ଗରିବୀ ହଟାଅ କାର୍ଯ୍ୟକ୍ରମ କ’ଣ ଏକ ପ୍ରହସନ ?

ଅମିନୀଲୁ ରାୟ
ସ୍ୱର୍ଗତ ଇନ୍ଦିରା ଗାନ୍ଧି ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ରାଜା ମହାରାଜାଙ୍କ ହାତପାଣ୍ଠି ଉଛେଦ, ଭୂସଂସ୍କାର ଏବଂ ବ୍ୟାଙ୍କ୍ ଜାତୀୟକରଣ ଭଳି କେତୋଟି ବୈପ୍ଳବିକ ପଦକ୍ଷେପ ଗ୍ରହଣ କରି ଅର୍ଥନୀତିର ସଂସ୍କାର ଆଣିବାକୁ ଚାହିଁଥିଲେ । ୧୯୭୫ ମସିହାରେ ସେ ଯେଉଁ ବିଂଶ ସୂତ୍ରୀ କାର୍ଯ୍ୟକ୍ରମଟି ଘୋଷଣା କରିଥିଲେ, “ଗରିବୀ ହଟାଅ” କାର୍ଯ୍ୟକ୍ରମଟି ଥିଲା ତାର ଏକ ଅଂଶବିଶେଷ । ୧୯୮୨ ମସିହାରେ ସେ ଏହାକୁ ସଂଶୋଧନ କରି କାର୍ଯ୍ୟକ୍ରମଟିକୁ ନୂତନ ରୂପ ପ୍ରଦାନ କରିଥିଲେ । ଏବେ ମଧ୍ୟ ସରକାରଙ୍କ ଦ୍ୱାରା ଏହି ଯୋଜନାଟି କାର୍ଯ୍ୟକାରୀ କରାଯାଉଛି । କୃଷକ, ଶ୍ରମିକ, ଆଦିବାସୀ, ହରିଜନ ତଥା ଭୂମିହୀନ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ଜାତୀୟ ଆୟ ବୃଦ୍ଧି କରିବା ହେଉଛି ଏହି ଯୋଜନାର ପ୍ରଧାନ ଲକ୍ଷ୍ୟ ।
ଇଂରେଜ ଶାସନ ସମୟରେ ଇଂରେଜ ସରକାର ଦେଶର ଧନୀ ଜମିଦାରମାନଙ୍କୁ ପୋଷିବା ବ୍ୟତୀତ କୋଟି କୋଟି ଦରିଦ୍ର ଖଟିଖିଆଙ୍କ ନିମନ୍ତେ କୈାଣସି କଲ୍ୟାଣକର କାର୍ଯ୍ୟକ୍ରମ ହାତକୁ ନେଇ ନଥିଲେ । ଏପରିକି କିରାଣୀ ଓ କନେଷ୍ଟବଳ ଚାକିରି ବ୍ୟତୀତ ତଦୁର୍ଦ୍ଧ ଚାକିରିରେ ଦେଶୀୟ ଲୋକଙ୍କୁ ନିଯୁକ୍ତ କରିବାକୁ ପସନ୍ଦ କରୁନଥିଲେ । ଜାତୀୟ ଆୟ ସମ୍ପର୍କରେ ସର୍ଭେ କରାଯିବା ପାଇଁ ସରକାରୀ ସ୍ତରରେ ସେତେବେଳେ କୈାଣସି ବ୍ୟବସ୍ଥା ମଧ୍ୟ ନଥିଲା । ଦାଦା ଭାଇ ନାରୋଜୀ, ଡଃ. ଭି. କେ. ଆର. ରାଓ ପ୍ରମୁଖ ସେତେବେଳେ ବ୍ୟକ୍ତିଗତ ଭାବେ ଜାତୀୟ ଆୟ ସମ୍ପର୍କରେ ସମୀକ୍ଷା କରି ବିବରଣୀ ପ୍ରଦାନ କରିଥିଲେ । ୧୯୧୧ ବେଳକୁ ଭାରତରେ ବାର୍ଷିକ ମୁଣ୍ଡପିଛା ଜାତୀୟ ଆୟ ଥିଲା ୪୯ ଟଙ୍କା, ୧୯୩୧-୩୨ ବେଳକୁ ଏହାର ପରିମାଣ ୬୫ ଟଙ୍କା ହୋଇଥିବା ସ୍ଥଳେ ୧୯୪୭-୪୮ ବେଳକୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଆନୁକୂଲ୍ୟରେ କରାଯାଇଥିବା ସର୍ଭେ ଅନୁଯାୟୀ ଏହାର ହାର ଥିଲା ୨୭୨ ଟଙ୍କା । ଦେଶ ସ୍ୱାଧୀନତା ପରେ ୧୯୪୯ ମସିହା ଅଗଷ୍ଟ ମାସରେ ପ୍ରଥମ କରି ପ୍ରଫେସର ପି.ସି.ମହଲାନ୍ବିସ୍ଙ୍କ ଅଧ୍ୟକ୍ଷତାରେ ଜାତୀୟ ଆୟ କମିଟି ନାମରେ ଗୋଟିଏ ସଂସ୍ଥା ଗଠନ କରାଗଲା । ଏବେ ସରକାରଙ୍କ ତରଫରୁ ପ୍ରତି ବର୍ଷ ଜାତୀୟ ଆୟର ସମୀକ୍ଷା କରାଯାଉଛି । ଏହି ସମୀକ୍ଷା ଅନୁଯାୟୀ ୧୯୮୭-୮୮ ବର୍ଷ ବେଳକୁ ସର୍ବ ଭାରତୀୟ ସ୍ତରରେ ୩୯% ଲୋକ ଦାରିଦ୍ର‌୍ୟର ସୀମାରେଖା ତଳେ ଥିବାବେଳେ ଏହି ହାର ହ୍ରାସ ପାଇ ୨୦୦୦ ମସିହା ବେଳକୁ ହୋଇଛି ୨୬% । ୨୦୧୫ ବେଳକୁ ଏହାକୁ ୧୦%କୁ ଖସାଇ ଆଣିବାର ଲକ୍ଷ୍ୟ ରଖାଯାଇଛି । ଅଷ୍ଟମ ଯୋଜନା ପୂର୍ବରୁ ପରିବାରର ବାର୍ଷିକ ଆୟ ୬,୪୦୦ ଟଙ୍କାକୁ ଦାରିଦ୍ର‌୍ୟର ସୀମାରେଖା ବୋଲି ଧରାଯାଇଥିବାବେଳେ ଅଷ୍ଟମ ଯୋଜନାରେ ଏହି ସୀମାକୁ ୧୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଅବଶ୍ୟ ଜାତୀୟ ଅଭିବୃଦ୍ଧିର ସୂଚନା, କିନ୍ତୁ ଦରଦାମ ବୃଦ୍ଧି ଓ ମୂଦ୍ରା ମୂଲ୍ୟ ହ୍ରାସ କାରଣରୁ ଏହି ସୀମାରେଖା ବୃଦ୍ଧି ପାଇଛି ବୋଲି କହିଲେ ଭୂଲ ହେବ ନାହିଁ ।
ଦାରିଦ୍ର‌୍ୟ ଦୂରୀକରଣ ଦିଗରେ ସରକାର ଅଷ୍ଟମ ଯୋଜନାରେ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । କୃଷି ଶ୍ରମିକ ଓ ଖଣି ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରି ସ୍ଥିର କରାଯିବା ସଙ୍ଗେ ସଙ୍ଗେ ବିଡି ଶ୍ରମିକମାନଙ୍କ ପାଇଁ ଗ୍ରୁପ୍ ଇନ୍ସୁରାନ୍ସ ବ୍ୟବସ୍ଥା କରାଯାଇଥିଲା । ଭାରତର ଗ୍ରାମାଂଚଳରେ ଶତକଡା ପ୍ରାୟ ୬୫ ଭାଗ ଲୋକ ବାସ କରନ୍ତି । ଏମାନଙ୍କ ମଧ୍ୟରୁ ଦାରିଦ୍ର‌୍ୟର ସୀମାରେଖା ତଳେ ବାସ କରୁଥିବା ଲୋକମାନଙ୍କର ସଂଖ୍ୟା ଅଧିକ । ଗ୍ରାମାଂଚଳରେ ଏହି ଦରିଦ୍ରଶ୍ରେଣୀ ଲୋକମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ନିମନ୍ତେ କେନ୍ଦ୍ର ସରକାରଙ୍କ ସହାୟତାରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଗୁଡିକ ମଧ୍ୟରେ ଜବାହର ରୋଜଗାର ଯୋଜନା, ସ୍ୱର୍ଣ୍ଣ ଜୟନ୍ତୀ ଶ୍ରମ ସ୍ୱରୋଜଗାର ଯୋଜନା, ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା, ବର୍ଷରେ ଅତି କମ୍ରେ ୧୦୦ ଦିନ ପର୍ଯ୍ୟନ୍ତ କାମ ଯୋଗାଇବା ପାଇଁ ଉଦ୍ଦିଷ୍ଟ କର୍ମ ନିଯୁକ୍ତି ଯୋଜନା ଉଲ୍ଲେଖଯୋଗ୍ୟ । ଏହା ବ୍ୟତୀତ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପରିବାରକୁ ସ୍ୱଳ୍ପ ମୂଲ୍ୟରେ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛି । ତତ୍ ସହିତ ଭୂମିହୀନମାନଙ୍କୁ ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ଘର ଡିହ ମଧ୍ୟ ଯୋଗାଇ ଦିଆଯାଉଛି । ଏସବୁ ବ୍ୟତୀତ ଅଷ୍ଟମ ଯୋଜନାରେ ଦରିଦ୍ର ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଯେଉଁ ସବୁ ବ୍ୟବସ୍ଥାମାନ କରାଯାଇଥିଲା ସେଗୁଡିକ ମଧ୍ୟରେ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି, ଭୂସଂସ୍କାର କାର୍ଯ୍ୟକ୍ରମ, ବାସ ଗୃହ ଯୋଗାଣ, ମେହେନ୍ତର ପ୍ରଥାର ବିଲୋପକରଣ, ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଗ୍ରାମାଂଚଳର ସମସ୍ତ ପରିବାରକୁ ସୁବିଧାଜନକ ରନ୍ଧନ ବ୍ୟବସ୍ଥା ଯୋଗାଣ, ଗ୍ରାମାଂଚଳର ୧୦ ନିୟୁତ ପରିବାରକୁ ବିଦ୍ୟୁତ ଲାଇନ୍ ସଂଯୋଗ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ନବମ ଓ ଦଶମ ଯୋଜନାରେ ମଧ୍ୟ ଦାରିଦ୍ର‌୍ୟ ଦୂରୀକରଣ, ଗ୍ରାମାଂଚଳ ବିକାଶ ଓ କୃଷିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।
ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ସରକାର ଯେତେ ଆତ୍ମ ପ୍ରଚାର କଲେ ମଧ୍ୟ ଏହା ଯେ ସଫଳ ହୋଇ ପାରି ନାହିଁ, ଏଥିରେ କୈାଣସି ସନ୍ଦେହ ନାହିଁ । ଧନୀ ଓ ଦରିଦ୍ରମାନଙ୍କ ମଧ୍ୟରେ ଥିବା ବ୍ୟବଧାନ ହ୍ରାସ ପାଇବା ପରିବର୍ତେ ବରଂ କ୍ରମେ ବଢି ବଢି ଯାଉଛି । ଧନୀମାନେ ଦିନକୁ ଦିନ ଧନୀ ହେଉଥିବା ସ୍ଥଳେ ଦରିଦ୍ରମାନେ ଦରିଦ୍ରତର ହେଉଛନ୍ତି । ଜାତୀୟ ସମ୍ପତିର ଅର୍ଦ୍ଧାଧିକ କେତେକ ମୁଷ୍ଟିମେୟ ଲୋକଙ୍କ ହାତରେ ଠୁଳ ହୋଇଛି । ଧନୀ ପୁଞ୍ଜିପତିମାନେ ଶାସନକଳକୁ ନିୟନ୍ତ୍ରଣ କରୁଛନ୍ତି । ଯୋଜନା ଅର୍ଥ ଉଚିତ ମାର୍ଗରେ ବିନିଯୁକ୍ତ ନ ହେବାରୁ ସାଧାରଣ ଲୋକେ ତାର ସୁଫଳ ପାଇପାରୁ ନାହାନ୍ତି । ଦେଶରେ ବେକାରୀ ବଢୁଛି । କ୍ଷୁଧା ଓ ଅନାହାରଜନିତ ମୃତ୍ୟୁ ସଂଖ୍ୟାକୁ ରୋକାଯାଇପାରୁ ନାହିଁ । ସବୁଠାରୁ ଅଧିକ ଉଦ୍ବେଗକର ଘଟଣା ହେଉଛି ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । ଅଭାବ ଓ ଦାରିଦ୍ର‌୍ୟ କାରଣରୁ ସମାଜରେ ବହୁ ପ୍ରକାର ଅପରାଧ ଘଟୁଛି । ଶିଶୁ ଶ୍ରମିକ ପ୍ରଥାକୁ ବେଆଇନ ବୋଲି କୁହାଯାଇଥିଲେ ମଧ୍ୟ ଲକ୍ଷ ଲକ୍ଷ ଶିଶୁ ଆହାର ମୁଠାଏ ପାଇଁ ବିପଜ୍ଜନକ ପରିବେଶରେ ଶ୍ରମ ଖଟୁଛନ୍ତି । ବହୁ ଅପ୍ରାପ୍ତ ବୟସ୍କ କିଶୋର ଓ ଯୁବକ ଗୋତି ଶ୍ରମିକ ଭାବରେ ଦଲାଲ୍ମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି । ପେଟ ବିକଳରେ ମାଆ ତାର ଗର୍ଭ ଜାତ ସନ୍ତାନକୁ ବିକ୍ରି କରିବାକୁ ପଛାଉ ନାହିଁ । ଆଦିବାସୀମାନେ ଦାରିଦ୍ର‌୍ୟ ସହିତ ଏବେ ବି ଅଶିକ୍ଷାରେ କବଳିତ । ଏ ସବୁ ଦେଖିଲେ ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମ ଏକ ପ୍ରହସନ ଭଳି ମନେ ହୁଏ ।
ସରକାର ଦରିଦ୍ର ଲୋକମାନଙ୍କର ଥଇଥାନ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଏହି ଯୋଜନା ଯେ କାହିଁକି ସଫଳ ହୋଇ ପାରୁ ନାହିଁ ତାହା ଅନୁଧ୍ୟାନର ବିଷୟ ଅଟେ । ଯୋଜନାର ବିଫଳତା ନିମନ୍ତେ ମୁଖ୍ୟତଃ ଦୁର୍ନୀତି ଓ ଅସାଧୁତା ହିଁ ଦାୟୀ । ସରକାରୀ ଅର୍ଥ ବାଟମାରଣା ହେଉଥିବାରୁ ଏହା ପ୍ରକୃତ ଲୋକଙ୍କ ନିକଟରେ ପହଂଚି ପାରୁ ନାହିଁ । ଦୃଷ୍ଟାନ୍ତସ୍ୱରୂପ – ଇନ୍ଦିରା ଆବାସ ଯୋଜନାରେ ଗୃହହୀନମାନଙ୍କୁ ଯେଉଁ ଖଂଡିଏ ଖଂଡିଏ ଘର ଯୋଗାଇ ଦିଆଯାଉଛି, ତାହାର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅଟେ । କାରଣ ବର୍ଷକ ମଧ୍ୟରେ ଘର କେଉଁଠି ଭୂଷୁଡି ପଡୁଛି ତ କେଉଁଠି ଭାଙ୍ଗିଯାଇ ବର୍ଷା ଦିନେ ଛାତରୁ ପାଣି ଗଳୁଛି । ଏହା ବସବାସ ପାଇଁ ଏକ ପ୍ରକାର ଅନୁପଯୋଗୀ ହୋଇ ପଡୁଛି ।
ସରକାର ଯେତେବେଳେ ଗରିବଲୋକଙ୍କ ନାମରେ ଯୋଜନା କରୁଛନ୍ତି, ତାହା କେବଳ ଲୋକଦେଖାଣିଆ ଓ ପ୍ରଚାରମୂଳକ ବୋଲି ମନେ ହୁଏ । ଏଥିରେ ଆନ୍ତରିକତାର ଘୋର ଅଭାବ ରହୁଛି । ତେଣୁ ଏହା ସଫଳ ହୋଇପାରୁ ନାହିଁ । କେବଳ ଗରିବୀ ହଟାଅ କାର୍ଯ୍ୟକ୍ରମ କାହିଁକି, ସରକାରଙ୍କର ଯେକୈାଣସି ଯୋଜନା ପ୍ରତି ଯଦି ଜନସାଧାରଣଙ୍କର ସାଧୁ ସହଯୋଗ ନ ରହିଲେ, ତେବେ ତାହା ସଫଳ ହୋଇପାରିବ ନାହିଁ । ସରକାରୀ ଅର୍ଥକୁ ଆତ୍ମସାତ୍ କରିବା ହେଉଛି ପ୍ରତ୍ୟେକ ଲୋକର ପ୍ରଧାନ ଲକ୍ଷ୍ୟ । ତେଣୁ ଲୋକମାନେ “ଗରିବୀ ହଟାଅ” କାର୍ଯ୍ୟକ୍ରମକୁ ବ୍ୟଙ୍ଗ କରି “ଗରିବ ହଟାଅ” ବୋଲି କହୁଛନ୍ତି । ଅର୍ଥାତ୍ ଏ ଦେଶରେ କେବଳ ଧନୀମାନେ ରହିବେ, ଗରିବମାନେ ତଳିତଳାନ୍ତ ହେବେ ।
ସର୍ବୋପରି ଜନସଂଖ୍ୟା ବିସ୍ଫୋରଣ ହେଉଛି ଦାରିଦ୍ର‌୍ୟର ଅନ୍ୟତମ କାରଣ । ବର୍ଦ୍ଧିତ ଜନସଂଖ୍ୟା ଅନୁପାତରେ ଜାତୀୟ ସମ୍ବଳ ବୃଦ୍ଧି ପାଉ ନାହିଁ । ଦରିଦ୍ର ପରିବାରଟିଏ ସାମାନ୍ୟ ସ୍ୱଛଳତା ଲାଭ କରିଆସୁଥିବାବେଳେ ସେଇ ପରିବାରରେ ଅଧିକ ଶିଶୁ ଜନ୍ମ ହେବା ଫଳରେ ତାର ସମ୍ବଳ ଦିନକୁ ଦିନ ଅକୁଳାଣ ହୋଇ ପଡୁଛି ।
ଦେଶରୁ ଦାରିଦ୍ର‌୍ୟ ଦୂରୀକରଣ ନିମନ୍ତେ ଶାସନକଳର ସଂସ୍କାର, ଅର୍ଥନୀତିର ପରିବର୍ତନ, ଦୁର୍ନୀତି ନିବାରଣ, ସମ୍ବଳର ସୁଷମ ବଂଟନ ଓ ଜନସଂଖ୍ୟା ନିୟନ୍ତ୍ରଣ ସର୍ବାଦୈା କରଣୀୟ । ଏସବୁ ସହିତ ଅଧିକ ଗୁରୁତର କଥାଟି ହେଉଛି ଦର୍ଦାମ୍ ବୃଦ୍ଧି । ଅସମ୍ଭବ ଦର ବୃଦ୍ଧି ଦରିଦ୍ର ଲୋକମାନଙ୍କର ଶ୍ୱାସରୁଦ୍ଧ କରିପକାଉଛି । ଦରଦାମ୍ରେ ସ୍ଥିରତା ରକ୍ଷା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ । ଦେଶରେ କୋଟି କୋଟି ଶିକ୍ଷିତ ଯୁବକ ଯୁବତୀ ବେକାର ଥାଇ ଗଭିର ମନସ୍ତାପରେ କାଳାତିପାତ କରୁଥିବାବେଳେ ସରକାରୀ କର୍ମଚାରୀମାନଙ୍କର ଅବସର ଗ୍ରହଣର ବୟସ ସୀମା ସରକାର ବଢାଇ ଚାଲିଛନ୍ତି । ବର୍ଷକୁ ବର୍ଷ ସେମାନଙ୍କର ବେତନ, ଭତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ବୃଦ୍ଧି କରାଯାଉଛି । ମନ୍ତ୍ରୀ, ଏମ୍.ଏଲ୍.ଏ ଓ ଏମ୍.ପି ମାନଙ୍କୁ ଉଚ୍ଚ ହାରରେ ଦରମା ଭତା ସହ ପେନସନ ମଧ୍ୟ ଦିଆଗଲାଣି । ରାଜ୍ୟ ଓ କେନ୍ଦ୍ରର ବଜେଟ ଉପରେ ଏହା ପ୍ରବଳ ଚାପ ସୃଷ୍ଟି କରୁଛି । ଫଳରେ ଅଧିକ କର୍ମ ନିଯୁକ୍ତି ସୃଷ୍ଟି ହୋଇପାରୁ ନାହିଁ । ସୁତରାଂ ଏ ଦିଗରେ ବିଚାର କରାଯିବା ଉଚିତ ।
ପ୍ରକୃତ ଅର୍ଥରେ ଦେଖିବାକୁ ଗଲେ ଦାରିଦ୍ର‌୍ୟ ଦୂରୀକରଣ ବା ଗରିବୀ ହଟାଅ ଧ୍ୱନି ହେଉଛି ଏକ ରାଜନୀତିକ ସ୍ଳୋଗାନ୍ । ଦାରିଦ୍ର‌୍ୟକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା ଏକ ସହଜ ବା ସମ୍ଭବପର ବ୍ୟାପାର ନୁହେଁ । ପୃଥିବୀର ଧନଶାଳୀ ଉନ୍ନତ ଦେଶମାନଙ୍କରେ ମଧ୍ୟ ଧନୀ ଓ ନିର୍ଦ୍ଧନମାନଙ୍କ ମଧ୍ୟରେ ବ୍ୟବଧାନ ରହିଛି । ତେବେ ଭାରତ ଭଳି ଦରିଦ୍ର ଦେଶରେ ଏହି ବ୍ୟବଧାନକୁ ହ୍ରାସ କରିବା ସଙ୍ଗେ ସଙ୍ଗେ ଦୁଃସ୍ଥ ଅବହେଳିତ ଶ୍ରେଣୀର ଲୋକମାନଙ୍କର ଜୀବନଧାରଣର ମାନ ବଢାଇବା ଦିଗରେ ସରକାର ନିଷ୍ଠାପର ଭାବେ ଉଦ୍ୟମ କରିବା ଉଚିତ ।
ଘାଗଡା, ରାହାମା, ଜଗତ୍ସିଂହପୁର / ମୋ – ୯୯୩୭୪୧୨୫୧୫

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ