ଚଳିତ ବର୍ଷ ପ୍ରଥମ ସ୍ବାଇନ୍ ଫ୍ଳୁ ମୃତ୍ୟୁ ଅଭିଯୋଗ
ଗ୍ରୀଷ୍ମ ପ୍ରବାହରେ ଚଳିତ ସପ୍ତାହରେ ଅନୁଗୁଳ ସହରର ସ୍ବାମୀ ଓ ସ୍ତ୍ରୀ ସ୍ବାଇନ୍ ଫ୍ଳୁ’ରେ ପ୍ରାଣ ହରାଇବାପରେ ସହରବାସୀକୁ ଚକିତ କରିଛି। ତା’ ସାଙ୍ଗକୁ ଆଉ ତିନି ଜଣ ସମ୍ପର୍କୀୟ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ୧୦ବର୍ଷର ବାଳକ ରହିଛନ୍ତି। ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଚିକିତ୍ସା ଆରମ୍ଭ କରି ଦେଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଗତ ସପ୍ତାହରେ ଅନୁଗୁଳ ସହରର ଜଣେ ଘରୋଇ ଶିକ୍ଷକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁର ପରଦିନ କଳିଙ୍ଗ ହସ୍ପିଟାଲରେ ଆଖି ବୁଜିଥିଲେ ତାଙ୍କ ସ୍ତ୍ରୀ। ଘଟଣାକୁ ଲୁଚାଇବାକୁ ଉଦ୍ୟମ କରାଯାଉଥିଲା। ହୃଦଘାତ ରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଥିଲା। କିନ୍ତୁ ସ୍ବାମୀ ଓ ସ୍ତ୍ରୀଙ୍କର ହଠାତ୍ ଏ ପ୍ରକାର ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲା ସ୍ବାସ୍ଥ୍ୟ ବିଭାଗ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ (ପି.ଏଚ୍) ଡାକ୍ତର ରାକେଶ ସାହୁ ପରିବାର ଲୋକଙ୍କୁ ଭେଟି ରୋଗ ଓ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ଚିକିତ୍ସାର କାଗଜପତ୍ର ଯାଞ୍ଚ ପରେ ତାଙ୍କର ସ୍ବାଇନ୍ ଫ୍ଲୁ ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା। । ଏହି ରୋଗ ସାଧାରଣତଃ ଶୀତ ଦିନେ ହେବା କଥା। ଗ୍ରୀଷ୍ମ ପ୍ରବାହରେ ଏହି ଭୂତାଣୁଙ୍କର ସାଧାରଣ ଭାବେ ମୃତ୍ୟୁ ହୋଇଯାଏ। କିନ୍ତୁ ୪୨ଡିଗ୍ରି ତାପମାତ୍ରାରେ ଅନୁଗୁଳରେ ସ୍ବାଇନ୍ ଫ୍ଲୁ ଚିହ୍ନଟ ଘଟଣା ତାଙ୍କୁ ବି ଚକିତ କରିଛି ବୋଲି ଡାକ୍ତର ସାହୁ କହିଛନ୍ତି।