ସ୍ୱାମୀଜୀଙ୍କ ସ୍ମୃତିଚାରଣ ସଭା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): : ପ୍ରାକ୍ତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆଚାରୀ ବୀରଭଦ୍ର ସ୍ୱାମୀ (ସ୍ୱାମୀଜୀ) ଥିଲେ ଜଣେ ସ୍ନେହୀ, ଦରଦୀ ଓ ବିରଳ ବ୍ୟକ୍ତିତ୍ୱ । ସମାଜସେବାର ସେ ଜଣେ ରୁଦ୍ଧିମନ୍ତ ଯୋଦ୍ଧା ଏବଂ ସମାଜସେବୀ ଗଢିବାରେ ଜଣେ ଅମଳୀନ ଓ ଅନନ୍ୟ ବ୍ୟକ୍ତିତ୍ୱ ବୋଲି ଆଜି ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସ୍ୱାମୀପ୍ରେମୀ ଓ ସାମାଜସେବୀମାନେ ମତ ପୋଷଣ କରିଛନ୍ତି । ସ୍ୱାମୀଜୀଙ୍କ ଜନ୍ମ ତିଥି ତଥା ତାଙ୍କ ତିରୋଧାନ ଅବସରରେ ସାମାଜିକ ସଙ୍ଗଠନ ସମୂହ ଏବଂ ସଂହତି ଦ୍ୱାରା ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ଅନ୍ତୋଦୟ ଚେତନା ମଣ୍ଡଳର ପ୍ରତିଷ୍ଠାତା ଆଦିତ୍ୟ ପଟ୍ଟନାୟକ କହିଲେ ଯେ ସମାଜସେବା କ୍ଷେତ୍ରରେ ସ୍ୱାମୀଜୀଙ୍କ ଅବଦାନ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିବ । ତାଙ୍କ ସହ କାମ କରିଥିବା ସମାଜସେବୀମାନଙ୍କ ପାଇଁ ସେ ଥିଲେ ପ୍ରେରଣାର ଅଭିଭାବକ ଏବଂ ତାଙ୍କ ପ୍ରେରଣା ଓ ଦିଗଦର୍ଶନ ଏବେ ବି ଅନେକଙ୍କୁ ପଥ ପଦର୍ଶନ କରୁଛି ଓ କରୁଥିବା ମଧ୍ୟ । ଯୁବବର୍ଗମାନଙ୍କୁ ଗାନ୍ଧୀବାଦ ଅନୁଗାମୀ କରି ସମାଜସେବାରେ ବ୍ରତୀ କରିଥିବା ସ୍ୱାମୀଜୀଙ୍କ ସ୍ମୃତିରେ ସ୍ୱାମୀପ୍ରେମୀମାନେ ଏ.ଭି.ସ୍ୱାମୀ ଫାଉଣ୍ଡେସନ୍‍ ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେବା ସହ ପ୍ରତି ବର୍ଷ ସ୍ୱାମୀ ମେମୋରିଆଲ ଲେକଚ୍‍ର ଆୟୋଜନ କରି ଆଜିର ଯୁବ ବର୍ଗଙ୍କୁ ସମାଜସେବା ଦିଗରେ ଅନୁପ୍ରାଣୀତ କରିପାରିଲେ ତାହା ହିଁ ତାଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ସ୍ୱାମୀଜୀଙ୍କର ତିନୋଟି ଭଲ ଗୁଣ- ଆତ୍ମୟତା, ମିତବ୍ୟୟିତା ଓ ସାଙ୍ଗଠନିକ ବ୍ୟବସ୍ଥା ଆଜିର ଦିନରେ ସମସ୍ତ ସମାଜସେବୀ ଓ ସ୍ୱେଚ୍ଛାସେବୀମାନେ ନିହାତି ଶିକ୍ଷିବା ଦରକାର ବୋଲି ସିୱାଇଏସ୍‍ଡିର ମାର୍ଗଦର୍ଶକ ତଥା ସହ-ପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ । ସ୍ୱାମୀଜୀ କେବଳ ସମାଜସେବାରେ ବ୍ରତୀ ଥିବା ଲୋକ ନୁହେଁ ବରଂ ସେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଓ ଦସ୍ୟାମାନଙ୍କୁ ନିଜର କରିବାର ଯାଦୁ ଜଣାଥିଲା ଏବଂ ସେ ଅନ୍ୟକୁ ଅତି ସହଜରେ ନିଜର କରିପାରୁଥିବା ମଣିଷମାନଙ୍କ ଭିତରେ ଜଣେ ଥିଲେ ବୋଲି ଜଗଦାନନ୍ଦ ମତ ଦେଇଥିଲେ । ସ୍ୱାମୀଜୀଙ୍କ ଭଳି ସହିଷ୍ଣୁ ଓ ସମାଲୋଚନାକୁ ସସମ୍ମାନେ ଗ୍ରହଣ କରିପାରୁଥିବା ସାମାଜସେବୀ ଗଢିବା ହିଁ ଆଜିର ଦିନର ବଡ ଆହ୍ୱାନ ଏବଂ ଏହା କରିପାରିଲେ ତାଙ୍କ ପ୍ରତି ସଠିକ୍‍ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଭାରତ ସରକାରଙ୍କ ନିର୍ବାଚନ କମିଶନରଙ୍କ ପୂର୍ବତନ ପରାମର୍ଶଦାତା ଡ. ଭଗବାନ ପ୍ରକାଶ ଏହି ସ୍ମୃତିଚାରଣ ସଭାକୁ ସଭାପତିତ୍ୱ କରିବା ଅବସରରେ କହିଲେ ଯେ ଜଣେ ଜନ ନେତାଙ୍କ ପାଖରେ ବୌଦ୍ଧିକ, ଭାବନାତ୍ମକ, ନୈତିକ ଓ ସାମାଜିକ ଦାୟିତ୍ୱବୋଧ ସ୍ତର ଭଳି ଚାରୋଟି ପ୍ରମୁଖ ଗୁଣ କେବଳ ସ୍ୱାମୀଜୀଙ୍କ ପାଖରେ ହିଁ ଅର୍ନ୍ତନିହିତ ଥିଲା । ଜଣେ ଜନନେତାଙ୍କୁ ଅନ୍ୟମାନେ ବୁଝିବା ପୂର୍ବରୁ ସେ ନିଜେ ଜନସାଧାରଣଙ୍କୁ ବୁଝିପାରିବାର କ୍ଷମତା ରଖିଥିବା ଦରକାର ବୋଲି ସ୍ୱାମୀଜୀ ବିଶ୍ୱାସ କରୁଥିଲେ ଏବଂ ତାଙ୍କ ଜୀବନକାଳରେ ସେ ଏହି ଆଦର୍ଶରେ ନିଜେ ବଞ୍ଚିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହୋଇପାରିଥିଲେ ବୋଲି ଡ. ପ୍ରକାଶ କହିଥିଲେ । ସାମାଜିକ ବିକାଶ କ୍ଷେତ୍ରରେ ସ୍ୱାମୀଜୀଙ୍କ ସହ ଅନେକ ସିଧାସଳଖ କାମ କରି ତାଙ୍କ ଶିଷ୍ୟ ହୋଇଛନ୍ତି ଏବଂ ଅନେକ ଯୁବକ-ଯୁବତୀ ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏକଲବ୍ୟ ଭଳି ହୋଇପାରିଛନ୍ତି ତେଣୁ ସ୍ୱାମୀଜୀ ର୍ନିଦ୍ୱନ୍ଦରେ ଏହି କ୍ଷେତ୍ରର ନୂତନ ପୀଢି ପାଇଁ ଭୀଷ୍ମ ପିତାମହ ଥିଲେ ବୋଲି ସମାଜସେବୀ ରଞ୍ଜିତ ପଟ୍ଟନାୟକ ମତ ବ୍ୟକ୍ତ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ସହଭାଗୀ ବିକାଶ ଅଭିଯାନର ସଭାପତି ଜଗଦୀଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ଅବସରରେ କହିଲେ ଯେ ସ୍ୱାମୀଜୀଙ୍କ ନୀତି, ଆଦର୍ଶ ଏବଂ ସାମାଜିକ ବିକାଶ ଦିଗରେ ତାଙ୍କ ଅବଦାନଗୁଡିକୁ ପୁସ୍ତକ ଆକାରରେ ପ୍ରକାଶ କରାଗଲେ ଏହା ଆଜିର ଯୁବପୀଢି ତଥା ସ୍ୱେଚ୍ଛାସେବୀମାନଙ୍କୁ ଦିଗଦର୍ଶନ ଦେବା ସହ ପ୍ରେରଣା ଯୋଗାଇବ । ଏହି ସଭାରେ ତାଙ୍କର କନିଷ୍ଠା କନ୍ୟା ସୁଚିତ୍ରା, ପ୍ରମିଳା ସ୍ୱାଇଁ, ପ୍ରହଲ୍ଲାଦ ସିହ୍ନା, ମହେଶ ମିଶ୍ର, ପ୍ରଫେସର କୂଳମଣି ନାୟକ, ଗୀତାଞ୍ଜଳୀ ପଟ୍ଟନାୟକ, ଓଡିଶା ନାଗରୀକ ପରିଷଦର ସଭାପତି ଇଂ ଲଳିତ ପଟ୍ଟନାୟକ ଏବଂ ସିୱାଏସ୍‍ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ତଥା ସମାଜସେବୀ ପ୍ରମୁଖ ସ୍ୱାମୀଜୀଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ