ଶୋଇବା ସମୟରେ ଝଟକା ଲାଗୁଥିଲେ…

ଅନେକ ସମୟରେ ଶୋଇବାବେଳେ ପଡ଼ିଗଲା ଭଳି ଲାଗେ। ନିଦରେ ଆମେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିଥାଉ। ବେଳେବେଳେ ଶୋଇଥିବାବେଳେ କିଛି ଗୋଟାଏ ଧକ୍କା ହେବା ଭଳି ମନେହୁଏ। ତେବେ ଆପଣଙ୍କୁ ଜଣାଅଛି ଏମିତି କାହିଁକି ହୁଏ? ଚାଲନ୍ତୁ ଜାଣିବା ଶୋଇବା ସମୟରେ କାହିଁକି ଝଟ୍‌କା ଲାଗେ।
ଏହାକୁ ହାଇପନିକ୍‌ ଜର୍କ ବା ସ୍ଲିପ୍‌ ଷ୍ଟାର୍ଟର ବୋଲି କୁହାଯାଏ। ଏହା ଚେଇଁବା ଓ ଶୋଇବାର ମଧ୍ୟବର୍ତ୍ତୀ ଅବସ୍ଥା ଅଟେ। ଅର୍ଥାତ ସମ୍ପୂର୍ଣ୍ଣ ନିଦ୍ରା ଯିବାର ପୂର୍ବାବସ୍ଥା ଅଟେ। ବ୍ୟକ୍ତି ହାଲୁକା ନିଦରେ ଥିବାବେଳେ ଏହି ଝଟ୍‌କା ଅନୁଭବ ହୁଏ। ବ୍ୟକ୍ତି ଏହି ସମୟରେ ଗାଢ଼ ନିଦରେ ନ ଥାନ୍ତି କିମ୍ବା ସମ୍ପୂର୍ଣ୍ଣ ଭାବେ ଜାଗ୍ରତ ମଧ୍ୟ ନ ଥାନ୍ତି। ହୃଦ୍‌ ସ୍ଫନ୍ଦନ ଏବଂ ଶ୍ବାସ ପ୍ରଶ୍ବାସ ଧୀରେ ହେବାରେ ଲାଗିଲେ ଅର୍ଥାତ ଶୋଇବାର ପ୍ରାରମ୍ଭିକ ସୋପାନରେ ଏପରି ହୋଇଥାଏ।
ବିଶେଷଜ୍ଞଙ୍କ ଅନୁସାରେ ଶୋଇବା ସମୟରେ ଝଟ୍‌କା ଅନୁଭବ କରିବା ଏକ ସାଧାରଣ କଥା। ପାଖାପାଖି ୬୦ରୁ ୭୦ ପ୍ରତିଶତ ଲୋକଙ୍କୁ ଏଭଳି ଅନୁଭବ ହୁଏ। କେତେକ ଲୋକଙ୍କୁ ଏହି ହାଇପନିକ ଜର୍କ ଲାଗୁଥିଲେ ମଧ୍ୟ ସେମାନଙ୍କର ମନେ ରହେ ନାହିଁ କିମ୍ବା ଜାଣିପାରି ନ ଥାନ୍ତି। ବିଶେଷକରି ଝଟ୍‌କା ଲାଗିବା ସମୟରେ ନିଦ ନ ଭାଙ୍ଗିଲେ ଲୋକେ ଏହି ହାଇପନିକ ଜର୍କ ସମ୍ପର୍କରେ ଜାଣିବା କଷ୍ଟକର ହୋଇପଡ଼ିଥାଏ। ଏହା କୌଣସି ରୋଗ କିମ୍ବା ନର୍ଭସ ସିଷ୍ଟମ୍‌ ଡିଜଅର୍ଡର ନୁହେଁ। ଏହା ଏକ ସ୍ବଭାବିକ ପ୍ରକ୍ରିୟା ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ କହିଛନ୍ତି। ତେବେ ଏହା କାହିଁକି ହୁଏ, ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଗବେଷଣାରେ ସ୍ପଷ୍ଟ କରାଯାଇନାହିଁ। ମାତ୍ର ବୈଜ୍ଞାନିକ ଏପରି ହେବାର ଅଲଗା ଅଲଗା କାରଣ କହୁଛନ୍ତି। ସ୍ବପ୍ନରେ ପଡ଼ିଯାଉଥିଲେ କିମ୍ବା ଅନ୍ୟ କୌଣସି ସମସ୍ୟାରେ ଥିଲେ ତାଙ୍କୁ ହାଇପନିକ ଜର୍କ ଲାଗେ ବୋଲି କେତେକ ଲୋକେ କହନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ ମାନସିକ ଚାପ, ଚିନ୍ତା, ଥକ୍କାପଣ, କଫିନ୍‌ ସେବନ ଏବଂ କମ୍‌ ଶୋଇବା ଏହା ପଛର କାରଣ ବୋଲି କେତେକ ବୈଜ୍ଞାନିକ ମତ ଦେଇଛନ୍ତି। ଅନେକ ସମୟରେ ସନ୍ଧ୍ୟାରେ ମାତ୍ରାଧିକ ଶାରୀରିକ ପରିଶ୍ରମ କିମ୍ବା ବ୍ୟାୟାମ ମଧ୍ୟ ଏହି ହାଇପନିକ ଜର୍କର କାରଣ ହୋଇପାରେ। ଶୋଇବା ସମୟରେ ମାଂସପେଶୀ ରିଲାକ୍ସ ହୋଇଥାନ୍ତି। ସ୍ବପ୍ନ ଦେଖିବା ସମୟରେ ମଧ୍ୟ ମାଂସପେଶୀ ହଲଚଲ ହୋଇ ନ ଥାନ୍ତି। ମସ୍ତିଷ୍କ ଅନେକ ସମୟରେ ଆରାମ ପ୍ରକ୍ରିୟାକୁ ଭୁଲ୍‌ ଢଙ୍ଗରେ ବୁଝିଥାଏ। ଏହାକୁ କୌଣସି ଗଛ କିମ୍ବା ବିଛଣାରୁ ପଡ଼ିଯାଉଥିବା ଘଟଣା ଭାବି ସିଗ୍‌ନାଲ ପଠାଇଥାଏ। ଏହି କାରଣରୁ ମାଂସପେଶୀ ହଠାତ୍‌ ପ୍ରତିକ୍ରିୟା ଦେଇଥାନ୍ତି। ଅନ୍‌କମ୍ଫର୍ଟେବଲ ପୋଜିଶନ୍‌ରେ ଶୋଇବା, କମ୍‌ ନିଦ ଶୋଇବା ପାଇଁ ମଧ୍ୟ ଏପରି ହୋଇଥାଏ। କାରଣ ଏହି ସମୟରେ ଅଧା ମସ୍ତିଷ୍କ କ୍ରିୟାଶୀଳ ଥାଏ। ସେହିପରି ନର୍ଭକୁ ଉତ୍ତେଜିତ କରୁଥିବା ଔଷଧ ମାତ୍ରାଧିକ ସେବନ କରିବା ଦ୍ବାରା ମଧ୍ୟ ହାଇପନିକ ଜର୍କର ଆଶଙ୍କା ବଢ଼ିଯାଏ। ଶୋଇବା ସମୟରେ ଝଟ୍‌କା ଲାଗିବା ସାଧାରଣ କଥା। ମାତ୍ର ଏହା ଯଦି ଆପଣଙ୍କୁ ବାରମ୍ବାର ବିଚଳିତ କରୁଛି, ତେବେ କୌଣସି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ