ପିଲାମାନେ ପରସ୍ପର ସହ ଝଗଡ଼ା କରିବା ଭଲ

ପିଲାଙ୍କୁ ପରସ୍ପର ସହିତ ଝଗଡ଼ା କରୁଥିବା ଦେଖି ବାପା ମା’ ମାନେ ବ୍ୟସ୍ତ ଓ ଚିନ୍ତିତ ହୋଇପଡ଼ନ୍ତି। ଅନେକ ସମୟରେ ପିଲାଙ୍କ ଝଗଡ଼ା ବନ୍ଦ କରିବାକୁ ଯାଇ ବାପା ମା’ ମାନେ ସେମାନଙ୍କୁ ରୋକିଥାନ୍ତି କିମ୍ବା ବୁଝାଇବାକୁ ଚେଷ୍ଟା କରିଥାନ୍ତି। ବେଳେବେଳେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେଲେ ରାଗରେ ସେମାନଙ୍କୁ ମାଡ଼ଗାଳି ମଧ୍ୟ ଦେଇଥାନ୍ତି। ମାତ୍ର ପିଲାମାନେ ପରସ୍ପର ସହିତ ଝଗଡ଼ା କରୁଥିଲେ ଆଉ ବ୍ୟସ୍ତ ହେବା ଦରକାର ନାହିଁ। କାରଣ ଏକ ଗବେଷଣାରୁ ଜଣାପଡ଼ିଛି ଯେ ପିଲାମାନେ ପରସ୍ପର ସହିତ ଝଗଡ଼ା କରିବା ସେମାନଙ୍କ ପାଇଁ ଲାଭଦାୟକ। ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ୍‌ ସେଣ୍ଟର ଅଫ୍‌ ଫ୍ୟାମିଲି ରିସର୍ଚ୍ଚରେ ଏ ସମ୍ପର୍କରେ ୫ ବର୍ଷ ଧରି ଏକ ଗବେଷଣା କରାଯାଇଥିଲା। ଏହାର ଫଳାଫଳ ସଭିଙ୍କୁ ଚକିତ କରିଦେଇଛି। ଚାଲନ୍ତୁ ଜାଣିବା ପିଲାମାନେ ପରସ୍ପର ସହିତ ଝଗଡ଼ା କରୁଥିଲେ କ’ଣ ଫାଏଦା ମିଳେ।
କଠିନ ସମୟରେ ଲଢ଼ିବା ଶିଖାଏ
ଏହି ଗବେଷଣା ୨ରୁ ୬ ବର୍ଷ ବୟସର ପିଲାଙ୍କୁ ନେଇ କରାଯାଇଥିଲା। ଏହି ପିଲାଙ୍କ ବାପା ମା’ ସେମାନଙ୍କ ଝଗଡ଼ାକୁ ନେଇ ବେଶ୍‌ ଚିନ୍ତିତ ଥିଲେ। ଗବେଷଣା ଅନୁସାରେ ପିଲାଙ୍କ ମଧ୍ୟରେ ହେଉଥିବା ଝଗଡ଼ା ସେମାନଙ୍କୁ କଠିନ ସମୟରେ ଲଢ଼ିବା ଏବଂ ଭବିଷ୍ୟତରେ ସମ୍ପର୍କର ଗୁରୁତ୍ବ ବୁଝାଇବାରେ ସାହାଯ୍ୟ କରେ।
ଯୋଗାଯୋଗ ଦକ୍ଷତା ଉନ୍ନତ ହୁଏ
ଗବେଷଣା ଫଳାଫଳକୁ ନେଇ ବିଶେଷଜ୍ଞମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ପିଲାଙ୍କ ମଧ୍ୟରେ ହେଉଥିବା ଝଗଡ଼ା ମାଧ୍ୟମରେ ଯୋଗଯୋଗ ଦକ୍ଷତା ଉନ୍ନତ ହେବା ସହ ଭାଷା ଶିଖିବାରେ ସହଜ ହୁଏ। ଏହି ଝଗଡ଼ା ମଧ୍ୟରେ ପିଲା ନିଜ ଭାବନାକୁ ନିୟନ୍ତ୍ରଣ କରିବା ଶିଖିବା ସହିତ ସେମାନଙ୍କ କେଉଁ କଥା ବା କାର୍ଯ୍ୟ ଅନ୍ୟକୁ କଷ୍ଟ ଦେବ, ତାହା ମଧ୍ୟ ବୁଝି ପାରିଥାନ୍ତି। ଏକ ଛୋଟ ଝଗଡ଼ାରୁ ପିଲା ନିଜ ଜୀବନର କଠିନ ପରିସ୍ଥିତି ଏବଂ ନିଜ ବ୍ୟକ୍ତିତ୍ବ ଅନୁସାରେ ସୁସ୍ଥ ଆଲୋଚନା କରିବା ମଧ୍ୟ ଶିଖିପାରନ୍ତି।
ଛୋଟ ଛୋଟ ଝଗଡ଼ାକୁ କରନ୍ତୁ ଅଣଦେଖା
ବିଶେଷଜ୍ଞଙ୍କ ଅନୁସାରେ ଯଦି ପିଲାମାନଙ୍କ ମଧ୍ୟରେ ଛୋଟ ଛୋଟ ଝଗଡ଼ା ହେଉଛି, ତେବେ ମା’ ବାପାମାନେ ମଝିରେ ରୋକିବା ଉଚିତ ନୁହେଁ। ଯେ ପର୍ଯ୍ୟନ୍ତ ଝଗଡ଼ାରେ ପରସ୍ପର ସହିତ ମାଡ଼ପିଟ୍‌ କିମ୍ବା ଖରାପ ବ୍ୟବହାର ପ୍ରଦର୍ଶନ କରି ନାହାନ୍ତି, ସେ ପର୍ଯ୍ୟନ୍ତ ମା’ ବାପାଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ। ପରସ୍ପରକୁ ବୁଝିବା ଏବଂ ନିଜ ଭିତରେ ଝଗଡ଼ାର ସମାଧାନ ପାଇଁ ପିଲାଙ୍କୁ ସୁଯୋଗ ଦେବା ଉଚିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ