କନଭେନସନ୍ ସେଣ୍ଟର୍ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଲୋକସେବା ଭବନରେ ଅତ୍ୟାଧୁନିକ ସମ୍ମିଳନୀ ଗୃହକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୪୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସମ୍ମିଳନୀ ଗୃହକୁ ଆଜି ଉଦଘାଟିତ ହୋଇଛି । ଲୋକସେବା ଭବନରେ ସମ୍ମିଳନୀ କକ୍ଷର ଅଭାବ ରହୁଥିବାରୁ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର‌୍ୟ୍ୟକ୍ରମ ପାଇଁ ରାଜଧାନୀରେ ସରକାରୀ ଅଡିଟୋରିୟମର ଅଭାବ ପଡ଼ୁଥିବାରୁ ଏହାକୁ ନଜରରେ ରଖି ଏହି କନ୍ଭେନସନ ସେଣ୍ଟର ନିର୍ମାଣ ହୋଇଛି। ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟରରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର‌୍ୟ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। କନଭେନସନ୍ ସେଣ୍ଟରଟି ଇକୋ ଫ୍ରେଣ୍ଡଲି ହେବା ସହ ସୌର ଶକ୍ତିରେ ଚାଲିବା ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁ ଦୃଷ୍ଟିରୁ ଯେପରି କନଭେନସନ୍ ସେଣ୍ଟର ଆକର୍ଷଣୀୟ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ପଛ ପାର୍ଶ୍ୱରେ ୫୧୮୦ ବର୍ଗମିଟର ଅଞ୍ଚଳରେ ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟର ନିର୍ମାଣ ହୋଇଛି। ଏହା ଦୁଇ ମହଲା ବିଶିଷ୍ଟ ହୋଇଥିବା ବେଳେ ତଳ ମହଲାରେ ପ୍ରବେଶ ଲବି ସହ ୩୯୦ ସିଟ୍ ବିଶିଷ୍ଟ ସମ୍ମିଳନୀ କକ୍ଷ ରହିଛି। ଏଥିରେ ଗୋଟିଏ କାନ୍ଥରେ ଭିଡିଓ ଦେଖିବା ପାଇଁ ଏଲ୍ଇଡି ଲାଗିଛି। ଏଥିରେ ଲାଇନ୍ ଆରେ ସ୍ପିକର୍ ବ୍ୟବସ୍ଥା ହୋଇଛି। ଏହି ସମ୍ମିଳନୀ କକ୍ଷଟିକୁ ବିଶ୍ବସ୍ତରୀୟ କରାଯାଇଛି। ଏହା କାର‌୍ୟ୍ୟକ୍ଷମ ହେଲେ ସରକାର ତାଙ୍କର ସମସ୍ତ ସରକାରୀ କାର‌୍ୟ୍ୟକ୍ରମ ଏଠାରେ କରିବେ। ଆଉ ତାରକା ହୋଟେଲ ଭଡ଼ା ନେବାକୁ ପଡ଼ିବନି। ଏହାବାଦ୍ ତଳ ମହଲାରେ ଗୋଟିଏ ୮୦ରୁ ୯୦ ସିଟ୍ ବିଶିଷ୍ଟ ବକ୍ବେଟ୍ ହଲ୍ ରହିଛି। ଗୋଟିଏ ୬୦ଜଣ ବସିବା ଭଳି ଲବି ଏବଂ ସ୍ବତନ୍ତ୍ର ଭିଆଇପି ଲାଉଞ୍ଜ୍ ରହିଛି। ଏଠାରେ ଗୋଟିଏ ଭିଆଇପି ରୁମ୍, ଦୁଇଟି ଗ୍ରିନ୍ ରୁମ୍, ଗୋଟିଏ ଲେଖାଏ ରେକର୍ଡ ରୁମ୍, କଣ୍ଟ୍ରୋଲ ରୁମ୍, ମେଡିକାଲ ରୁମ୍ ଏବଂ କାର‌୍ୟ୍ୟାଳୟ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

error: Content is protected !!