ମକରୋତ୍ସବ ବା ମକର ସଂକ୍ରାନ୍ତି

କଥାରେ ଅଛି : ମକର, ଦିନ ହୁଏ ବକର । ଏହା କେବଳ ଜ୍ୟୋତିଷୀକଥା ନୁହେଁ,ଜ୍ୟୋତିର୍ବିଦୀୟ ବୈଜ୍ଞାନିକ ସତ୍ୟ । ମକର ସଂକ୍ରାନ୍ତି ଦିନଠୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ । ସୂର୍ଯ୍ୟଙ୍କର ଦୁଇଟି ଗତି ଅଛି । ଏହି ଗତି ଅନୁସାରେ ସୂର୍ଯ୍ୟ ବିଷୁବ ରେଖା ଉପରେ ଦୁଇଦିନ ରୁହନ୍ତି : ମାର୍ଚ୍ଚ ୨୧ ଏବଂ ସେପ୍ଟେମ୍ବର ୨୩ । ଏହି ଦୁଇଦିନ ପୃଥିବୀର ଦିନରାତ୍ର୍ର ସର୍ବତ୍ର ସମାନ । ଅନ୍ୟଥା ସୂର୍ଯ୍ୟଙ୍କର ସ୍ଥିତିର ବ୍ୟତିକ୍ରମ ଅଛି । ସୂର୍ଯ୍ୟ ସିଦ୍ଧାନ୍ତମତେ ଦକ୍ଷିଣାୟନଗତି ଏବଂ ଉତ୍ତରାୟଣ ଗତି ଯଥାକ୍ରମେ କର୍କଟ ସଂକ୍ରାନ୍ତି ଏବଂ ମକର ସଂକ୍ରାନ୍ତି ଦିନ କରିବା ବିଧି ବର୍ଣ୍ଣିତ ହୋଇଛି ।
ଞ୍ଚ ‘ମିଥୁନଂ ତୁ ପରି ତ୍ୟଜ୍ୟ ଯଦା କର୍କଟେ ଗୋ ରବିଃ
ଅୟନାଖ୍ୟଂ ହରେଃପୂଜା କୁର୍ଯ୍ୟାନଙ୍ଗଳପ୍ରାପ୍ତୟେ ।ା
ଞ୍ଚ କାମୁକଂ ପରିତ୍ୟଜ୍ୟ ମୃଗଂଗଚ୍ଛେତ ଯଦାରବିଃ
ଉତ୍ତରାୟଣ ସଂଜ୍ଞଃ ସ୍ୟାଦୁତ୍ସବଂ କାରୟେଦ୍ଧରେଃ ।ା
ଏହିଦିନ ଚନ୍ଦ୍ର ମୃଗଶିରା ନକ୍ଷତ୍ରରୁ ବିଦାୟ ନେଇ ପୁଷ୍ୟାକୁ ଏବଂ ସୂର୍ଯ୍ୟ ଧନୁରାଶିରୁ ମକର ରାଶିକୁ ଚଳିବେ । ଦେବୀ ପୁରାଣମତେ ଏହିଦିନ ତୀର୍ଥସ୍ଥାନମାନଙ୍କରେ ବୁଡ଼ ପକାଇଲେ, ସାତଜନ୍ମ ଯାଏଁ ନୀରୋଗ ଏବଂ ଧନବାନ୍ ହେବାକୁ ହୁଏ ।
ସୂର୍ଯ୍ୟଙ୍କର ଏହି ସଂକ୍ରମଣ ସମୟରେ କୌଣସି ଦୈବ ବା ପିତୃକାର୍ଯ୍ୟ କରାଯାଏ ନାହିଁ । ସେପରିସ୍ଥଳେ ଦକ୍ଷିଣାୟନର ପୂର୍ବ ଏବଂ ଉତ୍ତରାୟଣର ପର କୋଡ଼ିଏ ଘଣ୍ଟା ଶୁଦ୍ଧକାଳ ବିଚାରି ସମସ୍ତ କାର୍ଯ୍ୟ କରାଯାଏ ।
ଞ୍ଚ ଅୟନେ ବିଂଶତି ପୂର୍ବ । ମକରେ ବିଂଶତି ପରା ।
ବର୍ତ୍ତମାନ ତୁଳାମେଷେ ନାଭ୍ୟତ୍ସୁ ଭୟତୋଦଶ ।ା
ଞ୍ଚ ସଂକ୍ରାନ୍ତିସ୍ତୁ ଯଦା ରାଜନ ଦିବା ବା ଯଦିବା ନିଶଃ
ପୂର୍ବ ମେବ ଦିନଂଗ୍ରାହଂ ଦୈବେ ପିତ୍ରେ ଚ କର୍ମଣି ।ା
ଓଡ଼ିଆ ସଂସ୍କୃତି ଓରେଫ ଜଗନ୍ନାଥ ସଂସ୍କୃତି, ଜଗନ୍ନାଥଙ୍କ ମନ୍ଦିରରେ ନୀତି ନିୟମ ଅନୁଯାୟୀ ପ୍ରଭାବିତ । କର୍କଟ ସଂକ୍ରାନ୍ତିଦିନ ପ୍ରଭୁଙ୍କର ନୀତିଦିନିଆ ପୂଜା ସହ ଷୋଡ଼ଶ ଉପଚାରର ସ୍ୱତନ୍ତ୍ର ପୂଜା ଓ ବନ୍ଦାବନା ଅନୁଷ୍ଠିତ ହୁଏ; କିନ୍ତୁ ମକର ସଂକ୍ରାନ୍ତି ତୃତୀୟ ଦିବସରେ ଦୁଗ୍ଧ ପରିସରାଣ, ପୂର୍ବ ଦିବସରେ ସଂଧ୍ୟାରେ ଦୁଗ୍‌ଧାବାସ କରାଯାଏ । ମାସାନ୍ତଦିନ ବିଧି ନିମନ୍ତେ ସେହି ଦୁଗ୍‌ଧ ଦେବତାଙ୍କ ପାଶେ ସଂରକ୍ଷିତ ରୁହେ । ରାତ୍ରୀରେ ମଦନମୋହନଙ୍କୁ ଜଗନ୍ନାଥ ସିଂହାସନ ଚାରିପଟେ ସାଢ଼େ ଚାରିଥର ବୁଲାଇବା ପରେ ମନ୍ଦିର ବେଢ଼ାକୁ ସାଢ଼େ ଚାରିଥର ପ୍ରଦକ୍ଷଣ କରାଯାଏ ବୋଲି ଏହାକୁ ମଧ୍ୟ ‘ନବା’ଙ୍କ ଯାତ୍ରା କୁହନ୍ତି ।
ନବାଙ୍କେ ନବବାରଂ ବା ପ୍ରାସାଦ ଭ୍ରମଣଂ ହରେଃ ।ା
ଯଃ କରୋତି ନରୋଃ ଗଚ୍ଛେଦ୍ ବୈକୁଣ୍ଠଂ ସର୍ବକାମ ଦମ୍ ।ା
ମକର ସଂକ୍ରାନ୍ତି ଦିନ ଆମୀକ୍ଷା, ଦଧି, ଦୁଗ୍ଧ, ସର୍କରା, ଘୃତ, କଦଳୀ, ନାରୀକେଳ, ଅଦା, କର୍ପୁର, ଲବଙ୍ଗ, ଜାଇଫଳ, ନୂତନ ତଣ୍ଡୁଳ ଏବଂ ଇଖୁ ରସ ଇତ୍ୟାଦି ଦ୍ୱାରା ମକର ତଣ୍ଡୁଳ ପ୍ରସ୍ତୁତ ହୁଏ । ମଧ୍ୟାହ୍ନର ନିତ୍ୟପୂଜା ପରେ ନୂଆବସ୍ତ୍ର ଓ ଅଳଙ୍କର ଦ୍ୱାରା ଠାକୁରଙ୍କୁ ସୁବେଶ କରାଇବା ପରେ ପଞ୍ଚଘୋଷ ସହିତ ପୁଣିଥରେ ବେଢ଼ା ପରିକ୍ରମା କରାଇ ଶ୍ରୀ ଜଗନ୍ନାଥଙ୍କୁ ମକର ତଣ୍ଡୁଳ ସମର୍ପଣ କରାଯାଏ । ଏହାକୁ ‘ମକର ଭୋଜି’ ନାମରେ ନାମିତ କରାଯାଇଛି । ଭକ୍ତମାନେ ଏହାକୁ ପ୍ରସାଦ ରୂପେ ପାଇଥାନ୍ତି ।
ଜଗନ୍ନାଥ ମନ୍ଦିରରେ ଯାହା ସତ୍ୟ, ଆମ ପାଇଁ ତାହା କରଣୀୟ । ଏହି ଦିନ ଆମେ ନୂଆପୋଷାକ ପିନ୍ଧୁ; ନୂଆ କିଛି କରିବାର ସଂକଳ୍ପ କରୁ ଏବଂ ଖୁସି ମନାଉ ।
ମକର ସଂକ୍ରାନ୍ତି ଓଡ଼ିଶାର କୃଷି ଭିତ୍ତିକ ଏକ ମୁଖ୍ୟ ପର୍ବ । ବର୍ଷ ଜାକର ମେହନତି ପରେ ଖଳାକୁ ଆସନ୍ତି ଧନଲକ୍ଷ୍ମୀ । ସବୁରି ଘରେ ପୌଷ ଳକ୍ଷ୍ମୀ, ବାଉରୀ ହାଣ୍ଡିରେ ପେଜ । କୃଷକ ତା’ ଫସଲକୁ ଭୋଗ କରିବା ପୂର୍ବରୁ, ସେ ତାକୁ ପ୍ରଥମେ ସମର୍ପଣ କରେ ତା’ ଇଷ୍ଟଦେବତାଙ୍କୁ, ପ୍ରଭୁଙ୍କୁ ଏହି ମକର ଚାଉଳ ମାଧ୍ୟମରେ । ଏହା ମଧ୍ୟ ଆଖୁ ଅମଳର ଋତୁ । ଏଣୁ ନୂଆ ଚାଉଳ, ନୂଆ ଗୁଡ଼, ପାଚିଲା କଦଳୀ, ଛେନା, ଖଣ୍ଡ ଆଖୁ, କର୍ପୁର ଏବଂ ଜାଇଫଳ ଇତ୍ୟାଦିରେ ମକର ଚାଉଳ ପ୍ରସ୍ତୁତ କରେ । ତା’ପରେ ଚଉରାମୂଳେ, ଖଳାବାଡ଼ିରେ, ଇଶାଣରେ ଅଥବା ମକର ମାଧବଙ୍କୁ ଏ ମକର ଚାଉଳ ଭୋଗ କରେ । ସେତେବେଳେ କୃଷକ ଘରଣୀ ମୁଣ୍ଡିଆ ମାରି ଠାକୁରଙ୍କୁ ମନସୁଥାଏ :
ମକର ଚାଉଳ ଚାଷୀର ସମ୍ବଳ,
ଘେନା କରିଦେବ ଏହି ମିନତୀ
ଏତିକି ସଦୟ ହୋଇଥାଅ ତମେ
ନପଡ଼ୁ ଚାଷୀଙ୍କୁ କୋଉ ବିପତ୍ତି ।ା
ଏହି ପର୍ବ ସାରା ଭାରତବର୍ଷରେ ପାଳିତ ହୁଏ; କିନ୍ତୁ ନଈକେ ବାଙ୍କ ଦେଶକେ ଫାଙ୍କପରି କିଛିଟା ଭିନ୍ନତା ଦେଖାଯାଏ ସ୍ଥାନ ନେଇ । ଏହା ଉଭୟ ଆଦିବାସୀ ଓ ଅଣଆଦିବାସୀ ସଂପ୍ରଦାୟ ଲୋକଙ୍କର ଆନନ୍ଦରେ ପାଳନ କରୁଥିବା ପର୍ବ । ଏହି ଦିନ ସମସ୍ତେ ନୂଆବସ୍ତ୍ର ଧାରଣ କରନ୍ତି । ସକାଳୁ ସ୍ନାନସାରି ସୂର୍ଯ୍ୟଉପାସନା ପରେ ଦାନ ଧର୍ମ କରନ୍ତି । କଥାରେ ଅଛି ‘ମକର ସଂକ୍ରାନ୍ତି ପ୍ରାତଃ କାଳରେ ସ୍ନାନ କରି ସୂର୍ଯ୍ୟଙ୍କୁ ଉପାସନ ପରେ ଦୁଃଖୀ ରଙ୍କିଙ୍କୁ କଞ୍ଚା ଖେଚୁଡ଼ି, ଘିଅ, ଲୁଣ, ପାମ୍ପଡ଼ ଓ ତିଳ ତିଆରି ଲଡ଼ୁ ତଥା ଅନ୍ୟାନ୍ୟ କଞ୍ଚା ଓ କଚ୍ଚା ଜିନିଷ ଦାନ କଲେ ଅଶେଷ ପୂଣ୍ୟ ହୁଏ ।
ଓଡ଼ିଶାର ମହାନ୍ତ ସଂପ୍ରଦାୟର ‘ଟୁସୁ’ ପର୍ବ ଏହି ମକର ସଂକ୍ରାନ୍ତିର ପର୍ବ ଅଟେ । ଦକ୍ଷିଣ ଭାରତର ତାମିଲନାଡ଼ୁରେ ପାଳିତ ହେଉଥିବା ପୋଙ୍ଗଲ ମଧ୍ୟ ମକର ସଂକ୍ରାନ୍ତିର ପର୍ବ । ପଞ୍ଜାବରେ ପାଳିତ ହେଉଥିବା ଲୋହରୀ ଓ ଗୁପ୍ପି ପର୍ବମାନ ମକର ସଂକ୍ରାନ୍ତିର ପର୍ବ । ଏହା ପ୍ରତିବର୍ଷ ଜାନୁୟାରୀ ୧୪ତାରିଖରେ ପାଳିତ ହୁଏ । ଏହିଦିନ ବିଭିନ୍ନ ଶୈବ୍ୟ ପିଠରେ ଯେଉଁ ମେଳା ଅନୁଷ୍ଠିତ ହୁଏ ତାହାକୁ ମଧ୍ୟ ମକର ମେଳା କୁହାଯାଏ । ଓଡ଼ିଶାର ଅଟ୍ରି ହଟକିଶୋରଙ୍କର ମକରମେଳା , ଏକ ଉଲ୍ଲେଖନୀୟ ମେଳା ଅଟେ ।

ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ