ବୀର ସୁରେନ୍ଦ୍ର ସାଏ ମହାକାଶ ନବୋନ୍ମେଷ କେନ୍ଦ୍ରର ଛାତ୍ରଙ୍କୁଭେଟିଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ

ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ମହାକାଶ ନବୋନ୍ମେଷ କେନ୍ଦ୍ରର ଏକ ଛାତ୍ର ଗୋଷ୍ଠୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉତର ପୂର୍ବାଂଚଳ କ୍ଷେତ୍ର ବିକାଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଛନ୍ତି । ସେମାନଙ୍କ ଦଳ ଏକ ଉପଗ୍ରହ ଉତକ୍ଷେପଣ ଯାନ ବିକଶିତ କରିଥିବା ନେଇ ଛାତ୍ରମାନେ ସୂଚନା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଥିଲେ ଯେ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ଏବଂ ଏହି ଛାତ୍ରମାନେ ଏଥିରେ ମଧ୍ୟ ଯୋଗଦାନ କରିବେ । ଏହି ଛାତ୍ରମାନଙ୍କର ପ୍ରୟାସରେ ସେମାନଙ୍କ ପ୍ରତିଭା, ଅନୁସନ୍ଧିତ୍ସା ଏବଂ ସାମର୍ଥ୍ୟ ପ୍ରତିଫଳିତ ହୋଇଛି । ସେ କହିଥିଲେ ଯେ, ପ୍ରଥମ ଥର ପାଇଁ ଛାତ୍ରମାନଙ୍କ ଦ୍ୱାରା ମହାକାଶ ଉତକ୍ଷେପଣ ଯାନ (ଏସଏଲଭି) ବିକଶିତ ହୋଇଛି । ପୂର୍ବରୁ ମଧ୍ୟ ଛାତ୍ରମାନଙ୍କ ଦ୍ୱାରା କ୍ଷୁଦ୍ର ଉପଗ୍ରହ ବିକଶିତ କରାଯାଇସାରିଛି । ଏହା ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ବିଜ୍ଞାନ ପ୍ରତି ସ୍ୱାଭାବିକ ଆଗ୍ରହ ରହିଛି ଏବଂ ତାଙ୍କ ନେତୃତ୍ୱାଧୀନ ସରକାର ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରର ବିକାଶ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ଛାତ୍ରମାନେ ଇସ୍ରୋ ସହିତ ଲଗାତାର ସମ୍ପର୍କରେ ରହିବେ । ଏମାନଙ୍କ ପ୍ରୟାସ ପାଇଁ ଇସ୍ରୋ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯିବ । ଆବଶ୍ୟକତା ଓ ସାଧ୍ୟତା ଅନୁଯାୟୀ ଏହି ଛାତ୍ରମାନେ ଇସ୍ରୋର ସୁବିଧା ସୁଯୋଗ ଉପଯୋଗ କରିପାରିବେ । ମହାକାଶ ସମ୍ବନ୍ଧୀୟ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଇସ୍ରୋ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି । ଏହି ଛାତ୍ରଗୋଷ୍ଠୀ “ଛାତ୍ରଛାତ୍ରୀଙ୍କ ସହ ସମ୍ବାଦ” କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଇସ୍ରୋ ଅଧ୍ୟକ୍ଷ ଡ. କେ ସିବନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଏମାନେ ପ୍ରଥମ ଏବଂ ଏକମାତ୍ର ଛାତ୍ର ଅନୁଷ୍ଠାନ ଭାବେ ଶବ୍ଦସୃଷ୍ଟିକାରୀ ସ୍ୱଦେଶୀ ରକେଟ ବିକଶିତ କରିବା ଏବଂ ସଫଳତାପୂର୍ବକ ଉତକ୍ଷେପଣ କରିବା ଲାଗି ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ