ଭାବଗ୍ରାହୀ କଳାନିକେତନ ଏକ ବିହଙ୍ଗାବଲୋକନ

କେନ୍ଦ୍ରାପଡା: ସମୟ ଆଉ ସ୍ରୋତକୁ ଅଟକାଇ ହୁଏ ନାହିଁ । ସମୟ ଗଡି ଚାଲିଛି । ୧୯୮୮ମସିହା ଜାନୁଆରୀ ୩ତାରିଖରୁ ୨୦୨୦ମସିହା ଜାନୁଆରୀ ୩ତାରିଖ । ସୁଦୀର୍ଘ ୩୩ବର୍ଷର ନିରବଛିନ୍ନ ଯାତ୍ରା । କେତେ ବାଧାବିଘ୍ନ ,ଘାତ ପ୍ରତିଘାତ ଏବଂ ତିକ୍ତ ମଧୁର ଅନୁଭୂତିକୁ ପାଥେୟ କରି ଅଗ୍ରଣୀ ପଥରେ ଆଗେଇ ଚାଲିଛି ଅନୁଷ୍ଠାନ । ମନେ ପଡୁଛି ସେଦିନ ମୁଁ ମୋର ଜଣେ ପ୍ରିୟ ବନ୍ଧୁ ନିରାକାର ସହିତ ସାକ୍ଷାତ କରି ଘରକୁ ଫେରୁଥାଏ । ବାରୁଅ ଷ୍ଟାଣ୍ଡରେ ପହଁଚିଲା ପରେ ମୋର ଅନୁଜୋପମ ସଞ୍ଜୟ ମୋତେ କହିଲା ‘ଖୋକାଭାଇ’(ମୁଁ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଉଥିବାରୁ ଶ୍ରଦ୍ଧାରେ କିଛି ଯୁବ ବନ୍ଧୁ ମୋତେ ଖୋକାଭାଇ ବୋଲି ଡାକନ୍ତି)ତୁମେ କୁଆଡେ ଯାଉଛ ଯେ ସଞ୍ଜବେଳେ ଟିକେ ସୁଖଦୁଃଖ ହେବାକୁ ଚାହିଁଲେ ବି ତୁମ ଦେଖା ମିଳୁନି । ମୁଁ ଉତ୍ତରରେ କହିଲି ବ୍ୟସ୍ତ ହେବାର ନାହିଁ । ଏଣିକି ସବୁବେଳେ ଦେଖା ହେବ । କାରଣ ବାପାଙ୍କ ନାମରେ ଗୋଟେ ସଂଗୀତ ଅନୁଷ୍ଠାନ ଗଢିବାକୁ ଭାବୁଛି । ପାଖରେ ଥିବା ପିଲାମାନେ କହିଲେ ଭଲହେବ । ଇଏ ହେଲା ୧୯୮୭ମସିହା ଡିସେମ୍ବର ମାସର କଥା । ତା ପରେ ‘ଭାବଗ୍ରାହୀ କଳା ନିକେତନ”ନାମରେ ନୃତ୍ୟ ସଂଗୀତ ଶିକ୍ଷାନୁଷ୍ଠାନ ଖୋଲିବାକୁ ସ୍ଥିର କଲି । ଆମ ବାରୋ ଗ୍ରାମପଂଚାୟତର ପ୍ରାୟ ୩୫ଜଣ ବୁଦ୍ଧିଜିବୀ ତଥା ସମ୍ମାନସ୍ପଦ ବ୍ୟକ୍ତିମାନଙ୍କୁ ସଭ୍ୟ ଭାବରେ ଗ୍ରହଣ କରି ୧୯୮୮ ମସିହା ଜାନୁଆରୀ ୩ତାରିଖରେ ତତକାଳୀନ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ବରେଣ୍ୟ ଅଧ୍ୟକ୍ଷ କେ.ଶ୍ରୀନିବାସନଙ୍କ କରକମଳରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଅନୁଷ୍ଠାନ ଉଦଘାଟିତ ହେଲା । ପ୍ରାଧ୍ୟାପକ ମୋହନ ଚରଣ ଜେନା ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ । ଭବ୍ୟ ସଭାରେ ଶିକ୍ଷକ ଶ୍ରୀରାମ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ । ବାରୋ ପଂଚାୟତର ପ୍ରାକ୍ତନ ସରପଂଚ ମାଧବ ସ୍ୱାଇଁଙ୍କ ଘରେ ଭାବଗ୍ରାହୀ କଳା ନିକେତନ ଆରମ୍ଭ ହେଲା । ସଂଗୀତ ଗୁରୁ ଭାବରେ ସାନଭାଇ ବିଶ୍ୱନାଥ ମିଶ୍ର ଏବଂ ବାଦ୍ୟ ଗୁରୁ ଭାବରେ ସମୀରଞ୍ଜନ ଦାସଙ୍କ ତତ୍ୱାବଧାନରେ ସଂଗୀତ ଓ ତବଲା ବାଦ୍ୟ ଶିକ୍ଷା ଆରମ୍ଭ ହେଲା । ମାତ୍ର ସେହି ସମୟରେ ବିଶ୍ୱନାଥ ମିଶ୍ର ମୁଣ୍ଡୁଳିର ନବୋଦୟ ବିଦ୍ୟାଳୟରେ ସଂଗୀତ ଶିକ୍ଷକ ଭାବେ ନିଯୁକ୍ତି ପାଇବାରୁ ଶିକ୍ଷକ ପ୍ରମୋଦ କୁମାର ଦାସ ଓଡିଶୀ ସଂଗୀତ ଶିକ୍ଷାଦାନର ଦାୟିତ୍ୱ ନେଲେ । ପରେ ପରେ ଓଡିଶା ନୃତ୍ୟ ଗୁରୁ ସଂଯୁକ୍ତା ଦାସ ନୃତ୍ୟ ଶିକ୍ଷା ଭାର ସମ୍ଭାଳି ଥିଲେ । ଅନୁଷ୍ଠାନ ପ୍ରତିଷ୍ଠା ହେବା ଦିନ ଠାରୁ ଆକାଶବାଣୀ,କଟକ,ଦୁରଦର୍ଶନକେନ୍ଦ୍ର କଟକ ଏବଂ ଏସ.ଆଇ.ଇ.ଟି.ଭୂବନେଶ୍ୱର ମାଧ୍ୟମରେ ବିଭିନ୍ନ ଶିକ୍ଷା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରିବା ଆରମ୍ଭ ହୋଇଯାଇଥିଲା । ବିଶେଷକରି ଆକାଶବାଣୀ କଟକ କେନ୍ଦ୍ରର ବିଭିନ୍ନ ବିଭାଗରେ ଭାବଗ୍ରାହୀ କଳାନିକେତନ ଦ୍ୱାରା ପ୍ରସ୍ତୁତ ସଂଗୀତ ରୂପକ ବହୁ ଜନପ୍ରିୟ ହୋଇ ପାରିଥିଲା । ପ୍ରାୟ ୧୯୯୦ମସିହା ବେଳକୁ କଳା ନିକେତନ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହାୟତାରେ ଜନ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ, ପାଲା, ଦାସକାଠିଆ, ଘୋଡାନାଚ, ଲୋକନୃତ୍ୟ ଆଦି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିଲା । ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱାଗତ ସଂଗୀତ ପାଇଁ ଭାବଗ୍ରାହୀ କଳା ନିକେତନକୁ ଖୋଜା ପଡିଥାଏ ।

ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ , ଭାରତ ସରକାରଙ୍କ ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର, ୟୁନିସେଫ, ଅକସଫାମ, ଆକସନଏଡ,ଏଲ.ଡବ୍ଲୁ.ଏସ. ଭଳି ସଂସ୍ଥାମାନଙ୍କ ସହାୟତାରେ ଭାବଗ୍ରାହୀ କଳା ନିକେତନ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଜନ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଆସୁଛି । ୨୦୧୭-୧୮ରେ ଆମେରିକାର ଏମୋରି ୟୁନିଭରସିଟି ସହବନ୍ଧନରେ ପୁରୀର ଡେଲାଙ୍ଗ ଅଚଂଳରେ ପରିମଳ ଉପରେ ଆଧାରିତ ପାଇଲଟ ପ୍ରୋଜେକ୍ଟରେ ସଫଳତାର ସହିତ ଜନସଚେତନତା ଧର୍ମୀ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ସଂପ୍ରତି ଅନୁଷ୍ଠାନର କଳାକାରମାନେ ଓଡିଶା ତଥା କେନ୍ଦ୍ରାପଡାର କଳା ସଂସ୍କୃତିର ପ୍ରଚାର ପ୍ରସାରରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି । ବଳଦେବଜୀଉ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବଳଦେବଙ୍କ ଉପରେ ଆଧାରିତ ଅନେକ ଭଜନ ରେକର୍ଡ କରାଯାଇଅଛି । ଅନୁଷ୍ଠାନ ଦ୍ୱାରା ବହୁ କଳାକାର ସୃଷ୍ଟି ହୋଇଛନ୍ତି । ସେମାନେ କାର୍ଯ୍ୟକୁ ବୃତ୍ତିକରି ସମ୍ମାନର ସହିତ ଜୀବିକା ନିର୍ବାହ କରୁଛନ୍ତି । ଆଜି ଅନୁଷ୍ଠାନର ନିଜସ୍ୱ ଗୃହ,ନିଜସ୍ୱ ସାଉଣ୍ଡ ସିଷ୍ଟମ,ବାଦ୍ୟଯନ୍ତ୍ର,ପୋଷାକ ପରିଛଦର ବ୍ୟବସ୍ଥା ହୋଇପାରିଛି । ନୃତ୍ୟଗୁରୁ ପ୍ରଶାନ୍ତ ମହାରଣାଙ୍କ ତତ୍ୱାବଧାନରେ ଛାତ୍ରୀମାନେ ନୃତ୍ୟଶିକ୍ଷା କରି ଅନୁଷ୍ଠାନ ପାଇଁ ବହୁ ପ୍ରସଂଶା ସାଉଁଟି ପାରିଛନ୍ତି । ବର୍ଷ ତମାମ ଭାବଗ୍ରାହୀ କଳା ନିକେତନ ଭଜନ, ନୃତ୍ୟ, ଅକ୍ଷୟ ସଂଗୀତ, ପଥପ୍ରାନ୍ତ ନାଟକ, ସମବେତ କଣ୍ଠ ସଂଗୀତ ପରିବେଷଣ କରିବାରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ବେଶ ସୁନାମ ଅର୍ଜ୍ଜନ କରିପାରିଛି । ଆଜି ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ଯେଉଁମାନଙ୍କ ନିସ୍ୱାର୍ଥପର ସମର୍ପିତ ଯୋଗଦାନ ଅନୁଷ୍ଠାନର ଉତ୍ତରତ୍ତୋର ଉନ୍ନତିରେ ସହାୟକ ହୋଇଛି ସେମାନଙ୍କୁ କୃତଜ୍ଞତା ଜଣାଉଛି । ଆଜିର ଏଇ ଅବସରରେ ଅନୁଷ୍ଠାନର ଶିଳ୍ପୀ ସୂର୍ଗତ ନନ୍ଦ କିଶୋର ବାରିକ, ଶୁକଦେବ ଦାସ, ଅଲେଖ ଚନ୍ଦ୍ର ପରିଡା, ଚନ୍ଦ୍ରକାନ୍ତି ସୂତାର, ସୋନାଲି ସୂତାର, ମୋର ପୂଜ୍ୟା ବୋଉ ସରୋଜିନୀ ପରିଡା, ସଂଗୀତ ନିର୍ଦେଶକ ପୂର୍ଣ୍ଣ ଖୁଂଟିଆ, ତବଲା ବାଦକ ରାଧାକାନ୍ତ ବଳ, ବିଶିଷ୍ଟ ଜନନାୟକ ଭାଗବତ ପ୍ରସାଦ ମହାନ୍ତି,ପ୍ରାକ୍ତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲ ଏବଂ ଯଶସ୍ୱୀ ସ୍ତମ୍ବକାର ଦିବାକର ବିଶ୍ୱାଳଙ୍କୁ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ସେମାନଙ୍କ ।ମର ଆତ୍ମାର ସଦଗତି କାମନା କରୁଛି । ଅନୁଷ୍ଠାନର ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ କେନ୍ଦ୍ରାପଡା ପୁସ୍ତକ ମେଳାରେ ଚିରସବୁଜ ଅକ୍ଷୟ ମହାନ୍ତି ସଂଗୀତ ସନ୍ଧ୍ୟା,ଶ୍ରୀବଳଦେବଜୀଉ ମନ୍ଦିରରେ ନବାଙ୍ଗ ବେଢା ଭଜନ ସମାରୋହ,ଚାନ୍ଦୋଳ ଅନ୍ତର୍ଗତ ବାଙ୍କିମୁଣ୍ଡାଇ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ଉତ୍ସବ,ବଡହାଟ ବାଇ ଠାକୁରାଣୀ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ତାରିଣୀ ମେଳାରେ ଭଜନ ସନ୍ଧ୍ୟା,ପଲ୍ଲୀଶ୍ରୀ ମେଳା ଏବଂ ଅନାନ୍ୟ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାଗତ ସଂଗୀତ ପରିବେଷଣ ବେଶ ପ୍ରଣୀଧାନ ଯୋଗ୍ୟ । ଏହା ବ୍ୟତିତ ଅନୁଷ୍ଠାନରେ ଗୁରୁପୂର୍ଣ୍ଣିମା ଉତ୍ସବ,ବିଶ୍ୱ ସଂଗୀତ ଦିବସ,ଜାତୀୟ ହିନ୍ଦୀ ଦିବସ,ଅକ୍ଷୟ ମହାନ୍ତି,ଭିକାରୀ ବଳ,ଭାବଗ୍ରାହୀ ପରିଡା,ସରୋଜିନୀ ପରିଡାଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧୋତ୍ସବ ଯଥାବିଧି ପାଳନ କରାଯାଏ । ନେହେରୁ ଯୁବ କେନ୍ଦ୍ର ସହାୟତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଭାବଗ୍ରାହୀ କଳାନିକେତନର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ସୂଚୀ ଏହାର ଜନପ୍ରିୟତାର ଜ୍ୱଳନ୍ତ ନିଦର୍ଶନ । ସୁଦୀର୍ଘ ୩୩ବର୍ଷର ନିରବଛିନ୍ନ ପ୍ରଚେଷ୍ଠା ଭାବଗ୍ରାହୀ କଳାନିକେତନକୁ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ମାନ୍ୟତା ପ୍ରଦାନ କରିପାରିଛି । ଆଗାମୀ ଦିନରେ ଏକ ଗୋଷ୍ଠି ବେତାର କେନ୍ଦ୍ର ପ୍ରତିଷ୍ଠା କରିବାକୁ ଏହାର ଉଦ୍ୟମ ଜାରି ରହିଛି । ଆଜି ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ନୂତନ ବର୍ଷ ୨୦୨୦ ଉପଲକ୍ଷେ ଅନେକ ଶୁଭେଛା ଏବଂ ଅଭିନନ୍ଦନ ଜଣାଇବା ସହିତ କଳା ନିକେତନର ଉତ୍ତରତ୍ତୋର ଉନ୍ନତି କାମନା କରୁଛି ।

ପ୍ରତିଷ୍ଠାତା ସମ୍ପାଦକ
ବିମଳ ପ୍ରସାଦ ପରିଡା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ