ନେତାଜୀ ଜୟନ୍ତୀରୁ ଯାତ୍ରା ଆରମ୍ଭ୧୦୦ ଦିନରେ ୧୨ଶହ କିଲୋମିଟର ପଦଯାତ୍ରା, ୨୫୦ ସଭା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଚାଷୀ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼ ଦେବା ସହ ମେ ମାସ ଆନ୍ଦୋଳନକୁ ସଫଳ କରିବା ଓ ଚାଷୀ ପେନ୍‌ସନ ଦାବୀ ହାସଲ ପାଇଁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନ୍ୟାୟ ଯାତ୍ରା ଆସନ୍ତା କାଲି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରୁ ଆରମ୍ଭ ହେଉଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନନ୍ଦ କହିଲେ ଯେ, ନେତାଜୀଙ୍କର ଆଦର୍ଶ ଥିଲା ଅର୍ଥନୈତିକ ସ୍ୱାଧୀନତା ବ୍ୟତିରକେ ରାଜନୈତିକ ସ୍ୱାଧୀନତାର ମୂଲ୍ୟ କିଛି ନୁହେଁ । ଆଜି ସ୍ୱାଧୀନତାର ୭୩ ବର୍ଷ ପରେ ଯଦି କେହି ଅର୍ଥନୈତିକ ଭାବେ ପରାଧୀନ ଥାଏ, ତେବେ ସେ ହେଉଛନ୍ତି ଦେଶର ଅନ୍ନଦାତା, ମେରୁଦଣ୍ଡ ଚାଷୀ । ଏଥିପାଇଁ ନ୍ୟାୟ ଯାତ୍ରା ବାହାର କରାଯାଇଛି ଚାଷୀମାନେ ଅହିଂସକ ଓ ଗଣତାନ୍ତ୍ରିକ ଭାବେ ଯେତେ ଆନ୍ଦୋଳନ କଲେ ବି ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଶିଳ୍ପ ଓ ସେବା କ୍ଷେତ୍ରରେ ସମସ୍ୟା ଦେଖା ହେଉ ହେଉ ସେମାନଙ୍କର ସମସ୍ୟାକୁ ଅଗ୍ରାଧିକାରୀ ଭିତ୍ତିରେ ସମାଧାନ କରାଯାଇ ସେମାନଙ୍କୁ ଅଯାଚିତ ସାହାଯ୍ୟ ସରକାର ଅଜାଡ଼ି ଦେଉଛନ୍ତି । କିନ୍ତୁ ଚାଷୀ କ୍ରମାଗତ ଚାଷରେ କ୍ଷତି ସହି ଆତ୍ମହତ୍ୟା କଲେ ବି ସରକାର ନାଁ ଚାଷୀର ଆତ୍ମହତ୍ୟାକୁ ଚାଷରେ କ୍ଷତିଜନିତ ଆତ୍ମହତ୍ୟା ବୋଲି ସ୍ୱୀକାର କରୁଛନ୍ତି ନା କ୍ଷତିପୂରଣ ଦେଉଛନ୍ତି । ବରଂ ଖୁବ୍ ସୁନ୍ଦର ସୁନ୍ଦର ପ୍ରଚାର କରି ୨୦୨୨କୁ ଚାଷୀର ଆୟ ଦ୍ୱିଗୁଣିତ ହେବ, ଓଡ଼ିଶା ସରକାର କହୁଛନ୍ତି ଆମେ କୃଷିକର୍ମଣ ପୁରସ୍କାର ବରାବର ପାଉଛୁ, କିନ୍ତୁ ପ୍ରକୃତପକ୍ଷେ ଓଡ଼ିଆ ଚାଷୀ ୧୨୦ ଟଙ୍କାରେ ତୁର୍କି ପିଆଜ ଖାଉଛି । ଆଳୁ କେଜି ୩୦ ଟଙ୍କା । ପ୍ରଚାର ଓ ବାସ୍ତବତା ଭିତରେ ଏତେ ତଫାତ ଥିଲାବେଳେ ଆତ୍ମହତ୍ୟା କରୁଥିବା ଚାଷୀଙ୍କୁ ସରକାର କୃଷି ମହୋତ୍ସବରେ ପୁଣି ସ୍ୱପ୍ନ ଦେଖାଉଛନ୍ତି ତୁମେ ଅର୍ଥକାରୀ ଫସଲ କର । ବଡ଼ମ୍ବା, ନୟାଗଡ଼, ବଲାଙ୍ଗୀର ଚିିନିକଳ ଉଜୁଡ଼ି ଗଲାବେଳେ ସରକାର ଅର୍ଥକାରୀ ଫସଲ କରିବାକୁ ଚାଷୀଙ୍କୁ ତୁଚ୍ଛା ସ୍ୱପ୍ନ ଦେଖାଉଛନ୍ତି । ସରକାରଙ୍କର ଏପରି ଅବିଚାର, ଚାଷୀ ପ୍ରତି ଉପେକ୍ଷା ଓ କୃଷିକ୍ଷେତ୍ର ପ୍ରତି ଚରମ ଉଦାସୀନତା ବିରୁଦ୍ଧରେ ଚାଷୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟିକରିବା ନ୍ୟାୟଯାତ୍ରାର ମୂଳଲକ୍ଷ୍ୟ । ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲା ବାହାଦୂର ଶାସ୍ତ୍ରୀ ଯେଉଁ ଚାଷୀର ଜୟଗାନ କରିଥିଲେ ସେ ଚାଷୀର ସୁରକ୍ଷା ଭତ୍ତା (ଚାଷୀ ପେନ୍‌ସନ) ପାଇଁ ଯେତେ ସଘନ ଆନ୍ଦୋଳନ କଲେ ବି ସରକାର ନିଦାବିଷ୍ଣୁ ପରି ହେଉଛନ୍ତି । ୩୬ ଲକ୍ଷ ଚାଷୀ ପରିବାରକୁ ୨୧ହଜାର ୬ କୋଟି ଟଙ୍କାର ଚାଷୀ ପେନ୍‌ସନ ଦେବା ପାଇଁ ଯେତେ ଦାବୀ କଲେ ବି ସରକାର ଚାଷୀଙ୍କ ଆନ୍ଦୋଳନକୁ ପୋଲିସ୍ ଲଗାଇ ଦମନ କରୁଛନ୍ତି ପଛେ, କିନ୍ତୁ ରାଜସ୍ୱର ଚାରିଭାଗରୁ ଭାଗେ ୭୦ଭାଗ ଲୋକଙ୍କୁ ପେନ୍‌ସନ ଆକାରରେ ଦେଉନାହାଁନ୍ତି । ସରକାର ଧରି ନେଇଛନ୍ତି ଚାଷୀମାନେ ଅସଂଗଠିତବର୍ଗ । ତେଣୁ ସେମାନଙ୍କୁ ଉପେକ୍ଷା କଲେ ରାଜନୀତିରେ ହଲ୍‌ଚଲ ହେବ ନାହିଁ । ଦୀର୍ଘ ଦଶନ୍ଧିରେ ଆମେ ସଂଗଠନକୁ ତମାମ ରାଜ୍ୟରେ ବ୍ୟାପକ କଲା ପରେ ଏବେ ଭୁବନେଶ୍ୱର ଚାରିପଟେ ଉପକୂଳ ଓଡ଼ିଶାକୁ କିଭଳି ଚାଷୀ ଆନ୍ଦୋଳନର ଗଡ଼ କରାଯିବ, ସେଥିପାଇଁ ୧୦୦ଦିନର ପଦଯାତ୍ରା ଅଭିପ୍ରେତ । ୧୨୦୦ କିଲୋମିଟର ଯାତ୍ରା ସମୟରେ ପାଖାପାଖି ୧୨୦୦ ବଡ଼ ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ ହେବ । ସେଠାରେ ସରକାରଙ୍କର ଚାଷୀ ବିରୋଧୀ କାର୍ଯ୍ୟାଳବୀର ବ୍ୟାପକ ସମୀକ୍ଷା ହୋଇ ଗ୍ରାମବାସୀମାନେ ଆନ୍ଦୋଳନର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବେ ବୋଲି ଶ୍ରୀ ନନ୍ଦ କହିଛନ୍ତି । ୨ ତାରିଖରେ ଭୁବନେଶ୍ୱରରେ ଉଦ୍‌ଯାପନୀ ସମାରୋହରେ କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ନେତୃମଣ୍ଡଳୀ ଓ ସଭା ହୋଇଥିବା ପ୍ରତ୍ୟେକ ଗ୍ରାମରୁ ପ୍ରତିନିଧିମାନେ ଉପସ୍ଥିତ ରହିବା ସହ ରାଜ୍ୟର ସମସ୍ତ ପ୍ରଗତିଶୀଳ ଗଣତନ୍ତ୍ରପ୍ରେମୀ ନେତୃତ୍ୱ ଏହି ସଭାରେ ଉପସ୍ଥି ରହି ୧୦୦ କର୍ମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ସଂକଳ୍ପ ନେବେ ବୋଲି ଶ୍ରୀ ନନ୍ଦ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ