ନବମ-ଦଶମ ସାଧାରଣବର୍ଗର ବିଦ୍ୟାର୍ଥୀଙ୍କୁ ବାଧୁଛି ବହିକିଣା, ସଂରକ୍ଷିତ ବର୍ଗଙ୍କୁ ମିଳୁଛି ମାଗଣାରେ ବହି

ଆସିକା, (ୱାଇଏନ୍‍ଏସ୍‍): ଗତ ଏପ୍ରିଲ ମାସ ୨ ତାରିଖରୁ ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଛି । ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ କିଛି ଦିନ ତଳେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକର ମୂଲ୍ୟତାଲିକା ପ୍ରକାଶ ପାଇସାରିଛି । ଏହି ପାଠ୍ୟପୁସ୍ତକ ତାଲିକାରେ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସକାଶେ ଆବଶ୍ୟକ ପଡୁଥିବା ଇତିହାସ ଓ ରାଜନୀତି ବିଜ୍ଞାନ ପୁସ୍ତକଟିର ସର୍ବୋଚ୍ଚ ମୂଲ୍ୟ ୯୨ ଟଙ୍କା ଥିବା ବେଳେ ଦଶମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ଉକ୍ତ ପୁସ୍ତକର ମୂଲ୍ୟ ସର୍ବାଧିକ ୮୦ ଟଙ୍କା ରହିଛି । ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ସଂସ୍କୃତ ସେଟ୍‍ର ବହିର ମୂଲ୍ୟ ୭୦୨ ଟଙ୍କା ଓ ହିନ୍ଦୀ ସେଟ୍‍ର ବହିର ମୂଲ୍ୟ ୬୮୭ ଟଙ୍କା ରହିଥିଲା ବେଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସଂସ୍କୃତ ସେଟ୍‍ର ବହିର ମୂଲ୍ୟ ୭୧୫ ଟଙ୍କା ଓ ହିନ୍ଦୀ ସେଟ୍‍ ବହିର ମୂଲ୍ୟ ୭୨୧ ଟଙ୍କା ରହିଥିବା ଜଣାପଡିଛି । ନବମ ଓ ଦଶମ ଶ୍ରେଣୀର ଅଧ୍ୟୟନ କରୁଥିବା ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ପଡୁଥିବା ପାଠ୍ୟପୁସ୍ତକଗୁଡିକ ସରକାରଙ୍କ ପକ୍ଷରୁ ସଂପୁର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଥିବା ବେଳେ ସାଧାରଣବର୍ଗର ପିଲାଙ୍କ ପାଇଁ କ୍ରୟ କରିବା ବାଧ୍ୟତାମୂଳକ କରାଯାଇଛି । ତେବେ ଗରିବ ଓ ଆର୍ଥିକ ଅନଗ୍ରସର ସାଧାରଣବର୍ଗର ଛାତ୍ରଛାତ୍ରୀଙ୍କ ପକ୍ଷେ ଏହି ନବମ ଓ ଦଶମ ଶ୍ରେଣୀର ପାଠ୍ୟପୁସ୍ତକ କ୍ରୟ କରିବା କଷ୍ଟକର ବ୍ୟାପାର ହୋଇପଡିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଉଥିଲା ବେଳେ ଚଳିତ ୨୦୨୫-୨୬ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବାରୁ ବିଭିନ୍ନ ମହଲରୁ ସରକାରଙ୍କ ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ତେବେ ନବମ ଓ ଦଶମ ଶ୍ରେଣୀର ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ଓଡିଶା ଅମଲା ସଂଘର ରାଜ୍ୟ ମୁଖ୍ୟ ପୃଷ୍ଟପୋଷକ ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । କିନ୍ତୁ ନବମ ଓ ଦଶମ ଶ୍ରେଣୀର ସାଧାରଣବର୍ଗର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଦେବାରେ କାହିଁକି କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ନବମ ଓ ଦଶମ ଶ୍ରେଣୀର ସାଧାରଣବର୍ଗର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ