ଲବକୁଶ ବିଦ୍ୟାମନ୍ଦିରର ୨୯ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଜୟଦେବ ଭବନରେ ଲବକୁଶ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍‌-୬ସ୍ଥିତ ଲବକୁଶ ବିଦ୍ୟାମନ୍ଦିରର ୨୯ତମ ବାର୍ଷିକ ଉତ୍ସବ ମହାନନ୍ଦରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼ଃ ବ୍ରଜକିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଡ. ତ୍ରିନାଥ ଦାସ ମୁଖ୍ୟ ଅତିଥିଭାବେ, ମନୋବିଜ୍ଞାନୀ ଓ ସମାଜ ସଂସ୍କାରକ ଡ. ସମ୍ବିତ୍ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦାନ କରି କହିଥିଲେ ଯେ, ଆଜିକାଲି ପିଲାମାନଙ୍କ ପାଇଁ ଅଭିଭାବକମାନଙ୍କ ମଧ୍ୟରେ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି । ଯାହାର ପ୍ରଭାବ କୋମଳମତି ପିଲାମାନଙ୍କ ଉପରେ ପଡ଼ୁଛି । ତଦ୍ୱାରା ସେମାନଙ୍କ ନିଜସ୍ୱ ପ୍ରତିଭାର ବିକାଶ ବାଧାପ୍ରାପ୍ତ ହେଉଛି ଏବଂ ସେମାନେ ପିତାମାତାଙ୍କ ନିର୍ଦ୍ଦେଶିତ ଶିକ୍ଷାକୁ ଜବରଦସ୍ତ ଆପଣେଇବାକୁ ବାଧ୍ୟ ହୋଇ ଯନ୍ତ୍ରବତ ପରିଚାଳିତ ହେଉଛନ୍ତି । ତେଣୁ ସେମାନଙ୍କ ଶୈଶବ ଚାପରେ ଅତିବାହିତ ହେଉଛି । ଏହା କରିବା ଉଚିତ୍ ନୁହେଁ ବୋଲି ସୁନ୍ଦର ଗପ ଛଳରେ ଅତିଥିମାନେ ବୁଝାଇବା ସହ ଅଭିଭାବକମାନଙ୍କୁ ପିଲାଙ୍କ ପ୍ରତି ନିଜର ଦାୟିତ୍ୱ ବିଷୟରେ ସଚେତନ କରାଇଥିଲେ । ଏହି ଅବସରରେ କୃତ୍ତି ଏବଂ ମେଧାବୀ ପିଲାମାନଙ୍କୁ ପୁରସ୍କାର ଫଳକ ଏବଂ ପ୍ରମାଣପତ୍ର ପ୍ରଦାନ କରି ଅତିଥିମାନେ ଆଶୀର୍ବାଦ କରିଥିଲେ । ସଭା ମଧ୍ୟରେ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ପିଲାମାନଙ୍କୁ ସଙ୍ଗୀତ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ସଚି ସାର ଓ ରୌମ୍ୟରଞ୍ଜନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ପୁରସ୍କାର ବିତରଣକୁ ମିସ୍ ରଞ୍ଜିତା ପାତ୍ର, ଖୁଲଣା ସାହୁ, ଗୀତାଞ୍ଜଳି ଦାସ, ରଶ୍ମିତା ଗୁରୁମା ପ୍ରମୁଖ ପରିଚାଳନା କରିବା ସହ ମମତା ନାୟକ, ସୁମିତା ନାୟକ, ଗାୟତ୍ରୀ ନାୟକ ଓ ବୁଲୁ ଗରୁମା ଏବଂ ରଶ୍ମିତା ବାରିକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାମନ୍ଦିରର କୁନି କୁନି ପିଲାମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ସମ୍ପାଦିକା ନିହାରିକା ମହାନ୍ତି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ସମାଜସେବୀ ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ ପୂର୍ବକ ସମଗ୍ର ଉତ୍ସବଟିକୁ ସଞ୍ଚାଳନ କରିଥିଲେ । ପରିଚାଳନା କମିଟି ସଦସ୍ୟ ପ୍ରଦିପ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଛତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀ, ଗୁରୁମା ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଉତ୍ସବଟି ସରସ ସୁନ୍ଦର ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ