ଅମୃତ ବାଣୀ; ନିଧିବନ ରହସ୍ୟ
ବୃନ୍ଦାବନର ନିଧିବନ ରହସ୍ୟ ଏବେ ମଧ୍ୟ ରହସ୍ୟମୟ । ଦ୍ୱାପର ଯୁଗରେ ଶ୍ରୀରାଧା ଓ ଗୋପୀମାନେ ଶ୍ରୀକୃଷ୍ଣଙ୍କ ସହିତ ରାସ ରଚୁଥିଲେ ଏହି ନିଧିବନରେ । ଏହି ରାସ ଦେଖିବା ପାଇଁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସହିତ ତେତିଶ କୋଟି ଦେବତାମାନେ ମଧ୍ୟ ଚାହିଁ ରହୁଥିଲେ । ବୃନ୍ଦାବନ ଓ ବର୍ଷାନାର ମଧ୍ୟବର୍ତ୍ତୀ ସ୍ଥାନ ହେଉଛି ନିଧିବନ । ନିଧିବନର ବୃକ୍ଷଲତାଙ୍କ ଆକୃତି ମଧ୍ୟ ନିଆରା । ଛନ୍ଦାଛନ୍ଦି ହୋଇ ରହିଥାନ୍ତି । ସତେ ଯେମିତି ଏବେ ବି ମଧ୍ୟ ସେମାନେ ରାସ ପାଇଁ ନୃତ୍ୟରତ । କୁହାଯାଏ ନିର୍ଜନ ରାତ୍ରିରେ ଏହି ବୃକ୍ଷମାନେ ଗୋପୀବେଶରେ ରାଧାକୃଷ୍ଣଙ୍କ ସହ ରାସରଚନ୍ତି । ସକାଳ ହେଲେ ପୁଣି ବୃକ୍ଷ ହୋଇଯାଆନ୍ତି ।
ଏକଦା ଜଣେ ମହର୍ଷିଙ୍କର ଅନେକ ଶିଷ୍ୟ ଥିଲେ । ସେହି ମହର୍ଷିଙ୍କ ଠାରୁ ପ୍ରତିଦିନ ଶିଷ୍ୟମାନେ କୃଷ୍ଣକଥା ଶ୍ରବଣ କରୁଥିଲେ । ଦିନେ ଗୁରୁଜୀ ଶିଷ୍ୟମାନଙ୍କୁ ନିଧିବନ ସମ୍ପର୍କରେ କହିଲେ । ଗୁରୁଜୀ କହିଲେ, ଏବେ ବି ନିଧିବନରେ ରାଧାକୃଷ୍ଣ ରାସ ରଚୁଛନ୍ତି । ସେଥିପାଇଁ ପ୍ରତିଦିନ ନିଧିବନରେ ରାତିରେ କେହି ରୁହନ୍ତି ନାହିଁ । ଏଭଳିକି ସେଠାରେ ଦିନରେ ବୁଲୁଥିବା ମାଳମାଳ ମାଙ୍କଡ଼ ସନ୍ଧ୍ୟାପୂର୍ବରୁ ଆପଣାଛାଏଁ ନିଧିବନ ପରିତ୍ୟାଗ କରି ଚାଲିଯାଆନ୍ତି । ଏହା ଶୁଣି ଶିଷ୍ୟ ଜଣଙ୍କ ମନରେ ଆଗ୍ରହ ଜାତହେଲା । ସେ ରାଧାକୃଷ୍ଣ ଓ ଗୋପୀକାମାନଙ୍କ ରାସ ଦେଖିବା ପାଇଁ ମନରେ ସ୍ଥିରକରି ନିଧିବନରେ ପହଞ୍ôଚଲା । ସନ୍ଧ୍ୟାପୂର୍ବରୁ ନିଧିବନର ଜଗୁଆଳୀମାନେ ସମସ୍ତଙ୍କୁ ବିଦା କରିଦେଲେ । ମାଙ୍କଡ଼ମାନେ ମଧ୍ୟ ଆପଣାଛାଏଁ ସେଠାରୁ ଚାଲିଗଲେ । ହେଲେ ଶିଷ୍ୟ ଜଣକ କୌଶଳକ୍ରମେ ଲୁଚି ରହିଲେ । ସେହିଦିନ ରାତିରେ ନିଧିବନରେ କିଭଳି ପ୍ରଭୁ ଶ୍ରୀକୃଷ୍ଣ ରାସ କରିବେ ଜାଣିବା ପାଇଁ । ସକାଳ ହେଲା ଜଗୁଆଳୀମାନେ ଆସି ଦେଖିଲେ ଜଣେ ବ୍ୟକ୍ତି ନିଧିବନରେ ରହିଯାଇଛି । ସେ ତାକୁ ପଚାରିଲେ ତୁମେ କିଭଳି ଏଠାରେ ରହିଲ । ତୁମେ କିଏ? ଏହାଶୁଣି ଶିଷ୍ୟ ଜଣକ କିଛି କହିପାରିଲେ ନାହିଁ । ତାଙ୍କର ବାକ୍ଶକ୍ତି ଲୋପ ପାଇଯାଇଥିଲା । ପରେ ସେମାନେ ତାର ପରିଚୟ ପାଇ ଗୁରୁଙ୍କ ଆଶ୍ରମକୁ ନେଇଗଲେ । ଆଶ୍ରମରେ ଗୁରୁଜୀ ବହୁ ପ୍ରକାର ଠାରଠୁର କରି ପଚାରିଲେ ମଧ୍ୟ ଶିଷ୍ୟ ଜଣକ କିଛି କହିଲେ ନାହିଁ । ଗୁରୁଜୀ ଗାଧୋଇବାକୁ ଚାଲିଗଲେ । ଶିଷ୍ୟଜଣକ ଏକ କାଗଜରେ ସେଦିନ ରାତିରେ ଦେଖିଥିବା ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରି ଲେଖିଲେ । ସମସ୍ତ ଲେଖିସାରି ଶେଷରେ ଲେଖିଲେ ଗୁୂରୁଦେବ! ମୁଁ ନିକଟରୁ ଭଗବାନଙ୍କୁ ଦର୍ଶନ କରିଛି । ମାତା ରାଧାରାଣୀ ଓ ଗୋପୀମାନଙ୍କର ସୌନ୍ଦର୍ଯ୍ୟ ଅତୀବ ସୁନ୍ଦର । ସେମାନେ ଏତେ ସୁନ୍ଦର ଯେ ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ । ମୁଁ ଏହାଦେଖି ହତବାକ୍ ହୋଇଯାଇଛି । ମୋର ବାକ୍ଶକ୍ତି ଲୋପ ପାଇଛି । ଭଗବାନଙ୍କୁ ଦର୍ଶନ କରିବା ପରେ ମୋର ଏ ସଂସାରରେ ଆଉ ତିଳେ ହେଲେ ଲୋଭନାହିଁ । ମୋର କିଛି ଲୋଡ଼ା ନାହିଁ । ତେଣୁ ମୁଁ ସଂସାର ତ୍ୟାଗକରି ପ୍ରଭୁଙ୍କ ପାଖକୁ ଯାଉଛି । ଗୁରୁଜୀ ଆସି ଦେଖିଲେ କାଗଜ ଖଣ୍ଡକରେ ସକଳ ବୃତ୍ତାନ୍ତ ଲେଖା ହେବା ସହ ଶିଷ୍ୟ ଜଣକ ମରିପଡ଼ିଥିଲେ । ସେହିଦିନ ଠାରୁ କୌଣସି ବ୍ୟକ୍ତି ନିଧିବନରେ ରାତିରେ ରହିବା ପାଇଁ ସାହସ କରନ୍ତି ନାହିଁ । ଏବେ ମଧ୍ୟ ନିଧିବନର ସଂଗ୍ରହାଳୟରେ ସେହି ମୃତ ଶିଷ୍ୟଙ୍କର ବଙ୍ଗଳା ଭାଷାରେ ଲିଖିତ କାଗଜଟି ଦେଖିବାକୁ ମିଳେ ।