ଜିଲ୍ଲା ସଡକ ସୁରକ୍ଷା ବୈଠକ : ଦୁର୍ଘଟଣା ହ୍ରାସ ଦିଗରେ ଦୃଢ ପଦକ୍ଷେପ ପାଇଁ ସୁପାରିଶ

ବାଲେଶ୍ୱର-  ପ୍ରଥମ ଥର ପାଇଁ ଲୋକସଭା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନୂତନ ବିଜ୍ଞପ୍ତି ପ୍ରକାରେ ଏଣିକି ସ୍ଥାନୀୟ ଲୋକସଭା ସାଂସଦ ଏହି କମିଟିର ଅଧ୍ୟକ୍ଷ ରହିବେ । ଜିଲ୍ଲାପାଳ ଏହି କମିଟିର ସଦସ୍ୟ-ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବେ । ସେହିପରି ଯଦି ଜିଲ୍ଲାରେ ରାଜ୍ୟସଭା ସାଂସଦ ଥାଆନ୍ତି ତା ହେଲେ ସେ ନିମନ୍ତ୍ରିତ ଅତିଥି ଭାବେ କମିଟି ବୈଠକରେ ଯୋଗ ଦେବେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ, ମେୟର କିମ୍ବା ଅଧ୍ୟକ୍ଷ ପୌରପାଳିକା, ସମସ୍ତ ବିଧାୟକ, ସମସ୍ତ ଉପଜିଲ୍ଲାପାଳ, ୩ଟି ସ୍ୱେଚ୍ଛାସେବୀ ସଂଗଠନ, ସଡକ ସୁରକ୍ଷା ସହ ସମ୍ପୃକ୍ତ ଥିବା ଜିଲ୍ଲାସ୍ତରୀୟ ଅଧିକାରୀ, ଅଟୋମୋବାଇଲ ଡିଲର୍ସ, ବ୍ୟବସାୟିକ ପ୍ରତିଷ୍ଠାନର ପ୍ରତିନିଧି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପୂର୍ତ ବିଭାଗର ସର୍ବୋଚ୍ଚ ଅଧିକାରୀ, ଜାତୀୟ ରାଜପଥ ଖଣ୍ଡର ମୁଖ୍ୟ, ଜାତୀୟ ରାଜପଥ କର୍ତୃପକ୍ଷର ଅଧିକାରୀ, ଆଂଚଳିକ ପରିବହନ ଅଧିକାରୀ, ସହକାରୀ ଆଂଚଳିକ ପରିବହନ ଅଧିକାରୀ ଏହି କମିଟିର ସଦସ୍ୟ ଭାବେ ରହିବେ ବୋଲି ନୂତନ ବିଜ୍ଞପ୍ତି ପ୍ରକାଶ ପାଇଥିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି । ସଡକ ଦୁର୍ଘଟଣାଗୁଡିକର ଯୁଗ୍ମ ତଦନ୍ତ କରାଯାଇ ସଠିକ ତଥ୍ୟ ପ୍ରଦାନ ପାଇଁ ଗୃହରେ ମତପ୍ରକାଶ ପାଇଥିଲା । ଏଥି ସହିତ ସଡକ ଦୁର୍ଘଟଣାଗୁଡିକର ସମ୍ଭାବ୍ୟ କାରଣ ଖୋଜି ତାର ନିରାକରଣ ଦିଗରେ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଜିଲ୍ଲାର ସଡକ ଦୁର୍ଘଟଣା ପରିସଂଖ୍ୟାନ ଉପରେ ଆଲୋଚନା କରି ଏହାକୁ ଅନ୍ତତଃ ୨୫% ଯାଏଁ ହ୍ରାସ କରାଯାଇପାରିବ ବୋଲି ମତପୋଷଣ କରିବା ସହ ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥି ସହିତ ବାଲେଶ୍ୱର ସହରଠାରେ ଏକ ଟ୍ରକ ଟର୍ମିନାଲ ସ୍ଥାପନ କାର୍ଯ୍ୟ ଶୀତଳ ଭଣ୍ଡାରରେ ପଡିରହିଥିବା ଗୃହକୁ ଜଣାଇ ଏ ଦିଗରେ ଏକ ସମୁଚିତ ପଦକ୍ଷେପ ନେବାକୁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ସେହିପରି ସହରର ରେମୁଣା ଗୋଲେଇ ଠାରୁ ସହଦେବଖୁଂଟା ଦେଇ ଆଇଟିଆଇ ଯାଏଁ ପୂର୍ବରୁ ଲଗାଯାଇଥିବା ଲୁହା ବାଡ କାହିଁକି କାଢି ଦିଆଗଲା ଏବଂ ତାହା ଏବେ କେଉଁଠି ରହିଛି ସେଥିନେଇ ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ । ବୈଠକରେ ଅଧ୍ୟକ୍ଷ ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥଗୁଡିକରେ ଚିହ୍ନିତ ହୋଇଥିବା ବ୍ଲାକ ସ୍ପଟ୍ ଗୁଡିକ ନିକଟରେ ସତର୍କତାମୂଳକ ସୂଚନା ଲଗାଇବା, ଏ ଦିଗରେ ଚାଳକମାନଙ୍କୁ ଅବଗତ କରିବା ପ୍ରଭୃତି କାର୍ଯ୍ୟକୁ ପ୍ରାଥମିକତା ଦେବାକୁ କହିଥିଲେ । ବହୁ ସମୟରେ ନାବାଳକମାନେ ବାଇକ ଚଳାଇ ଦୁର୍ଘଟଣାର ଶୀକାର ହେଉଥିବାରୁ ସେମାନଙ୍କୁ ସାବଧାନ କରିବା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ଭିଡିଓ ସୋ ପ୍ରଭୃତି ଆୟୋଜନ ସହିତ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେ ଜୋର ଦେଇଥିଲେ । ସେଥିପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ମନୋନୀତ କରାଯାଇ କିଛି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏ ସମ୍ବନ୍ଧରେ ସ୍ୱତନ୍ତ୍ର ତାଲିମ ଦେବାକୁ ସେ ପରାମର୍ଶ ଦେଇଥିଲେ । ଏଥିରେ ଜାତୀୟ ରାଜପଥ କର୍ତୃପକ୍ଷ ସହାୟତା ପ୍ରଦାନ କରିବାକୁ କୁହାଯାଇଥିଲା । ତା ଛଡା ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ଡାକ୍ତରଖାନା ଆଣୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରହିଥିବା ଗୁଡ୍ ସମରିଟାନ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସେ କହିଥିଲେ । ଏହି ବ୍ୟବସ୍ଥା ଆମ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଷୟ ଉଲ୍ଲେଖ କରି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ସ୍ୱତନ୍ତ୍ର ପୋଷ୍ଟର, ବ୍ୟାନର ଲଗାଇବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ଭଦ୍ରକ ସାଂସଦ ପ୍ରତିନିଧି ଶ୍ରୀ ଅଶ୍ୱିନୀ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପ।।ଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଶ୍ରୀ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ, ନୀଳଗିରି ଶ୍ରୀ ହରିଶ ଚନ୍ଦ୍ର ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ, ଜାତୀୟ ରାଜପଥ, ବାଲେଶ୍ୱର ପିଡି ଶ୍ରୀ ପି ନାଗେଶ୍ୱର ରାଓ, ଜାତୀୟ ରାଜପଥ,ଖଡଗପୁର ପିଡି ଧିରାଜ କୁମାର ଭାରତୀ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ବିକାଶ କୁମାର ଚୌଧୁରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ, ଟ୍ରକ ମାଲିକ ସଂଘ, ବ୍ୟବସାୟିକ ପ୍ରତିଷ୍ଠାନର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ