ବାସହରା ଓଡ଼ିଶାର ବିରୋଧୀ ଦଳ ନେତା

ଭୁବନେଶ୍ବର : ଶାସନ ତନ୍ତ୍ରରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ମୋ ସରକାର ଓ ୫-ଟି ବ୍ୟବସ୍ଥା ପ୍ରଚଳନ କରିଛନ୍ତି। କିନ୍ତୁ ଏହି ରାଜ୍ୟର ଜଣେ ବିରୋଧୀ ଦଳ ନେତାଙ୍କର ନିଜର ଘର ଖଣ୍ଡେ ନାହିଁ। ତାଙ୍କୁ ଆଜି ପର୍ଯ୍ୟନ୍ତ ରାଜଧାନୀରେ ସରକାରୀ କ୍ବାର୍ଟର୍ସଟିଏ ଯୋଗାଇ ଦିଆଯାଇନାହିଁ। ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟରେ କେଉଁଭଳି ଭାବେ ଶାସନ ତନ୍ତ୍ର ଚାଲିଛି।
ପ୍ରଦୀପ୍ତ କୁମାର ନାୟକ। ୨୦୧୯ ସାଧାରଣ ନିର୍ବାଚନରେ ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟ ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବିରୋଧୀ ଦଳ ନେତାର ଆସନ ମିଳିଥିଲା। ୨୦୧୯ ମେ’ ୨୩ ତାରିଖରେ ସେ ବିରୋଧୀ ନେତା ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସରକାରୀ ନିୟମ ମୁତାବକ ଜଣେ ଜନପ୍ରତିନିଧି ହିସାବରେ ତାଙ୍କୁ ଭୁବନେଶ୍ବରରେ ସରକାର କ୍ବାର୍ଟର୍ସ ଖଣ୍ଡେ ମିଳିବା କଥା। ମାତ୍ର ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରିନାହିଁ। ଫଳରେ ପ୍ରତିଦିନ ତାଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଧାନସଭା ଅଧିବେଶନ ଚାଲିଥିବାବେଳେ ସେ ଏମ୍‌ଏଲ୍‌ଏ ଗେଷ୍ଟହାଉସ୍ ଅଥବା ଏଠିସେଠି ରହିଥାଆନ୍ତି। ଭବାନୀପାଟଣାରୁ ସେ ପ୍ରତିନିଧିତ୍ବ କରୁଥିବାରୁ ପ୍ରତିଦିନ ତାଙ୍କୁ ଦେଖାକରିବା ଲାଗି ସମର୍ଥକ ଓ ସାଧାରଣ ଲୋକମାନେ ବିଭିନ୍ନ ସମସ୍ୟା ନେଇ ଆସିଥାଆନ୍ତି। ହେଲେ ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିବା ଲାଗି ତାଙ୍କ ପାଖରେ ଘର ଖଣ୍ଡେ ନାହିଁ। ସୂଚନା ଥାଉ କି ପ୍ରଦୀପ୍ତ କୁମାର ନାୟକ ତାଙ୍କ ରାଜନୈତିକ ଜୀବନ କାଳରେ ୪ ଥର ବିଧାୟକ ଏବଂ ଗୋଟିଏ ଥର ମନ୍ତ୍ରୀ ହୋଇସାରିଛନ୍ତି। ଅଦ୍ୟାବଧି ତାଙ୍କୁ ସରକାରୀ କ୍ବାର୍ଟର୍ସ ନ ମିଳିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଇତିମଧ୍ୟରେ ନିର୍ବାଚନ ସରିବାର ୬ ମାସରୁ ଅଧିକ ସମୟ ବିତିସାରିଲାଣି। କିନ୍ତୁ ତାଙ୍କ ପାଇଁ ସରକାରୀ କ୍ବାର୍ଟର୍ସ ମିଳିବା ଅପହଞ୍ଚ ହୋଇପଡ଼ିଛି। ଯଦି ରାଜ୍ୟରେ ଜଣେ ଜନପ୍ରତିନିଧି ତଥା ବିରୋଧୀ ଦଳ ନେତାଙ୍କର ଏଭଳି ଅବସ୍ଥା, ତେବେ ସାଧାରଣ ଲୋକେ ସରକାରୀ ଯୋଜନାର ସୁଫଳତା କିପରି ପାଉଥିବେ, ତାହା ଏହି ଘଟଣାରୁ ଜଳଜଳ ହୋଇ ସ୍ପଷ୍ଟ ବାରି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ