ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ

ଭୁବନେଶ୍ୱର,ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଉକ୍ରଳ ମଣ୍ଡପ ଠାରେ ଶ୍ରୀମଦ୍ ଭଗବତ ଗୀତା ପ୍ରବଚନ କାଯ୍ୟକ୍ରମର ଅନ୍ତିମ ଦିବସରେ ପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ଗୀତାର ମାହାତ୍ମ୍ୟ ବାଖ୍ୟା କରିବା ସହ କାମନା ଏବଂ ଜ୍ଞାନର ତଫାତ ସଂପର୍କରେ ବୁଝାଇଥିଲେ । ଶ୍ରୀମଦ୍ ଭଗବତ ଗୀତା ତୃତୀୟ ଅଧ୍ୟାୟ କର୍ମଯୋଗର ୩୮ ନମ୍ବର ଶ୍ଳୋକ ‘ଧୂମେନା ବ୍ରିୟତେ ବହ୍ନି ର୍ଯଥାଦର୍ଶୋ ମଳେନ ଚ,ଯଥୋଳବେନାବୃତୋ ଗର୍ଭସ୍ତଥା ତେନେଦମାବୃତମ’ କୁ ପ୍ରଜ୍ଞାନାନନ୍ଦ ଅତି ସରଳ ଭାବେ ବାଖ୍ୟା କରିଥିଲେ । ଏହି ଅବସରରେ ପ୍ର୍ରଜ୍ଞାନାନନ୍ଦ କହିଥିଲେ ଯେ, ଧୂଆଁ ଭିତରେ ଅଗ୍ନି ଯେପରି ଆଛାଦିତ ହୋଇଥାଏ, ଧୂଳିରେ ଯେପରି ଦର୍ପଣ ଆଛାଦିତ ଥାଏ, ଯେପରି ଗର୍ଭସ୍ଥ ଭ୍ରୁଣ ଜରାୟୁ ଦ୍ୱାରା ଆଛାଦିତ ଥାଏ ଠିକ୍ ସେହିପରି ମନୁଷ୍ୟର ଜ୍ଞାନ କାମନା ଦ୍ୱାରା ଆଛାଦିତ ହୋଇ ରହିଥାଏ ।ଏହି ପ୍ରସଙ୍ଗରେ ପ୍ରଜ୍ଞାନାନନ୍ଦ ଅଗ୍ନି ସଂପର୍କରେ ବାଖ୍ୟା କରିକହିଥିଲେ ଯେ, ପଂଚ ମହାଭୂତରେ ଅଗ୍ନି ହେଉଛି ଉଦ୍ଧ୍ୱର୍ମୁଖୀ । ଜୀବନରେ ବିକାଶ କରିବାକୁ ହେଲେ ଅଗ୍ନିଙ୍କ ଉପାସକ ହେବା ଦରକାର । ସେହିପରି ଦର୍ପଣ ଏବଂ ଗୁରୁ ଉଭୟ ହେଉଛନ୍ତି ବ୍ୟକ୍ତିର ଆଦର୍ଶ । ଏହି ଦୁଇଟି ସ୍ଥାନରେ ଛିଡା ହେଲେ ମନୁଷ୍ୟ ତା’ର ନିଜ ସ୍ୱରୂପକୁ ଜାଣିପାରେ । ଦର୍ପଣକୁ ଧୂଳି ଆଛାଦିତ କଲାପରି ମନୁଷ୍ୟକୁ କାମନା ଆଛାଦିତ କରିଥାଏ । କାମନା ମନୁଷ୍ୟକୁ ନଷ୍ଟ କରିଥାଏ । କାମନା ହେଉଛି ବ୍ୟକ୍ତିର ଶତ୍ରୁ । ଏହା ଜାଣି ବି ମନୁଷ୍ୟ ବାହ୍ୟ ବସ୍ତୁ ପ୍ରତି ଆକର୍ଷିତ ହୋଇ କୁକର୍ମ କରିଚାଲିଛି । କାମନା ଉଭୟ ଜ୍ଞାନ ଏବଂ ବିବେକକୁ ଆଛାଦିତ କରିଦିଏ । ସେହିପରି ବାସନା ହେଉଛି ପୂର୍ବ ଉପଭୋଗର ସଂସ୍କାର ଯାହା ବ୍ୟକ୍ତି ଭିତରେ ରହିଛି । କାମ କ୍ରୋଧ ରଜୋ ଗୁଣରୁ ସୃଷ୍ଟି । ସେଥିପ୍ରତି ସତର୍କତା ଅବଲମ୍ବନ କରିବା ଦରକାର । ମନୁଷ୍ୟ କାମନାକୁ ତ୍ୟାଗ କରି ଜ୍ଞାନର ଉପାସକ ହେବା ଦରକାର । ବ୍ୟକ୍ତି କେବଳ ସତସଙ୍ଗ, ଶାସ୍ତ୍ର ଅଧ୍ୟୟନ ଏବଂ ସାଧନା ମାଧ୍ୟମରେ ନିଜକୁ ବିକଶିତ କରିପାରିବ । ଭଗବତ ଗୀତା ହେଉଛି ଏକ ଜୀବନ୍ତ ଗ୍ରନ୍ଥ । ଏହା କୌଣସି ଧର୍ମର ନୁହେଁ । ଦୈନନ୍ଦିନ ଜୀବନରେ ଗୀତା ପଠନ ଏବଂ ଗୀତାର ବାଣୀ ଅନୁସାରେ ନିଜ ଜୀବନକୁ ପରିଚାଳିତ କରିବା ଦରକାର । କ୍ରିୟା ଯୋଗର ମୂଳ ହେଉଛି ଶ୍ୱାସ ଏବଂ ଶ୍ୱାସ ହିଁ ଭଗବାନ । ନିଜକୁ ଅହଂକାର ଏବଂ ଅଭିମାନରୁ ମୁକ୍ତ କରି ପ୍ରତିଶ୍ୱାସରେ ଭଗବାନଙ୍କୁ ସ୍ମରଣ କରି କାର୍ଯ୍ୟ କଲେ ନିଜର ବିକାଶ ହେବା ସହ ସମାଜର ପ୍ରଗତି ହୋଇଥାଏ । ଏହା ସହ ଗୋମାତାର ସେବା ପ୍ରତି ମନୁଷ୍ୟ ନିଜକୁ ନିୟୋଜିତ କରିବା ଦରକାର ବୋଲି ପ୍ରଜ୍ଞାନାନନ୍ଦ କହିଛନ୍ତି ।ଏହି ଅବସରରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଜ୍ଞାନାନନ୍ଦଙ୍କ ଗୀତାଜ୍ଞାନକୁ ଶ୍ରବଣ କରିବା ସହ ଗୀତା ପାଠ କରିଥିଲେ । ପ୍ରବଚନ କାର୍ଯ୍ୟକ୍ରମ ପରେ ଭଗବତ ପ୍ରେମୀମାନେ ପୂଜ୍ୟ ପ୍ରଜ୍ଞାନାନନ୍ଦଙ୍କୁ ପ୍ରଣାମ କରିବା ସହ ତାଙ୍କ ସ୍ୱହସ୍ତରୁ ମହାପ୍ରସାଦ ସେବନ କରିଥିଲେ । ପ୍ରଜ୍ଞାନାନନ୍ଦଙ୍କର ଗୀତା ଜ୍ଞାନ ଯଜ୍ଞ ଏବଂ ଏବଂ ଆଧ୍ୟାତ୍ମିକ ବାଖ୍ୟା କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାନୁଆରୀ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ କଟକ ସିଡିଏ ଠାରେ ୱିଣ୍ଡସୋର ପ୍ୟାଲେସରେ ଆୟୋଜିତ ହେବ ଏବଂ ଜାନୁଆରୀ ୧୦ ତାରିଖ ଦିନ ସିଡିଏ ଠାରେ କ୍ରିୟା ଯୋଗ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ