ବିକାଶରୁ ବହୁ ଦୂରରେ ଆଦିବାସୀ ଗାଁ ତାଡିଝୁଲା ରାସ୍ତା ନାହିଁ, ପାଣି ନାହିଁ, ଆଲୁଅ ନାହିଁ
କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି):ଗାଁରେ ଟ୍ରାନ୍ସଫର୍ମର ବସିଛି, ବିଦ୍ୟୁତ୍ ଖୁଣ୍ଟ ଅଛି, ତାର ଟଣା ହୋଇଛି, କିନ୍ତୁ ବିଜୁଳି ନାହିଁ। ବର୍ତମାନ ବିଦ୍ୟୁତ୍ ଉପଭୋକ୍ତା ୧୨ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଥିବା ଅଭିଯୋଗ ହୋଇଛି। ସେଭଳି ଗାଁକୁ ରାସ୍ତା ନାହିଁ,ପାନୀୟଜଳ ପାଇଁ ବାଲିଚୁଆ ଉପରେ ଭରସା କରିଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଆଦିବାସୀ ଅଧ୍ଯୁଷିତ ବେଡାଗାଁ ପଞ୍ଚାୟତ ଅନ୍ତର୍ଗତ ତାଡିଝୁଲା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି, ସୂଚନା ମୁତାବକ, ତାଡିଝୁଲା ଗାଁରେ ୧୦ ଘର କୁଟିଆ କନ୍ଧ ସମ୍ପ୍ରଦାୟର ଲୋକ ସ୍ବାଧୀନତା ପୂର୍ବରୁ ବସବାସ କରି ଆସୁଛନ୍ତି। ପାନୀୟଜଳ ପାଇଁ ଗୋଟିଏ ନଳକୂଅ ରହିଛି।୧୫ ବର୍ଷ ହେଲା ନଳକୂପ ଟି ଦାହନୀୟ ଅବସ୍ଥାରେ ରହିଥିବା ଯୋଗୁଁ ଆବଶ୍ୟକ ପରିମାଣର ପାଣି ମିଳୁନାହିଁ। ତେଣୁ ଗାଁ ନିକଟସ୍ଥ ଆଲିମରା ଡଙ୍ଗରରୁ ଆସୁଥିବା ପାଣିକୁ ଏକ କୁଣ୍ଡ କରି ସେହି କୁଣ୍ଡରେ ଏକ ପାଇପ ଲଗାଇ ସେହି ପାଣିକୁ ପାନୀୟଜଳ ଭାବେ ଶୋଷ ମେଣ୍ଟାଇବା ଅତ୍ୟନ୍ତ ଦୁଃଖଦ ଘଟଣା। ଯାହା ଫଳରେ ଖୋଲା ଆକାଶ ତଳେ ଥିବା ଏହି କୁଣ୍ଡର ପାଣି ଗୋଳିଆ ହୋଇ ରହିଥିବା ବେଳେ ସେହି ପାଣିରେ ବନ୍ୟପ୍ରାଣୀ, କୀଟ ପଟଙ୍ଗ, ଆବର୍ଜନା ବସ୍ତୁ ପଡ଼ି ରହିଥିବାରୁ ସେହି ପାଣିକୁ ଲୋକେ ଗାଧେଇବା ଓ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା ସହିତ ସେହି ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରିବା ଯୋଗୁଁ ଏହି ଗାଁ ଲୋକଙ୍କ ଶରୀରରେ ରୋଗ ଘର କରି ରହିଛି। ସେହିଭଳି ଆଜିକୁ ୧୨ ବର୍ଷ ପୂର୍ବେ ଗାଁର ୪ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା।ତେବେ ବିଦ୍ୟୁତ୍ ସଂଯୋଗର ମାତ୍ର ଏକ ମାସ ଆଲୁଅ ଜଳିବା ପରେ ଟ୍ରାନ୍ସଫର୍ମର ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେହିଦିନଠାରୁ ଗାଁରେ ବିଜୁଳି ନାହିଁ। ଟ୍ରାନ୍ସଫର୍ମର ମରାମତି ପାଇଁ ବାରମ୍ବାର ଦାବି ହେଲେ ବି ବିଭାଗୀୟ ଅଧିକାରୀ ଶୁଣୁ ନଥିବା ଗାଁ ଲୋକେ କହୁଛନ୍ତି। ଅନ୍ୟପଟେ ସନ୍ଧ୍ୟା ହେଲେ ବନ୍ୟପ୍ରାଣୀ ଓ ହାତୀର ଭୟରେ ଥରୁଛି ଗାଁ। ଗାଁକୁ ହାତୀପଲ ଆସିବା ଜାଣିପାରି ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଜଗି ରହୁଛନ୍ତି । ଗାଁରେ ବିଦ୍ୟୁତ୍ ନଥିବା ଯୋଗୁଁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି। ସ୍ବାଧୀନତା ପୂର୍ବରୁ ବସବାସ କରୁଥିବା ଏହି ଗାଁର ମୁଖ୍ୟ ସମସ୍ୟା ହେଉଛି ରାସ୍ତା।ଦେହେଡା ଗାଁ ଠାରୁ ଏହି ଗାଁ ୧ କିମି ଦୂର ରହିଥିବା ବେଳେ କେବଳ ପାଦଚଲା ରାସ୍ତା ଅଛି।ଗାଁକୁ ଆମ୍ବୁଲାନ୍ସ ଯିବା ଦୂରର କଥା ବାଇକ ଯିବା କଷ୍ଟ କଷ୍ଟକର ହୋଇ ପଡୁଛି।ଯାହା ଫଳରେ ଗୁରୁତର ରୋଗୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଦେହେଡା ଗାଁ ପର୍ଯ୍ୟନ୍ତ ଖଟିଆରେ ବୋହିକି ନେବାକୁ ପଡୁଛି।ଗାଁରେ ସ୍କୁଲ ନଥିବା ଯୋଗୁଁ ସେହି ଲଟାବୁଡ଼ା ପାଦଚଲା ରାସ୍ତାରେ ପିଲା ନିକଟସ୍ଥ ଗାଁ ଦିନ୍ଧିବାହିଲି ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ନିକଟସ୍ଥ ଦେହେଡା ଗାଁ ଅଙ୍ଗନବାଡି କେନ୍ଦ୍ରକୁ କୋମଳମତି ଶିଶୁମାନଙ୍କୁ ନେଇ ମା ମାନେ ଯାଉଛନ୍ତି।ଏଣୁ ଏଥିପ୍ରତି ଜିଲ୍ଲା ଉଚ୍ଚସ୍ତରୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।