ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ପଞ୍ଚମ ଶ୍ରେଣୀର 7 ଓ ଅଷ୍ଟମ ଶ୍ରେଣୀର 4 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତିରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ  ଭବିଷ୍ୟତ ସହ ବିଦ୍ୟାଳୟ ପରିଚାଳନା କମିଟି ଖେଳ ଖେଳିବା ଯୋଗୁଁ ପଞ୍ଚମ ଶ୍ରେଣୀର 7 ଜଣ ଓ ଅଷ୍ଟମ ଶ୍ରେଣୀର 4 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜଣା ପଡିଛି. ସୂଚନାରୁ ପ୍ରକାଶ, ଏହି ଜିଲ୍ଲା ମୋହନାରେ ଅବସ୍ଥିତ ଏକ ମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଚଳିତ ବର୍ଷ ୯ ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି  ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାର୍ଥୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍ ଓ ଫେଲ ବ୍ୟବସ୍ଥା ସହ ବୋର୍ଡ ପରୀକ୍ଷା ଲାଗୁ ହୋଇଛିି। ଚଳିତ ବର୍ଷ ଯେଉଁ ବିଦ୍ୟାଳୟ ଗୁଡିକ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ତରଫରୁ ପରମିଶନ ଓ ଏନଓସି ପାଇଛନ୍ତି ସେ ବିଦ୍ୟାଳୟ ଗୁଡିକୁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଵତନ୍ତ୍ର ପ୍ୟାକେଟରେ ପରୀକ୍ଷା ପ୍ରଶ୍ନପତ୍ର ଯୋଗାଇ ଦିଆଯାଉଛି। କିନ୍ତୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ୨୦୨୧-୨୨ ମସିହାରୁ ଏନଓସି ,ଭାଲିଡିଟି ସରିଯାଇଛି। ବିଦ୍ୟାଳୟ କର୍ତ୍ତୁପକ୍ଷ ରିନୁଆଲ କରିନାହାନ୍ତି। ବିଦ୍ୟାଳୟରେ ଅଧ୍ୟୟନରତ ପଞ୍ଚମ ଶ୍ରେଣୀର ୭ଜଣ ଓ ୮ମ ଶ୍ରେଣୀର ୪ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ସରକାରୀ ନଥିପତ୍ର ଠିକ୍ ନ ଥିବାରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରଶ୍ନପତ୍ର ମିଳିପାରିନାହିଁ। ଯାହାଫଳରେ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ  ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ଭବିଷ୍ୟତ ଅନ୍ଧକାର ବୋଲି ଅଭିଭାବକ ମାନେ କହିଛନ୍ତି। ବିଦ୍ୟାଳୟର ପରିଚାଳନା କମିଟି କେବଳ ନାମକୁ ମାତ୍ର ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ସଂପର୍କରେ ବିଦ୍ୟାଳୟର ସମ୍ପାଦକ ଓ ଅଧ୍ୟକ୍ଷ ସଠିକ ଉତ୍ତର ଦେଇ ପାରିନଥିବା ବେଳେ ବିଏସଏସଓ, ଡ଼ିଏସଏସଓ, ବିଇଓ, ଡ଼ିଇଓ           ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି। ବିଦ୍ୟାଳୟରେ ଦୀର୍ଘବର୍ଷ ହେଲା ଅବ୍ୟବସ୍ଥା ଲାଗି ରହି ଆସୁଥିବାରୁ କୌଣସି ନିୟମିତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ କର୍ମଚାରୀ କିଛି ଦିନ ରହିବା ପରେ ବିଦ୍ୟାଳୟ ଛାଡ଼ି ଚାଲିଯାଉଛନ୍ତି।କର୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ବିପଥଗାମୀ ହେବାକୁ ବସିଛି। ଯାହା ଫଳରେ ପାଠ ପଢ଼ା ବାଧାପ୍ରାପ୍ତ ହେବା ସହ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ। ସରକାର ଖୁବ୍ ଶୀଘ୍ର ଏ ଦିଗ ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ