ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ୮୯ଟି ଅଭିଯୋଗ ପଂଜିକୃତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଜିଲ୍ଲା ପାଳ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୮୯ଟି ଅଭିଯୋଗ ପଂଜିକୃତ ହୋଇଥିଲା। ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୧୦ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୭୯ଟି ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସଂପର୍କୀୟ ୨୯ଟି, ଜମିଜମା ସମସ୍ୟା ସଂପର୍କୀୟ ୧୭ଟି,ରାସନ କାର୍ଡ ସଂପର୍କିତ ୧ଟି, ଭତା ସମ୍ବନ୍ଧୀୟ ୨ଟି, ପୋଲିସ ସହାୟତା ୧ଟି,ଏବଂ ଅନ୍ୟାନ୍ୟ ୨୬ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥି ମଧ୍ୟରୁ ୩ଟି ଅଭିଯୋଗ ତତକାଳ ଫଇସଲା କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ଏହି ଶିବିରରେ ବଛାଳୋ ପଂଚାୟତ ସମିତି ସଭ୍ୟ ଚନ୍ଦନ ଲେଙ୍କା ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଉଥିଲେ ମଧ୍ୟ ଅଭିଯୋଗର କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ କରିଥିଲେ। ଉକ୍ତ ପଂଚାୟତରେ ଥିବା ବିଭିନ୍ନ ସମସ୍ୟା ଉପରେ ସେ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରୁଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁ ନାହିଁ। ଯାହାଫଳରେ ଜନସାଧାରଣଙ୍କ କୌଣସି ସମସ୍ୟା ସମାଧାନ ହୋଇପାରୁନାହିଁ। ଅଲଣା ପଂଚାୟତର ପୂର୍ବତନ ସରପଂଚ ନବକିଶୋର ମହାନ୍ତି ଉକ୍ତ ପଂଚାୟତରେ ଥିବା ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ହୋଇ ପାରୁନାହିଁ। ପଂଚାୟତ ଦେଇ ପ୍ରବାହିତ ହାତୀ ଜୋରର ତଳ ମୁଣ୍ଡରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜବରଦଖଲ କରି ରଖିଥିବା ଯୋଗୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗରେ ଦର୍ଶାଯାଇଛି। ସାମାଜିକ ନ୍ୟାୟ ମଂଚ ଓ ଜନସ୍ୱାର୍ଥ ସୁରକ୍ଷା କମିଟି ପକ୍ଷରୁ ବିଜୟ କୁମାର ଦାସ, ସୁବାସ ସ୍ୱାଇଁ, ସର୍ବେଶ୍ୱର ମହାରଣା, ଗୌରାଙ୍ଗ ଦାସ,ବାବୁରାମ ସ୍ୱାଇଁ, ବଂଶୀଧର ଦାସ ଆଦି ୮ ଦଫା ଦାବି ସମ୍ବଳିତ ଅଭିଯୋଗ ପ୍ରଦାନ କରିଥିଲେ। ଦାବି ଗୁଡିକ ମଧ୍ୟରେ ବୁଲା ଷଣ୍ଢ ଓ ମାଙ୍କଡଙ୍କ ଉପଦ୍ରବରୁ ଚାଷୀକୁ ରକ୍ଷା କରିବା, ତିରୁଣା ଗ୍ରାମ ପଂଚାୟତ ନରଣପୁର ଗଗନ ରାୟଙ୍କ ଘର ଠାରୁ ଗୋପାଳ ସାହିକୁ ରାସ୍ତା ନିର୍ମାଣ,ସରକାରୀ ଶୀତଳ ଭଣ୍ଡାର ନିର୍ମାଣ, ଭୂମିହିନ ପରିବାରକୁ ଜମି ପଟ୍ଟା ପ୍ରଦାନ,ଆବଶ୍ୟକୀୟ ପରିମାଣରେ ୟୁରିଆସାର ପ୍ରଦାନ ଆଦି ଦାବି ରହିଛି। ବାଂଶ ପଂଚାୟତର ବ୍ରହ୍ମାନନ୍ଦ ପର୍ବତଙ୍କୁ ୮୦ ବର୍ଷ ହୋଇଥିବା ବେଳେ ତାଙ୍କୁ ବର୍ଦ୍ଧିତ ଭତା ମିଳୁ ନଥିବାରୁ ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ। ବ୍ରହ୍ମାନନ୍ଦ ଟ୍ରାଇସାଇକଲରେ ଆସିଥିବାରୁ ଜିଲ୍ଲାପାଳ ତାଙ୍କ ଚେୟାରରୁ ଉଠିଆସି ବାହାରେ ତାଙ୍କର ସମସ୍ୟା ବୁଝିବା ସହିତ ଏହାର ସମାଧାନ ପାଇଁ ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା,ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଜିଙ୍କ୍ୟ ମାଣେ, ବିଡିଓ ନିରଞ୍ଜନ ପରିଡା, ତହସିଲଦାର ଅକ୍ଷୟ କୁମାର ବଡୁ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ