁ ଅତିକ୍ରମ କରି ଜଣେ ରାଷ୍ଟ୍ରପୁରୁଷ, ମହାନ ଜନନାୟକ ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ | ସଂଘର୍ଷ ମଧ୍ୟ ଦେଇ ତାଙ୍କର ବ୍ୟକ୍ତିତ୍ବ ଗଢି ଉଠିଥିବାରୁ ସେ ଥିଲେ ଯଥାର୍ଥରେ ବୀରପୁରୁଷ ଓ ନିର୍ଭୀକ | ନବ ଉତ୍କଳର ଅନେକ ପ୍ରଥମଙ୍କ ଭିତରେ ସେ ପ୍ରଥମ | ଓଡିଶାକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରାଇବା ତାଙ୍କ ଜୀବନର ପରମ ଲକ୍ଷ୍ୟ ଥିଲା | ତେଣୁ ଆଧୁନିକ ଓଡିଶାର ସଂସ୍କୃତି ଓ ରାଜନୀତି ଉପରେ ତାଙ୍କର ସାଧନା କାଳକୁ ମହତାବ- ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ | ଗଣତନ୍ତ୍ରକୁ କଳଙ୍କମୁକ୍ତ କରିବା ଓ ରାଜନୀତିକୁ ନିଷ୍ଠାପର ଭାବରେ ଲୋକାଭିମୁଖୀ କରାଇବା, ସମାଜରୁ ଯାବତୀୟ ଜଡ଼ତା ଓ କୁସଂସ୍କାରକୁ ଦୂରେଇ ଦେବା, ସାହିତ୍ୟକୁ ସମାଜ ଅଭିମୁଖୀ କରାଇବା ଏପରି ଅନେକ ଉଲ୍ଲେଖନୀୟ ସଂସ୍କାରମୂଳକ କାର୍ଯ୍ୟକ୍ରମ ଭିତରେ ସେ ନିଜକୁ ଅବିରତ କର୍ମମୁଖର କରି ରଖିଥିଲେ | ହରେକୃଷ୍ଣ ମହତାବ ଏପରି ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଆଦର୍ଶ ରାଜନେତା ଯିଏ ବାରମ୍ବାର ଜେଲ ଯାଇ ମଧ୍ୟ ଭାଙ୍ଗିପଡି ନାହାନ୍ତି | ଘାତ ପ୍ରତିଘାତ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଦେଇ ସେ ଗତି କରିଛନ୍ତି | ତାଙ୍କ ବିରୋଧରେ ଅନେକ ଷଡ଼ଯନ୍ତ୍ର କରାଯାଇଛି, କମିଶନ ବସାଯାଇଛି କିନ୍ତୁ ସେ ସାହସର ସହିତ ମହାଭାରତର ଅଭିମନ୍ୟୁ ପରି ଏକାକୀ ତାର ମୁକାବିଲା କରିଛନ୍ତି | ରାଜନୀତି ଓ ପ୍ରଶାସନର ଘୂର୍ଣ୍ଣି ଭିତରେ ଜୀବନ ଅତିବାହିତ କରି ମଧ୍ୟ ସେ ବାଛି ନେଇଥିଲେ ସାହିତ୍ୟ ଓ ସାମ୍ବାଦିକତାକୁ | ଉଭୟକୁ ସେ ସମାଜ ଓ ରାଷ୍ଟ୍ର ଗଠନରେ ଦୁଇଟି ଅବ୍ୟର୍ଥ ଅସ୍ତ୍ର ରୂପେ ବିବେଚନା କରୁଥିଲେ | ଅସହଯୋଗ ଆନ୍ଦୋଳନ, କନିକା ରାଜ ଅତ୍ୟାଚାର ଓ ଲବଣ ସତ୍ୟାଗ୍ରହ ଏହି ଘଡିସନ୍ଧି ମୁହଁର୍ତ୍ତରେ ପ୍ରଜାତନ୍ତ୍ର ଖବରକାଗଜ ହୋଇଥିଲା ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ | ” ଗାଁ ମଜଲିସ୍” ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ପରିପକ୍ୱ ଚିନ୍ତା ଓ ଚେତନାର ସାବଲୀଳ ପରିପ୍ରକାଶ | ୧୯୫୦ମସିହାରୁ ୧୯୮୬ମସିହା ପ୍ରଯ୍ୟନ୍ତ “ପ୍ରଜାତନ୍ତ୍ର” ପୃଷ୍ଠାମଣ୍ଡନ କରି ଏହା ଓଡିଶାର କୋଣ ଅନୁକୋଣରେ ଜନସାଧାରଣଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲା | ସାମାଜିକ ରାଜନୀତିକ,ପ୍ରଶାସନିକ, ସାଂସ୍କୃତିକ, ଆର୍ଥନୀତିକ, ରାଷ୍ଟ୍ରୀୟ,ଧର୍ମୀୟ, କୃଷି, କୁସଂସ୍କାର ଏହିପରି ଅନେକ ସମସ୍ୟା ଏବଂ ତାର ସରଳ ସମାଧାନ ଓ ସେଥିରେ ସାଧାରଣ ଲୋକଙ୍କ ଭୂମିକାକୁ ଡ଼କ୍ଟର ହରେକୃଷ୍ଣ ମହତାବ ଏପରି ସୁନ୍ଦର ଭାବରେ ପରିସ୍କୁଟନ କରିଥିଲେ , ଯାହା ଚଳିତ ଚାରି ଦଶନ୍ଧି ଧରି ହୋଇଯାଇଛି ଏକ ଧାରାବାହିକ ଇତିହାସ | ଏକବିଂଶ ଶତାବ୍ଦୀର ସମସ୍ତ ରାଜନେତା କାଦୁଅଫିଙ୍ଗା ଶସ୍ତା ରାଜନୀତି ଏବଂ ନିଜର କ୍ଷମତା ଲାଳସାରୁ ନିବୃତ ରହି ମହାନ ରାଜନେତା ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାର ସମୟ ଆସିଛି, ଯାହା ଫଳରେ ଆମ ରାଜ୍ୟ ତଥା ରାଷ୍ଟ୍ର ବିଶ୍ୱର ସର୍ବଶେଷ୍ଠ ରୂପେ ପରିଗଣିତ ହେବ |
ଆଶୁତୋଷ ନାୟକ
ଗୋପାଳପୁର,ବାଲେଶ୍ୱର
୭୦୨୦୬୧୧୩୦୦