ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ୯୪ ଜଣ ଗର୍ଭବତୀ ମହିଳା ହୃଦ୍ରୋଗରେ ପୀଡିତ
କଟକ, (ଓ୍ବାଇଏନଏସ): ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପ୍ରାୟ ୧ ହଜାର ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ସେମାନଙ୍କ ମଧ୍ୟରୁ ୯୪ ଜଣଙ୍କର ହୃଦ୍ରୋଗ ଚିହ୍ନଟ ହୋଇଛି। ଏଥିରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗର୍ଭବତୀଙ୍କର ହୃଦ୍ରୋଗଜନିତ ଅସ୍ତ୍ରୋପଚାର ହୋଇଛି ଏବଂ ଜଣେ ମହିଳାଙ୍କର ପେସ୍ ମେକର୍ ଲଗାଯାଇଛି। ୮ ଜଣ ମହିଳାଙ୍କ ହୃଦ୍ରୋଗ ଜଟିଳ ହୋଇପଡ଼ିବାରୁ ଗର୍ଭପାତ କରାଯାଇଛି। ୨୦୨୪, ଜୁନ ମାସରୁ ଏହି ସର୍ଭେ ଆରମ୍ଭ ହୋଇଥିବା ବେଳେ ଦେଢ଼ବର୍ଷ ଭିତରେ ଏଭଳି ତଥ୍ୟ ଉଦ୍ବେଗର କାରଣ ହୋଇଛି। ଏଥିପାଇଁ ଆଇସିଏମ୍ଆର୍ (ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ପକ୍ଷରୁ ଏସ୍ସିବି ମେଡିକାଲ କଲେଜରେ ଏକ ଅନୁଧ୍ୟାନ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏହା ଚାରି ବର୍ଷ ଧରି ଚାଲିବ। ଗର୍ଭାବସ୍ଥାରେ ମହିଳାମାନଙ୍କୁ କିପରି ସୁରକ୍ଷିତ ଭାବେ ଚିକିତ୍ସିତ କରାଯାଇପାରିବ, ତାହା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ । ପ୍ରଥମେ ମାଡ୍ରାସ ମେଡିକାଲ୍ କଲେଜରେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା ହୃଦ୍ରୋଗକୁ ନେଇ ଅନୁଧ୍ୟାନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସାରା ଭାରତରେ ୫୦ଟି ମେଡିକାଲ୍ କଲେଜରେ ଏହି ଅନୁଧ୍ୟାନ ଆରମ୍ଭ ହୋଇଥିଲା। ନ୍ୟାସନାଲ୍ ପ୍ରେଗ୍ନେନ୍ସି ଏଣ୍ଡ କାର୍ଡିଆକ୍ ଡିଜିଜ୍ ଷ୍ଟଡି ନାଁରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୨୦୨୮ରେ ଶେଷ ହେବ। ଏସ୍ସିବିର ହୃଦ୍ରୋଗ ଓ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ଉପରେ କାମ କରାଯାଉଛି। ସାଧାରଣତଃ ଗର୍ଭବତୀ ସମୟରେ ପ୍ରଶ୍ବାସ ନେବାରେ ସମସ୍ୟା, ଧଇଁସଇଁ, ଅଣନିଶ୍ବାସୀ ଲାଗିବା, ଗୋଡ଼ହାତ ଫୁଲିବା, ଛାତିରେ ଯନ୍ତ୍ରଣା, ମୂର୍ଚ୍ଛା ହୋଇଯିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏସ୍ସିବିକୁ ଆସୁଥିବା ଗର୍ଭବତୀଙ୍କ ଏଭଳି ଲକ୍ଷଣ ଥିଲେ ପ୍ରଥମେ ସେମାନଙ୍କର ଆବଶ୍ୟକ ପରୀକ୍ଷା କରାଯାଉଛି। ହୃଦ୍ରୋଗ ଚିହ୍ନଟ ହେଲେ ସେମାନଙ୍କର ଚିକିତ୍ସା ଆରମ୍ଭ ସହିତ ସ୍ବାଭାବିକ ପ୍ରସବ ନ କରି ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯାଉଛି। ଅସ୍ତ୍ରୋପଚାର ପରେ ଡିସ୍ଚାର୍ଜ ସମୟରେ ହୃଦ୍ରୋଗଜନିତ ସମସ୍ତ ଔଷଧ ମାଗଣାରେ ଦିଆଯାଉଛି। ପ୍ରଫେସର ଡା. ସସ୍ମିତା ସ୍ବାଇଁ, ପ୍ରଫେସର ଡା. ଦୀପକ ରଞ୍ଜନ ଦାସ, ସହକାରୀ ପ୍ରଫେସର ଡା. ପ୍ରମୋଦ କୁମାର ସାହୁ, ଗବେଷଣା ସହାୟକ ସାର୍ଥକ କୁମାର ବେହେରାଙ୍କୁ ନେଇ ଗଠିତ ଟିମ୍ ସର୍ଭେରେ ସାମିଲ ଅଛନ୍ତି।


