ମା ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜା
ନିମାପଡ଼ା,(ସନ୍ତୋଷ ଦାଶ):ରାଜ୍ୟର ଅନେକ ଶକ୍ତିପୀଠ ମଧ୍ୟରୁ କାକଟପୁର ବାସିନୀ ମା ମଙ୍ଗଳାଙ୍କ ପୀଠ ହେଉଛି ଏକ ପ୍ରମୁଖ ଶକ୍ତିପୀଠ । ରାଜ୍ୟକୁ ସବୁ ଆପଦ ବିପଦରୁ ରକ୍ଷା କରିଆସୁଥିବା ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା ମଙ୍ଗଳା ଅନ୍ୟତମ। ଏହି ଶକ୍ତିପୀଠଟି ମାତୃ ଉପାସନାର ଏକ ଅନନ୍ୟ ପୀଠ ହୋଇଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ଜଗନ୍ନାଥ ସଂସ୍କୃତି ସହିତ ଏହି ପୀଠ ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ମା ମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବୀ ଏବଂ ଆଦ୍ୟାଶକ୍ତି। ମାଦଳା ପାଞ୍ଜିର ସତ୍ଵଲିପି ଅନୁଯାୟୀ ଶ୍ରୀ ବଳଭଦ୍ର , ଶ୍ରୀ ଜଗନ୍ନାଥ , ମା ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ନବକଳେବର ସମୟରେ ମା ମଙ୍ଗଳାଙ୍କ ସ୍ଵପ୍ନାଦେଶ ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦାରୁ ଚୟନର ଠିକଣା ମିଳିଥାଏ। ନବକଳେବରର ଏହି ପରମ୍ପରା କାହିଁ କେଉଁ ଅନାଦି ସମୟରୁ ପ୍ରଚଳିତ ହୋଇଆସୁଛି । ସେଥିପାଇଁ ମା ମଙ୍ଗଳାଙ୍କ ପୀଠର ସମସ୍ତ ନୀତିକାନ୍ତି ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ। ବର୍ଷ ସାରା ମା ମଙ୍ଗଳା ପଞ୍ଚଉପଚାର ପୂଜା ପଦ୍ଧତିରେ ପୂଜା ପାଇ ଆସୁଥିବା ବେଳେ ଶାରଦୀୟ ଦୁର୍ଗାପୂଜା ସମୟରେ ଏହି ପୀଠର ସ୍ଵତନ୍ତ୍ର ରୀତି ନୀତି ଅନୁସାରେ ଷୋଡଶ ଉପଚାରରେ ମା ମଙ୍ଗଳାଙ୍କୁ ଆରାଧନା କରାଯାଇଥାଏ। ମା ମଙ୍ଗଳା ପରମ ବୈଷ୍ଣବୀ । କିନ୍ତୁ ଶାରଦୀୟ ଦୂର୍ଗା ପୂଜା ଏବଂ ବାସନ୍ତିକ ଦୁର୍ଗାପୂଜା ସମୟରେ ମା ମଙ୍ଗଳାଙ୍କୁ ଷୋଡଶ ଉପଚାରରେ ସେବା ପୂଜା କରାଯାଇଥାଏ। ଏହି ସମୟରେ ସ୍ଵତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡା ସଂକଳ୍ପିତ ହୋଇ ଦୀର୍ଘ ଷୋଳ ଦିନ ଯାଏ ମା ମଙ୍ଗଳାଙ୍କୁ ପୂଜା କରିଥାନ୍ତି। ମଙ୍ଗଳା ମହାପୁରାଣ ଅନୁଯାୟୀ ମା ମଙ୍ଗଳା ହେଉଛନ୍ତି ଆଦିମାତା ବା ଆଦ୍ୟାଶକ୍ତି । ପୁରାଣ ଅନୁସାରେ ମା ମଙ୍ଗଳା ହେଉଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ବର ତ୍ରିଦେବଙ୍କ ଜନନୀ । ମା ମଙ୍ଗଳାଙ୍କ କୌଣସି ନିଜସ୍ଵ ବୀଜ ମନ୍ତ୍ର ନାହିଁ । ମା ମଙ୍ଗଳାଙ୍କୁ ବନଦୂର୍ଗା ମନ୍ତ୍ରରେ ପୂଜିତ କରାଯାଇଥାଏ ବୋଲି ମାଙ୍କ ସେବକ ମାନେ ପ୍ରକାଶ କରିଛନ୍ତି। ମା ମଙ୍ଗଳା ବୈଷ୍ଣବ ତତ୍ଵର ଠାକୁରାଣୀ ହୋଇଥିଲେ ମଧ୍ୟ ଯେହେତୁ ବନଦୂର୍ଗା ମନ୍ତ୍ରରେ ପୂଜିତ ହେଉଛନ୍ତି ତେଣୁ ପାର୍ବଣ ସମୟରେ ମା ଦୂର୍ଗାଙ୍କ ଆରାଧନା କରାଯାଇ ତନ୍ତ୍ର ଉପଚାରରେ ମାଙ୍କୁ ଆରାଧନା କରାଯାଇଥାଏ । ଲୋକ ବିଶ୍ୱାସ ରହିଛି ଯେ, ମା ମଙ୍ଗଳା, ମା ଦୂର୍ଗା, ମା କାଳୀ ଏକ ଓ ଅଭିନ୍ନ। ଭକ୍ତ ମାନଙ୍କ ପାଇଁ ସେ ମଙ୍ଗଳମୟୀ ତ ଦୁଷ୍ଟଙ୍କ ପାଇଁ ସେ ଦୂର୍ଗା ଓ କାଳୀ ପାଲଟି ଯାଆନ୍ତି। ବର୍ଷର ସବୁ ସମୟରେ ମା ମଙ୍ଗଳାଙ୍କ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଥାଏ । ଶାରଦୀୟ ପାର୍ବଣ ପୂଜା ସମୟରେ ମା ମଙ୍ଗଳାଙ୍କ ନିକଟରେ ଅନେକ ମାନସିକଧାରି ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଅନେକ ଶ୍ରଦ୍ଧାଳୁ ମା ମଙ୍ଗଳାଙ୍କ ବେଢା ପରିସରରେ ଅଧିଆ ପଡି ମାଙ୍କୁ ସେମାନଙ୍କ ଗୁହାରି ଜଣାଉଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଥାଏ। ଏହି ସମୟରେ ମା ମଙ୍ଗଳାଙ୍କ ବିଭିନ୍ନ ବେଶ ଦର୍ଶନ କରିବାର ସୌଭାଗ୍ୟ ଭକ୍ତ ମାନଙ୍କୁ ମିଳିଥାଏ। ନବପତ୍ରିକାରେ ମାଙ୍କୁ ପାଦପଦ୍ମ ଓ ଭୁଜଲାଗି କରାଯାଇ ନାଲିକଲି ଓ କଳା କଲି ବେଶରେ ସଜ୍ଜିତ କରା ଯାଉଥିବା ବେଳେ ପଞ୍ଚମୀ ତିଥିରେ ତୀରକମାଣ ବା ରଘୁନାଥ ବେଶ, ଷଷ୍ଠୀ ତିଥିରେ କାତି ଖର୍ପର ବା କାତାୟାନୀ ବେଶ, ସପ୍ତମୀ ତିଥିରେ ପ୍ରସିଦ୍ଧ ସିଂହବାହିନୀ ବେଶ, ଅଷ୍ଟମୀ ତିଥିରେ ମହିଷା ମର୍ଦ୍ଧିନୀ ବେଶ, ନବମୀ ତିଥିରେ ଶାନ୍ତି ବେଶରେ ସଜ୍ଜିତ କରାଯାଇଥାଏ। ବିଜୟା ଦଶମୀ ତିଥିରେ ମାଙ୍କ ଚଳନ୍ତି ପ୍ରତିମାକୁ ସମେଶ୍ୱର ମନ୍ଦିରକୁ ନିଆଯାଇ ହରଦୁର୍ଗା ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ। ନବପତ୍ରିକା ଠାରୁ ମା ମଙ୍ଗଳାଙ୍କ ମନ୍ଦିରରେ ମନ୍ଦରଗିରି ବିଜେ ନୀତି ନାମରେ ଏକ ସ୍ବତନ୍ତ୍ର ନୀତି ଆରମ୍ଭ ହୋଇଥାଏ । ମା ମଙ୍ଗଳା ବିଳମ୍ବିତ ରାତ୍ରିରେ ମନ୍ଦିର ମଧ୍ୟରୁ ବାହାରି ଏକ ସୁସଜ୍ଜିତ ମଣି ବିମାନରେ ବିଜେ କରି ମନ୍ଦିରର ପୂର୍ବ ପଟେ ରହିଥିବା ସେବକ ସାହି ନିକଟରେ ମନ୍ଦରଗିରି ପିଣ୍ଡିକୁ ବିଜେ କରିଥାନ୍ତି। କଥିତ ଅଛି ଯେ ମହିଷାସୁରର ଅତ୍ୟାଚାରରେ ଦେବତା ମାନେ ତ୍ରାହି ତ୍ରାହି ଡ଼ାକୁଥିବା ବେଳେ ମା ଦୂର୍ଗା ଆବିର୍ଭାବ ହୋଇଥିଲେ ଏବଂ ମହିଷାସୁରକୁ ନିଧନ କରିବା ପାଇଁ ଦେବତା ମାନଙ୍କୁ ଆଶ୍ଵାସନା ଦେଇଥିଲେ। ସେହିଦିନ ଠାରୁ ମା ଦୂର୍ଗା ମହିଷାସୁରକୁ ଖୋଜିବାକୁ ଦୈନିକ ମନ୍ଦରଗିରିକୁ ବିଜେ କରିଥାନ୍ତି ଏବଂ ରାକ୍ଷସର ସନ୍ଧାନ କରି ପୁଣି ମନ୍ଦିରକୁ ଫେରି ଆସିଥାନ୍ତି । ଏହି ସ୍ୱତନ୍ତ୍ର ନୀତି ସମୟରେ ଘଣ୍ଟ, ଘଣ୍ଟା, ମାର୍ଦଳ, ଭେରୀ, ତୁରି ଆଦି ବିଭିନ୍ନ ବୀର ବାଦ୍ୟ ମାଙ୍କ ବିମାନ ଆଗେ ଆଗେ ବଜା ଯାଇଥାଏ ଏବଂ ମା ଙ୍କ ବିମାନ ଆଗରେ ପାରମ୍ପରିକ ଦିହୁଡି (ମଶାଲ) ଜଳାଇ ଜଣେ ସେବକ ଆଗେ ଆଗେ ଯାଇଥାନ୍ତି। ମନ୍ଦରଗିରିରୁ ଫେରିବା ପରେ ମନ୍ଦିରର ନାଟମଣ୍ଡପ ଠାରେ ମନ୍ଦିର ମଧ୍ୟରୁ ବନଦୂର୍ଗାଙ୍କୁ ଅଣାଯାଇ ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ନିକଟରେ ରଖାଯାଇ ସ୍ଵତନ୍ତ୍ର ପୂଜା ଏବଂ ଆଳତି କରାଯାଇ ଥାଏ । ଏହି ସମୟରେ ସେବାୟତ ମାନଙ୍କ ଦ୍ବାରା ସୁନ୍ଦର ଭାବରେ ଘଣ୍ଟ ଏବଂ ପଖଜ ବାଦ୍ୟ ବଜାଯାଇଥାଏ।ମାଙ୍କ ମନ୍ଦିରରେ ଏହି ସମୟରେ ଏକ ଅନନ୍ୟ ନୀତି ଦେଖିବାକୁ ମିଳେ। ଶାରଦୀୟ ପାର୍ବଣ ପୂଜା ଆରମ୍ଭ ଦିନ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କ ମନ୍ଦିରରେ ଆମିଷ ଭୋଗ ଅର୍ପଣ କରାଯାଇଥାଏ । ମା ମଙ୍ଗଳାଙ୍କ ପାଦ ତଳେ ପୂଜା ପାଉଥିବା ବନ ଦୂର୍ଗା ଓ ମହିଷାମର୍ଦ୍ଦିନୀ ଦୂର୍ଗାଙ୍କୁ ଏହି ଆମିଷ ଭୋଗ ଅର୍ପଣ କରାଯାଇଥାଏ ବୋଲି କୁହାଯାଏ।ଅତୀତରେ ମହାଷ୍ଟମୀ ରାତିରେ ମାଙ୍କ ସମ୍ମୁଖରେ ମଇଁଷି ବଳି ଦିଆଯାଉଥିଲା। ଆଜି ସେ ପ୍ରଥା ନାହିଁ। ଏବେ ପାଣି କଖାରୁ ବଳି ପ୍ରଦାନ କରାଯାଉଛି। ବିଜୟା ଦଶମୀ ଦିନ ହର ଦୂର୍ଗା ଭେଟ ଉତ୍ସବ ପାଳନ ପରେ ଆଶ୍ଵିନ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ମା ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜା (ଷୋଳ ପୂଜା)ର ପରିସମାପ୍ତି ଘଟିଥାଏ।