ବର୍ଦ୍ଧିତ ଭତ୍ତା ଅପେକ୍ଷାରେ ୮୫୪ ହିତାଧୀକାରୀ
ହାଟଡିହି (ଓ୍ବାଇଏନଏସ) : ଓଡ଼ିଶାରେ ନୂଆ ସରକାର ଆସିବା ପରେ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ୮୦ ବର୍ଷରୁ ଅଧିକ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ଭତ୍ତା ୩୫ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ସରକାରଙ୍କ ଏହି ଯୋଜନାରୁ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ୮୫୪ଜଣ ଯୋଗ୍ୟ ହିତାଧିକାରୀ ବର୍ତ୍ତମାନ ସୁଧା ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ସୋସୋ ପଞ୍ଚାୟତ ବେରୁଣପଦି ଗ୍ରାମର ଭିନ୍ନକ୍ଷମ ଖଗେଶ୍ୱର ଜେନା ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତି ହିନ ଯୁବକ। ଭତ୍ତା ୧୨ଶହ ଟଙ୍କା ମିଳୁଛି। ଭତ୍ତା ୩୫ଶହ ଟଙ୍କା କରିବା ପାଇଁ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଏଯାଏଁ ଭତ୍ତା ବଢ଼ିନି। ବାରମ୍ଵାର ବ୍ଲକକୁ ଦୌଡି ଦୌଡି ନୟାନ୍ତ ହେଲେଣି। ସେହିପରି ବଡ଼ ରମ୍ପାସ ଗ୍ରାମର ବଳରାମ ପେରେଇ, ସତ୍ୟଭାମା ଜେନା , ଉଭୟ ଭିନ୍ନକ୍ଷମ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୧୨ଶହ ଟଙ୍କା ଭତ୍ତା ମିଳୁଛି। ବର୍ଦ୍ଧିତ ଭତ୍ତା ପାଇବାକୁ ଆବେଦନ କରିଥିଲେ ମଧ୍ୟ ସେଥିରୁ ବଞ୍ଚିତ ହୋଇଛନ୍ତି। ସେହିପରି ଶାସଙ୍ଗ ପଞ୍ଚାୟତ ଛେନାପଦି ଗ୍ରାମର ବିକାଶ ଜେନାଙ୍କ ପୁଅ ମୃତ୍ୟୁଞ୍ଜୟ ଜେନା ଭିନ୍ନକ୍ଷମ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ସେହିପରି ଶାସଙ୍ଗ ପଞ୍ଚାୟତର ଗୋଲାପ ପାଢ଼ୀ ୮୨ବର୍ଷ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ଭତ୍ତା ମିଳିନି। ସେହିପରି ଶାସଙ୍ଗ ଗ୍ରାମର ସାଇନ ଜେନା (୮୧) , ବଡତିରା ଗ୍ରାମର ଗଞ୍ଜ ମଲ୍ଲିକ(୮୨) , ଚୋରଗଡ଼ିଆ ଗ୍ରାମର ଗୁରୁଡ଼ି ନାୟକ (୮୨), ପନ୍ଦାଡୋ ଗ୍ରାମର ହେମ ଜେନା(୮୩) , ରାମ ଚନ୍ଦ୍ର ଜେନା(୮୨) ମେଙ୍କି ଜେନା (୮୫) , କାହ୍ନୁ ଜେନା (୮୨), କିର୍ତ୍ତନ ବିହାରୀ ଜେନା(୮୧), ପ୍ରମୁଖ ଭତ୍ତା ପାଉଥିବା ବେଳେ ସରକାରଙ୍କ ବର୍ଦ୍ଧିତ ଭତ୍ତା ପାଇଁ ଆବେଦନ କରିଥିଲେ। ଅନେକ ଲୋକ ଙ୍କୁ ବର୍ଦ୍ଧିତ ଭତ୍ତା ମିଳିଥିବା ବେଳେ ଅନେକ ଲୋକ ଆଜି ପର୍ଯ୍ୟନ୍ତ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ବାରମ୍ଵାର ଏ ସଂପର୍କରେ ବୁଝିବା ପାଇଁ ବ୍ଲକ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲେ ବି କିଛି ଲାଭ ମିଳୁନି ବୋଲି ବେରୁଣପଦି ଗ୍ରାମର ଭିନ୍ନକ୍ଷମ ଖଗେଶ୍ୱର ଜେନା ଅଭିଯୋଗ କରିଛନ୍ତି। ବ୍ଲକର ୩୧ଟି ପଞ୍ଚାୟତରେ ବର୍ତ୍ତମାନ ସୁଧା ୧୧୭୩ଜଣ ଭିନ୍ନକ୍ଷମ ଓ ୮୦ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ୩୫ଶହ ଟଙ୍କା ଲେଖାଏଁ ଭତ୍ତା ଦିଆଯାଇଛି। ଅନ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ବର୍ଦ୍ଧିତ ଭତ୍ତା ଦିଆଯିବ ବୋଲି କୁହାଯାଇଛି। ହେଲେ ୨ମାସ ବିତିଲାଣି, ଭତ୍ତା ପାଇଁ ବ୍ଲକକୁ ଦୌଡ଼ି ଦୌଡ଼ି ଲୋକେ ଥକି ଗଲେଣି । ତଥାପି ହିତାଧିକାରୀଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ୱତିଶ୍ରି ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ୮୫୪ଜଣ ହିତାଧୀକାରୀ ଙ୍କ ତାଲିକା ଯାଇଛି। କିନ୍ତୁ ସରକାରଙ୍କ ଅନୁମୋଦନ ଆସି ନଥିବାରୁ ବିଳମ୍ବ ଘଟୁଛି ବୋଲି କହିଛନ୍ତି। ଅନୁମୋଦନ ହୋଇ ଆସିଲେ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ ବୋଲି କହିଛନ୍ତି। ସରକାର ଏଥିପ୍ରତି ଗୁରୁତ୍ଵ ଦେବାକୁ ହିତାଧୀକାରୀ ମାନେ ଦାବି କରିଛନ୍ତି।