ଆଜି ଠାରୁ ଦକ୍ଷିଣାଞ୍ଚଳରେ ୧୧ ମାନୁଆଲ ଓ ୫ ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା +୨ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାୟନ
ବ୍ରହ୍ମପୁର : +୨ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେଉଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଜୋନ ଅଧୀନରେ ୧୧ଟି ମାନୁଆଲ ଓ ୫ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଅପ୍ରେଲ ୮ ତାରିଖରୁ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଖାତାର ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇ ଏ ଯାବତ ଜାରି ରହିଛି l ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ନିମନ୍ତେ ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ଅନେଶତ (99)ଟି ଟେବୁଲରେ ମୋଟ ଛଅ ଶହ ଵୟାନବେ (692) ଜଣ ପରୀକ୍ଷକ ନିୟୋଜିତ ହୋଇଥିଲେ l ପ୍ରଥମ ପର୍ଯ୍ୟାୟ ମାନୁଆଲ ମୂଲ୍ୟାୟନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୩0 ତାରିଖ ସୁଦ୍ଧା ଇ- ମୂଲ୍ୟାୟନ ଶେଷ ହୋଇଯିବ ବୋଲି ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ୟୂନ ୫00 ପରୀକ୍ଷକ ଦକ୍ଷିଣାଞ୍ଚଳର ୫ଟି ଇ-ମୂଲ୍ୟାୟନ ଓ ୧୧ଟି ମାନୁଆଲ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ହେବେ l ଆସନ୍ତାକାଲି ଠାରୁ ଦ୍ଵିତୀୟ ପର୍ଯ୍ୟାୟ ମାନୁଆଲ ମୂଲ୍ୟାୟନ ଆରମ୍ଭ ହେଉଥିବା ବେଳେ ମଇ ମାସ ୧ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଇ-ମୂଲ୍ୟାୟନ ଆରମ୍ଭ ହୋଇ ମଇ ୧0 ତାରିଖ ସୁଦ୍ଧା ଶେଷ ହେବ l ଦ୍ଵିତୀୟ ପର୍ଯ୍ୟାୟରେ କଳା ସ୍ରୋତର ଇଂରାଜୀ, ଆଧୁନିକ ଭାରତୀୟ ଭାଷା (ଓଡ଼ିଆ), ଅର୍ଥଶାସ୍ତ୍ର, ଶିକ୍ଷା ପ୍ରଭୃତି ବିଷୟର ମୂଲ୍ୟାୟନ ହେବାକୁ ଥିବା ବେଳେ ବିଜ୍ଞାନର ବାଇଓଲୋଜି, ଗଣିତ, ଷ୍ଟାଟିଷ୍ଟିକ୍ସ, ବାଇଓଟେକ୍ନୋଲୋଜି ଓ ଧନ୍ଦାମୂଳକ ଶିକ୍ଷାର ବିଭିନ୍ନ ବିଷୟର ଖାତା ଦେଖାଯିବ l ଗଞ୍ଜାମ ଜିଲ୍ଲାରେ ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଇଂଜିନିୟରିଂ କଲେଜ ଓ ଗିରିରୋଡ଼ ସ୍ଥିତ ସି.ଏସ.ପି.ରେ ଦୁଇଟି ଇ-ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବେଳେ ଛତ୍ରପୁର ସରକାରୀ ହାବିଦ୍ୟାଳୟ , ବ୍ରହ୍ମପୁର ସିଟି ମହାବିଦ୍ୟାଳୟ , ଏସବିଆର ସରକାରୀ ମହିଳା ମହାବିଦ୍ୟାଳୟ , ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ,ଭଞ୍ଜନଗର କେ ଏସ ୟୁ ଵି ମହାବିଦ୍ୟାଳୟରେ ମାନୁଆଲ ମୂଲ୍ୟାୟନ ହେଉଛି l ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଗୋଟିଏ ମାନୁଆଲ ଓ ଗୋଟିଏ ଇ-ମୂଲ୍ୟାୟନ କେନ୍ଦ୍ର, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଗୋଟିଏ ମାନୁଆଲ , ପାରଳାଖେମୁଣ୍ଡି ସ୍ଥିତ ଏସ କେ ସି ଜି ସ୍ବୟଂଶାସିତ ମହାବିଦ୍ୟାଳୟରେ ଗୋଟିଏ ମାନୁଆଲ, ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ଗୋଟିଏ ଇ-ମୂଲ୍ୟାୟନ, ଗୋଟିଏ ମାନୁଆଲ , କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗୋଟିଏ ଇ-ମୂଲ୍ୟାୟନ ଓ ଗୋଟିଏ ମାନୁଆଲ ଏବଂ ନବରଙ୍ଗପୁର ମହାବିଦ୍ୟାଳୟରେ ଗୋଟିଏ ମାନୁଆଲ ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ଡ. ଓଝା ଜଣାଇଛନ୍ତି l ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ନିମନ୍ତେ ୫ଟି କେନ୍ଦ୍ରରେ ଚାଳିଶଟି ଟେବୁଲରେ ୩0୮ ଜଣ ପରୀକ୍ଷକ ନିୟୋଜିତ ହୋଇଥିବା ବେଳେ ୧୧ଟି ମାନୁଆଲ କେନ୍ଦ୍ରରେ ଅଣଷଠିଟି ଟେବୁଲରେ ତିନି ଶହ ଚୌରାଅଶୀ ଜଣ ପରୀକ୍ଷକ ମୂଲ୍ୟାୟନ କରୁଥିବା ଡ. ଓଝା ପ୍ରକାଶ କରିଛନ୍ତି l ଦକ୍ଷିଣାଞ୍ଚଳରେ ମୋଟ ଅନେଶତଟି ଟେବୁଲରେ ଛଅ ଶହ ବୟାନବେ ଜଣ ପରୀକ୍ଷକ ମୂଲ୍ୟାୟନ କରୁଛନ୍ତି l ଚଳିତବର୍ଷ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମୂଲ୍ୟାୟନ ବିଳମ୍ବିତ ହୋଇଛି l ତଥାପି ମଇ ମାସ ଦଶ ତାରିଖ ମଧ୍ୟରେ ମୂଲ୍ୟାୟନ ଶେଷ ହୋଇଯିବ ବୋଲି ଡ. ଓଝାଙ୍କୁ ପଚାରିବାରେ ଜଣାପଡ଼ିଛି l