ହିଞ୍ଜିଳିରେ ବ୍ଳକ ସ୍ତରୀୟ ନିପୁଣ ଓଡ଼ିଶା ମିଶନ ଉନ୍ମୋଚିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୌରାଞ୍ଚଳ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ “ନିପୁଣ ଓଡ଼ିଶା ମିଶନ-୨୦୨୪” ଉନ୍ମୋଚନ ହୋଇଛି। ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନ ଏବଂ ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଭୁକ୍ତ “ନିପୁଣ ଓଡ଼ିଶା ମିଶନ” ଜରିଆରେ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଭାଷାଜ୍ଞାନ ଓ ସଂଖ୍ୟା ଜ୍ଞାନ କ୍ଷେତ୍ରରେ ଦକ୍ଷତା ବିକାଶ ସମ୍ଭବ ହୋଇପାରିବ। ଫଳରେ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ମାନେ ବିଶ୍ଳେଷଣାତ୍ମକ ଚିନ୍ତନ, ସମସ୍ୟା ସମାଧାନ ଓ ସୃଜନଶୀଳତା ହାସଲ କରିପାରିବେ ବୋଲି ମତପ୍ରକାଶ ପାଇଥିଲା। ହିଞ୍ଜିଳିକାଟୁ ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ ସଭାପତିତ୍ବରେ ଆୟୋଜିତ ବ୍ଲକସ୍ତରୀୟ ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ମୁଖ୍ୟଅତିଥି ଓ ସିଡିପିଓ ଗାଙ୍ଗି ସୁବୁଦ୍ଧି ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ। ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ବିଆରସିସି ସୁଶିଲ କୁମାର ପାତ୍ର, ସାମ୍ୱାଦିକ ବିନାୟକ ପ୍ରସାଦ ପଟ୍ଟନାୟକ, ଦ୍ଵିତିକୃଷ୍ଣ ସାବତ, ଅକସରା ଫାଉଣ୍ଡେସନ ପ୍ରଶିକ୍ଷକ ସତ୍ୟପ୍ରକାଶ ଦାଶ ସମ୍ମାନୀତ ଅତିଥି ରୂପେ ଉପସ୍ଥିତ ଥିଲେ। ଏବିଇଓ ସୂର୍ଯ୍ୟକାନ୍ତି ପାତ୍ରଙ୍କ ସମେତ ହିଞ୍ଜିଳିକାଟୁ ବ୍ଳକର ସମସ୍ତ ସିଆରସିସି, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନ ପ୍ରଶିକ୍ଷିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସିଆରସିସି ଅଖିଳ ପଣ୍ଡା ସହଯୋଗ କରିଥିଲେ।