ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଓଡ଼ିଶା ଜଳ ସମ୍ପଦ ବିଭାଗର ପାଣିପଞ୍ଚାୟତ ପକ୍ଷ ପାଳନ ତା ୧୬-୦୧-୨୦୨୦ ଠାରୁ ୩୦-୦୧-୨୦୨୦ ପର୍ଯ୍ୟନ୍ତ ପାଳନ ଅବସରରେ ଉଠାଜଳସେଚନ ନିଗମ ଆନୁକୂଲ୍ୟରେ ପାଣିପଞ୍ଚାୟତ ସମାରୋହ ବୁଧବାରଦିନ ବାଲିଆରେ ଅନୁଷ୍ଠିତ ହୋଇଯାଇଛି । ସମାରୋହକୁ ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଓ ପାଣିପଞ୍ଚାୟତର ଆବଶ୍ୟକତା ଉପରେ ଦିଗଦର୍ଶନ ଦେବା ସହ ପାଣିପଞ୍ଚାୟତ ମାଧ୍ୟମରେ ଜଳସେଚନର ସୁପରିଚାଳନା ଓ ସୁଷମ ବଣ୍ଟନ ପାଇଁ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ପଠାଇଥିବା ବାର୍ତ୍ତାକୁ ଶ୍ରୀମତୀ ମହାନ୍ତି ପାଠ କରିଥିଲେ । ସମ୍ମାନିତ ଅତିଥିଭାବେ ଇଂ. ହିମାଦ୍ରି ଶେଖର ରାୟ ତାଙ୍କ ଅଭିଭାଷଣରେ ପାଣିପଞ୍ଚାୟତର ସୁଦୃଢ଼ ସଞ୍ଚାଳନ ତଥା ପରିଚାଳନା କରିବାକୁ ପାଣିପଞ୍ଚାୟତର ସଭ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ସୁବୋଧ କୁମାର ଚୌଧୁରୀ ଏହି ସମାରୋହରେ ସଭାପତିତ୍ୱ କରିଥିବାବେଳେ, ଅଧିକ୍ଷଣ ଯନ୍ତ୍ରୀ ଇଂ. ଜଗବନ୍ଧୁ ବେହେରା ଜଳସମ୍ପଦ ବିଭାଗରେ ଗଠିତ ହୋଇଥିବା ପାଣିପଞ୍ଚାୟତର ଆବଶ୍ୟକତା, ପରିଚାଳନା ତଥା କେଉଁ ପ୍ରକାର ଦାୟିତ୍ୱ ବହନ କରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ଅଧ୍ୟାପକ ଦିଲ୍ଲୀପ କୁମାର ରଥ ସଭାରେ ସଂଯୋଜନା କରିଥିଲେ । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ସୁରେନ୍ଦ୍ର ଶତପଥୀ, କୃଷି, ନେସ୍କୋ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ ଅଧିକାରୀମାନେ ପାଣି ପଞ୍ଚାୟତର ଆବଶ୍ୟକତା ଓ ସୁପରିଚାଳନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଉଠାଜଳସେଚନ ନିଗମ ରାଜ୍ୟ ଫେଡେରେସନ୍‌ର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପାଣି ପଞ୍ଚାୟତଗୁଡ଼ିକର ନିୟମିତ ବୈଠକ ହେଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ଦେଇଥିଲେ । ଡିଭିଜନ୍ ଓ ଜିଲ୍ଲାସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଉକ୍ତ ସମାରୋହରେ ଇଂ. ଚାନ୍ଦୁ ମୁର୍ମୁ, ଇଂ. ବିଭୂତିଭୂଷଣ ସ୍ୱାଇଁ, ଇଂ. ସୁରେଶ ଚନ୍ଦ୍ର ଦେ, ଇଂ. ପ୍ରେମାନନ୍ଦ ପଣ୍ଡା, ଇଂ. ଗୌରାଙ୍ଗ ଚରଣ ଦାସ ଓ ଇଂ. କୁଳମଣି ନାୟକ, ଇଂ. ସ୍ୱାଗତ ସମ୍ବିତ୍ ପଟ୍ଟନାୟକ ସହାୟତା କରିଥିଲେ । ଏହି ସମାବେଶରେ ସମସ୍ତ ପାଣିପଞ୍ଚାୟତର କର୍ମକର୍ତ୍ତା ଓ ବହୁ କୃଷକ ପ୍ରତିନିଧି ଯୋଗଦେଇଥିଲେ । ଇଂ. ରାମନାରାୟଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ