ଅବଧି ସରିଲା ହେଲେ ସରୁନି ଗୋବରୀ ନାଳ ସଫେଇ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଦେଇ ପ୍ରବାହିତ ଗୋବରୀ ଓ ବାଉଁଶ ଯୋରୀ ନାଳକୁ ସଫା କରିବା ପାଇଁ ଜଳ ନିକାସ ବିଭାଗ ପକ୍ଷରୁ ୨୦୨୪ ଜୁଲାଇ ୫ ରେ ଅନଲାଇନ ଟେଣ୍ଡର କରାଯାଇଥିଲା। ଜୁଲାଇ ୧୬ ରେ ଠିକାଦାର ଚୟନ କରାଯାଇ ସଫେଇ ପାଇଁ ନିର୍ଦ୍ଦେଶାନାମା ପ୍ରଦାନ କରାଯାଇଥିଲା। ଏହି ୨ ନାଳକୁ ସଫା କରାଯିବା ପାଇଁ ୬ଲକ୍ଷ ୬୫ ହଜାର ୮୩୦ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ସଫେଇ ଅବଧି ସେପ୍ଟେମ୍ବର ୩୦ ରହିଥିଲା। କିନ୍ତୁ ନାଳ ସଫେଇର ଅବଧି ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ନାଳ ସଫେଇ କାର୍ଯ୍ୟ ଶେଷ ହୋଇନାହିଁ। ନିଯୁକ୍ତ ଠିକାଦାର କାଁ ଭାଁ ନାଳ ସଫା କରି କାର୍ଯ୍ୟ ଶେଷ କରିବାକୁ ବସିଥିବା ସ୍ଥାନୀୟ ଲୋକ ମତବ୍ୟକ୍ତ କରିଛନ୍ତି। ନାମକୁ ମାତ୍ର ନାଳ ସଫେଇ କରି ଫଟୋ ଉଠାଇ କାର୍ଯ୍ୟ ଶେଷ କରିଥିବା ସ୍ଥାନୀୟ ଅଂଚଳର ବଟକୃଷ୍ଣ ଦାସ, କାଳନ୍ଦୀ ମହାରଣା, ବିଜୟ ଦାସ, ଅଜୟ ଦାସ ଆଦି ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଅତ୍ୟଧିକ ବର୍ଷା ହେଲେ ଉକ୍ତ ନାଳରେ ଉପମୁଣ୍ଡରୁ ପାଣି ପ୍ରବାହିତ ହେବା ସମୟରେ ପାଣି ସ୍ରୋତରେ ମୃତ ଗୋରୁ, କୁକୁର ଆଦି ଭାସି ଆସୁଛନ୍ତି। ନାଳଟି ରେ ଦଳ ପୂର୍ଣ୍ଣ ହୋଇଥିବାରୁ ଉକ୍ତ ମୃତ ଜୀବଜନ୍ତୁ ପାଣି ସ୍ରୋତରେ ଭାସି ନ ଯାଇ ଦଳରେ ଅଟକି ରହୁଛନ୍ତି। ପାଣିରେ ଅଧିକ ଦିନ ରହିବା ଯୋଗୁ ତାହା ପଚି ସ୍ଥାନୀୟ ଅଂଚଳରେ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏପରିକି ନାଳ ପାଶ୍ୱର୍ରେ ଥିବା ଗ୍ରାମ ଓ ଗଙ୍ଗଦା ବଜାରରେ କାର୍ଯ୍ୟ କରୁଥିବା ଦୋକାନୀମାନେ ନାଳର ପାଣିକୁ ଶୌଚ ଆଦି କାର୍ଯ୍ୟରେ ଲଗାଇଥାନ୍ତି। ମୃତ ଜୀବଜନ୍ତୁ ଭାସିବା ଦ୍ୱାରା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହିତ ଦୁର୍ଗନ୍ଧରେ ଜନସାଧାରଣ ରହିପାରୁ ନାହାନ୍ତି। ତେଣୁ ସରକାରୀ ନିୟମାନୁସାରେ ନାଳଟିକୁ ସଫା କରିବା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି। ପ୍ରକାଶଯୋଗ୍ୟ ଯେ ଗୋବରୀ ନାଳଟି ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳ ନିକଟରୁ ବାହାରି ଉକ୍ତ ବ୍ଳକର ଗଜରାଜପୁର, ନୂଆଗାଁ, ଘୋଡାଂଶ, ନାଉଗାଁ, ବାଂଶ, ତିରୁଣା, ଡେରିକି, କୋରୁଅ ପଂଚାୟତ ଦେଇ ଗାରୋଇ ଠାରେ ଦେବୀନଦୀରେ ମିଶିଛି। ସେହିପରି ବାଉଁଶ ଯୋରୀ ନାଳଟି ଜାମୁଗାଁ ପଂଚାୟତ ଛତିଆନା ନିକଟରୁ ବାହାରି ଡାବର, ତିରୁଣା, କୋରୁଅ ପଂଚାୟତର ତେଲସରା ନିକଟରେ ଦେବୀନଦୀରେ ମିଶିଛି। ଏହି ଦୁଇଟି ନାଳ ଜଳ ନିକାସ ବିଭାଗର ଜଗତସିଂହପୁର ଡିଭିଜନ ଅଧୀନରେ ରହିଛି। ଏହି ନାଳ ମାଧ୍ୟମରେ ନାଉଗାଁ ବ୍ଳକର ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ହୋଇଥାଏ। ନାଳ ସଫେଇ ବିଷୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତଙ୍କୁ ପଚାରିବାରେ ନିଯୁକ୍ତ ଠିକାଦାର ସହ କଥା ହୋଇ ଶୀଘ୍ର ସଫେଇ କରିବାକୁ କୁହାଯିବ ବୋଲି ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ