ମାର୍ଚ୍ଚ ୨୦ରେ ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଟିତ ହେବ ବୋଲି ଜଣାପଡିଛି।ଗତ ନିର୍ବାଚନରେ ଜୟଯୁକ୍ତ ହୋଇଥିବା ସରପଞ୍ଚ ୩ ଟି ସନ୍ତାନର ଜନକ ହୋଇଥିବା ଯୋଗୁଁ ଅଦାଲତ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।ସେହିଦିନ ଠାରୁ ନାଏବସରପଞ୍ଚ ଅସ୍ଥାୟୀ ଭାବେ ସରପଞ୍ଚ ଦାୟିତ୍ୱ ତୁଲାଇ ଆସୁଥିଲେ। ରାଜ୍ୟ ନିର୍ବାଚନ ଅଧିକାରୀ ଏହି ସରପଞ୍ଚ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ପ୍ରକାରେ ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ଫେବୃୟାରୀ ୧୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିବେ। ଫେବୃୟାରୀ ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ। ଫେବୃୟାରୀ ୨୫ ତାରିଖରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ୨୬ ତାରିଖରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ଯ୍ୟ ସମାପନ ପରେ ଫେବୃୟାରୀ ୨୮ ତାରିଖ ଦିନ ଅନ୍ତିମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଯଦି ଏକରୁ ଉର୍ଦ୍ଧ୍ବ ପ୍ରାର୍ଥୀ ରହନ୍ତି ତେବେ ମାର୍ଚ୍ଚ ୨୦ ତାରିଖ ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ମାର୍ଚ୍ଚ ୨୧ ତାରିଖ ସକାଳ ୮ ଘଣ୍ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଗଣତି ଶେଷ ପରେ ଫଳାଫଳ ଘୋଷଣା କରାଯିବ।