‘ଦୁର୍ନୀତିମୁକ୍ତ ନିର୍ବାଚନ ଓ ଆଦର୍ଶ ପ୍ରତିନିଧି ଚୟନ’ ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ଭୁବନେଶ୍ୱର ତରଫରୁ ‘ଦୁର୍ନୀତିମୁକ୍ତ ନିର୍ବାଚନ ଓ ଆଦର୍ଶ ପ୍ରତିନିଧି ଚୟନ’ ଉପରେ ଏକ ଆଲୋଚନା ଚକ୍ର ନେହରୁ ଯୁବ କେନ୍ଦ୍ର ପରିସରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ଓଡ଼ିଶାପ୍ରେମୀ ତଥା ଜର୍ମାନୀରେ ରହୁଥିବା ଇଞ୍ଜିନିୟର ଡଃ ରାଜେନ୍ଦ୍ର ନାରାୟଣ ଦାସ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ତାଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ମଞ୍ଚ ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସ । ସେ ସ୍ୱାଗତ ଭାଷଣ ଜଣାଇବା ପରେ ଆଲୋଚ୍ୟ ବିଷୟ ଉପରେ ପ୍ରାରମ୍ଭିକ ଅଭିଭାଷଣ ତଥା କି-ନୋଟ୍-ଆଡ୍ରେସ୍ ପ୍ରଦାନ କରିଥିଲେ । ସେ କହିଥିଲେ ଓଡ଼ିଶା ରାଜ୍ୟ ପ୍ରାକୃତିକ ଧନ ସମ୍ପଦରେ ପରିପୂର୍ଣ୍ଣ ଥିବା ସତ୍ତେ୍ୱ ରାଜନୈତିକ ନେତା ଓ ସରକାରୀ ଅଧିକାରୀଙ୍କ ଦୁର୍ନୀତି ଯୋଗୁ ଓଡ଼ିଶାର ଲୋକମାନେ ଏବେ ବି ଗରିବ । ସବୁ ନିର୍ବାଚନ ସମୟରେ ଆମ ଲୋକଙ୍କ ନିରକ୍ଷରତା, ଅନ୍ଧ ବିଶ୍ୱାସ, ସରଳ ସୁଯୋଗ ନେଇ ସାମୟିକ ଅର୍ଥ ଲାଞ୍ଚ ଆକାରରେ ଦେଉଛନ୍ତି ଓ ଯୁବଗୋଷ୍ଠୀଙ୍କୁ ମଦ, ମାଂସ, ଭୋଜି ଓ ଅର୍ଥର ପ୍ରଲୋଭନ ଦେଖାଇ ନିର୍ବାଚନ ଜିତୁଛନ୍ତି । ଏଣୁ ଆମ ଓଡ଼ିଶା ଭୋଟରମାନେ ସଚେତନ ହୋଇ ଏହି ସାମୟିକ ଅର୍ଥ ଲାଳସାରୁ ଦୂରେଇ ରଖନ୍ତୁ ଓ ସଠିକ୍ ଲୋକଙ୍କୁ ଭୋଟ ଦିଅନ୍ତୁ ବୋଲି ମତ ରଖିଥିଲେ । ମୁଖ୍ୟ ବକ୍ତା ଡ଼ଃ ରାଜେନ୍ଦ୍ର ନାରାୟଣ ଦାସ ଓଡ଼ିଶା ତଥା ଆମ ଦେଶର ନିର୍ବାଚନ ପ୍ରକ୍ରିୟାରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଭୋଟରଙ୍କୁ ସଚେତନ କରିପାରିଲେ ନିର୍ବାଚନ ଦୁର୍ନୀତିମୁକ୍ତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସେ ଜର୍ମାନୀ ତଥା ୟୁରୋପର ଅନ୍ୟ ଦେଶମାନଙ୍କରେ କିପରି ବିନା ଦୁର୍ନୀତିରେ ନିର୍ବାଚନ ପ୍ରକ୍ରିୟା ହୋଇପାରୁଛି ସେ ସମ୍ବନ୍ଧରେ ବିଶେଷ ସୂଚନା ଦେଇଥିଲେ । ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ତରଫରୁ ଏପରି ଏକ ସଚେତନ କାର୍ଯ୍ୟକ୍ରମ ନିଆଯାଇଥିବାରୁ ସେ ମଞ୍ଚର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ରାଜ୍ୟ ନିର୍ବାଚନକୁ ଦୁର୍ନୀତିମୁକ୍ତ କରିବା ପାଇଁ ସବୁ ମଞ୍ଚରେ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯିବ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନ ସଚେତନତା କର୍ମଶାଳାମାନ ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ରରେ ମଞ୍ଚର ଅନେକ କର୍ମକର୍ତ୍ତା ଓ ସମଭାବାପନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଭାଗ ନେଇଥିଲେ । ମଞ୍ଚରେ ଅନେକ ସଭ୍ୟ ସଭ୍ୟା ଯଥା ଉପସଭାପତି ବଂଶୀଧର ପାଢୀ, ସହ ସମ୍ପାଦକ କ୍ଷିତିଶ ପାଲଟା ସିଂ, ସହକାରୀ ସମ୍ପାଦକ ପ୍ରଭାତ ସାହୁ ଓ ଉପାସନା ରାଓ, ମହିଳା ମୋର୍ଚ୍ଚା ଆବାହିକା ବନଜା ତ୍ରିପାଠୀ, ଜ୍ୟୋତ୍ସ୍ନା ଦାସ, ଆଇନ୍ଜୀବୀ ସୁଧୀର ମହାନ୍ତି, କୋଷାଧ୍ୟକ୍ଷ ଅମିର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ଓ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ । ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରିଥିଲେ ବନଜା ତ୍ରିପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ ଉପାସନା ରାଓ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ