ଏଠି ଆଖିପିଛୁଳାକେ ହୁଏ ପାସପୋର୍ଟ ପାଇଁ ଯାଞ୍ଚ

ପାସପୋର୍ଟ ପାଇଁ ଧାର୍ଯ୍ୟ ପୋଲିସ ଯାଞ୍ଚ ସମୟ ସୀମା କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶ ଦେଶର ସବୁଠୁ ଆଗରେ ରହିଥିବା ଜଣାଯାଇଛି। ପାସପୋର୍ଟ ପାଇଁ ହେବାକୁ ଥିବା ପୋଲିସ ଯାଞ୍ଚ ନିମନ୍ତେ ୨୧ ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଛି। ଆନ୍ଧ୍ର ପ୍ରଦେଶ ପୋଲିସ ଆବେଦକମାନଙ୍କ ଘରକୁ ଯାଇ ୨୧ ଦିନ ମଧ୍ୟରେ ଭେରିଫିକେସନ କରିବା ପରିବର୍ତ୍ତେ ନିଜ କାମକୁ ମାତ୍ର ୩ ଦିନ ମଧ୍ୟରେ ସମ୍ପାଦିତ କରିଦେଉଛି। ଯାଞ୍ଚ ସହ ପାସପୋର୍ଟ କାର୍ଯ୍ୟାଳୟକୁ ୧୦୦ ପ୍ରତିଶତ ଡକ୍ୟୁମେଣ୍ଟେସ ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ପ୍ରଦାନ କରିବାରେ ସକ୍ଷମ ହୋଇପାରୁଛି।
ପୋଲିସ ଭେରିଫିକେସନରେ ଲାଗୁଥିବା ଧାର୍ଯ୍ୟ ସମୟକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ଦେଶର ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ସଂଶ୍ଲିଷ୍ଟ କରାଯାଇଛି। ଏଥିରେ ହରିୟାଣା, ତେଲେଙ୍ଗାନା, କେରଳ, ତାମିଲନାଡ଼ୁ ଏବଂ ଗୁଜରାଟ ଏଭଳି ରାଜ୍ୟ ଯେଉଁଠି ଧାର୍ଯ୍ୟ ସମୟସୀମାର ବହୁ ପୂର୍ବରୁ ଆବଶ୍ୟକୀୟ ପୋଲିସ ଯାଞ୍ଚ ସମ୍ପୂର୍ଣ୍ଣ ହେବା ସହିତ ଆବଶ୍ୟକୀୟ ରିପୋର୍ଟ ପାସପୋର୍ଟ କାର୍ଯ୍ୟାଳୟ ଗୁଡ଼ିକୁ ପ୍ରେରିତ କରାଯାଇଥାଏ। ରିପୋର୍ଟ ଅନୁଯାୟୀ, ଆସାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଲଦାଖ ଏବଂ ମଣିପୁର ଭଳି ୫ଟି ରାଜ୍ୟ ଯେଉଁଠି ପୋଲିସ ଯାଞ୍ଚ ପାଇଁ ସର୍ବାଧିକ ସମୟ ଲାଗିଥାଏ, ଏପରିକି ଆସାମରେ ପାସପୋର୍ଟ ପାଇଁ ପୋଲିସ ଯାଞ୍ଚରେ ସର୍ବାଧିକ ୨୭୬ ଦିନ ସମୟ ଲାଗିଥାଏ।
ରିପୋର୍ଟ ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶତ ପ୍ରତିଶତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ରିପୋର୍ଟ ଦେଉଥିବା ରାଜ୍ୟମାନଙ୍କ ସୂଚୀରେ ମଧ୍ୟ ପ୍ରଦେଶ ୧୫ତମ ସ୍ଥାନରେ ଥିବା ବେଳେ ଛତିଶଗଡ଼ ରହିଛି ୨୧ ତମ ସ୍ଥାନରେ ଏବଂ ଶିକ୍ଷା, ରୋଜଗାର ଏବଂ ଅଧିକ ଆୟ ସୂଚୀରେ ଉନ୍ନତି କରିଥିବା ରାଜସ୍ଥାନ ଏ କ୍ଷେତ୍ରରେ ୨୩ତମ ସ୍ଥାନରେ ରହିଛି। ରିପୋର୍ଟ ସୂଚିତ କରାଇଛି ଯେ ମଧ୍ୟ ପ୍ରଦେଶ ପାସପୋର୍ଟ ପାଇଁ ପୋଲିସ ଭେରିଫିକେସନ କ୍ଷେତ୍ରରେ ୧୪ ଦିନ ସମୟ ନେଇଥାଏ। ରାଜସ୍ଥାନରେ ଲାଗେ ୨୧ ଦିନ। ଛତିଶଗଡ଼ ୨୪ ଦିନ ସମୟ ନେଇଥାଏ। ଓଡ଼ିଶାରେ ଏହି କାମ ପାଇଁ ପୋଲିସ ୨୦ ଦିନ ସମୟ ନେଇଥାଏ। ତେବେ ଘରକୁ ଯାଇ ଯାଞ୍ଚ କରିବା ପରିବର୍ତ୍ତେ ଥାନାକୁ ଡାକି କାଗଜପତ୍ର ଯାଞ୍ଚ କରି ଓଡ଼ିଶା ପୋଲିସ ରିପୋର୍ଟ ଦେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।
ପୁରୁଣା ଭୁବନେଶ୍ବରର ଲିଙ୍ଗରାଜ ଥାନା ପାସପୋର୍ଟ ସମ୍ପର୍କିତ ଯାଞ୍ଚ ପାଇଁ ଜଣେ ଏଏସ୍‌ଆଇଙ୍କୁ ଦାୟିତ୍ବ ଦେଇଛି। ସମ୍ପୃକ୍ତ ଏଏସ୍‌ଆଇ ଜଣକ ଆବେଦନକାରୀଙ୍କୁ ଫୋନ କରି ଯାଞ୍ଚ ପାଇଁ ନିର୍ଦ୍ଦିଷ୍ଟ ତାରିଖରେ ଥାନାକୁ ଆବାସିକ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡର ପ୍ରତିଲିପି, ପ୍ୟାନ କାର୍ଡର ପ୍ରତିଲିପି ସହ ହାଜର ହେବାକୁ କହିଥାନ୍ତି। ଥାନାରେ ଯାଞ୍ଚ କଲା ପରେ ଆଉ ଆବେଦନକାରୀଙ୍କ ଘରକୁ ଯାଇ ନ ଥାନ୍ତି। ଏଥିପାଇଁ ଆବେଦନକାରୀମାନେ ୫୦୦ ଟଙ୍କା ଓ ଊର୍ଦ୍ଧ୍ବ ପରିମାଣର ଅର୍ଥ ଦେଉଥିବା କୁହାଯାଉଛି।
କେଉଁ ରାଜ୍ୟରେ ଲାଗେ କେତେ ଦିନ : ଦେଶରେ ପାସପୋର୍ଟ ହାସଲ ପାଇଁ ପୋଲିସ ଯାଞ୍ଚ ସମୟ ସୀମାକୁ ୨୧ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ କେତେକ ରାଜ୍ୟ ଏହାଠାରୁ ଯଥେଷ୍ଟ କମ୍‌ ଦିନରେ ଏହି ପ୍ରକ୍ରିୟା ସାରୁଥିବା ବେଳେ ଆଉ କେତେକ ରାଜ୍ୟ ଏହା ଠାରୁ ଯଥେଷ୍ଟ ଅଧିକ ସମୟ ନେଉଛନ୍ତି। ଏହିକ୍ରମରେ ଆନ୍ଧ୍ର ପ୍ରଦେଶ ସବୁଠୁ ଶୀଘ୍ର ପୋଲିସ ଯାଞ୍ଚ କରୁଥିବା ବେଳେ ଆସାମରେ ସବୁଠୁ ବିଳମ୍ବରେ ସମ୍ପାଦିତ ହେଉଛି ପୋଲିସ ଯାଞ୍ଚ ପ୍ରକ୍ରିୟା। ପୋଲିସ ଯାଞ୍ଚ ପାଇଁ ଆନ୍ଧ୍ର ପ୍ରଦେଶରେ ୩ ଦିନ ଲାଗୁଥିବା ବେଳେ, ତେଲେଙ୍ଗାନାରେ ୪ ଦିନ, ତାମିଲନାଡ଼ୁରେ ୫, ଦିଲ୍ଲୀରେ ୧୪, ଉତ୍ତର ପ୍ରଦେଶରେ ୧୭, ପଶ୍ଚିମବଙ୍ଗରେ ୩୧, ଜମ୍ମୁ-କଶ୍ମୀରରେ ୫୭, ଅରୁଣାଚଳ ପ୍ରଦେଶରେ ୧୪୫, ନାଗାଲାଣ୍ଡରେ ୧୮୦ ଓ ଆସାମରେ ୨୭୬ ଦିନ ଲାଗୁଛି।
୨୦୧୪-୧୫ ବର୍ଷରେ ପାସପୋର୍ଟ ଯାଞ୍ଚରେ କ୍ରିୟାଶୀଳ ଓ ତ୍ବରାନ୍ବିତ ପଦକ୍ଷେପ ପାଇଁ ଦିଲ୍ଲୀ ପୋଲିସକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏବେ ଦିଲ୍ଲୀ ପୋଲିସ ଠାରୁ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ ପୋଲିସ ଏ କ୍ଷେତ୍ରରେ ଆଗରେ ଅଛନ୍ତି। ୪ ବର୍ଷ ମଧ୍ୟରେ ଦିଲ୍ଲୀ ପୋଲିସ ତିନୋଟି ରାଜ୍ୟର ପୋଲିସ ଠାରୁ ପଛକୁ ଖସିଛି। ଆବଶ୍ୟକୀୟ ସମସ୍ତ ପ୍ରକାର ଭିତ୍ତିଭୂମି ସତ୍ତ୍ବେ ଦିଲ୍ଲୀ ପୋଲିସର ପଛଘୁଞ୍ଚାକୁ ନେଇ ଚର୍ଚ୍ଚା ହେଉଛି। ପାସପୋର୍ଟ ଯାଞ୍ଚ ପାଇଁ କ୍ଷେତ୍ରୀୟ ଅନୁସନ୍ଧାନକୁ ଦିଲ୍ଲୀ ପୋଲିସ ଗୁରୁତ୍ବ ଦେଉ ନ ଥିବାରୁ ଅନେକ ସନ୍ଦିଗ୍ଧ ଲୋକ ଏହା ହାତେଇ ନେଉଥିବା ଜଣାପଡ଼ିଛି।
ଯଦି ଆପଣ କାର୍‌ ବା ବାଇକ୍‌ ଚଳାଉଥାନ୍ତି, ତେବେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଆବଶ୍ୟକ। ଠିକ୍‌ ସେହିପରି ଯଦି ଆପଣଙ୍କୁ ନେପାଳ ବ୍ୟତୀତ ଅନ୍ୟ କୌଣସି ଦେଶକୁ ଯିବାକୁ ପଡ଼େ, ତେବେ ପାସପୋର୍ଟ ଆବଶ୍ୟକ। ବିଦେଶକୁ ଯିବାକୁ ହେଲେ ଆପଣଙ୍କୁ ନିଜ ଦେଶ ଓ ଗନ୍ତବ୍ୟ ଦେଶର ସୁରକ୍ଷା ତଥା ଆଇନ କାନୁନ ମାନିବାକୁ ହେବ। ଫ୍ରେଶ ପାସପୋର୍ଟ ପାଇବାକୁ ହେଲେ ଆପଣଙ୍କୁ ଭୋଟ ପରିଚୟପତ୍ର, ଆବାସିକ ପ୍ରମାଣପତ୍ର, ପାନକାର୍ଡ, ବିଦ୍ୟୁତ୍‌ ବିଲ୍‌, ଜନ୍ମ ପ୍ରମାଣପତ୍ର, ମାଟ୍ରିକ ସାର୍ଟିଫିକେଟ ଆଦି ଆବଶ୍ୟକ। ଅଫ ଲାଇନ କିମ୍ବା ଅନଲାଇନରେ ଆବେଦନ କରିହେବ। ଆବେଦନ କରିବା ପରେ ନିକଟସ୍ଥ ଥାନାକୁ ଭେରିଫିକେସନ ପାଇଁ ଆସିଥାଏ। ସମ୍ପୃକ୍ତ ଥାନା ଆବେଦନକାରୀଙ୍କୁ ଥାନାକୁ ଡକାଇ ପ୍ରମାଣପତ୍ର ଯାଞ୍ଚ ସହ କ୍ଷେତ୍ରୀୟ ଯାଞ୍ଚ କରି ଏହାର ରିପୋର୍ଟ ପାସପୋର୍ଟ କାର୍ଯ୍ୟାଳୟକୁ ଦେଇଥାନ୍ତି। ପାସପୋର୍ଟ କାର୍ଯ୍ୟାଳୟ ପୋଲିସ ଯାଞ୍ଚ ଆଧାରରେ ପାସପୋର୍ଟ ଜାରି କରେ ବା ରଦ୍ଦ କରେ।
ସକାଳେ ଆବେଦନ, ସନ୍ଧ୍ୟାରେ ପାସପୋର୍ଟ : ଦୁବାଇରେ ଅବସ୍ଥାପିତ ଭାରତୀୟ କନ୍‌ସୁଲେଟ ତତ୍କାଳ ପାସପୋର୍ଟ ସେବା ଜାରି କରି କହିଛନ୍ତି ଯେ ଜଣେ ସକାଳେ ଆବେଦନ କଲେ, ସନ୍ଧ୍ୟା ସୁଦ୍ଧା ପାସପୋର୍ଟ ପାଇପାରିବେ। ୨୪ ଘଣ୍ଟା ମଧ୍ୟରେ ପାସପୋର୍ଟ ପ୍ରଦାନର ବ୍ୟବସ୍ଥା କରାଯାଇଥିବାରୁ ଦିନକୁ ୮୦୦ ଆବେଦନକାରୀଙ୍କୁ ପାସପୋର୍ଟ ଉପଲବ୍ଧ କରାଯାଇ ପାରୁଛି। ଏହିକ୍ରମରେ ଗତବର୍ଷ ୨ ଲକ୍ଷ ପାସପୋର୍ଟ ପ୍ରଦାନ କରାଯାଇଥିଲା। ସେହିପରି ୨୫୦୦ ଏମର୍ଜେନ୍ସି ସାର୍ଟିଫିକେଟ (ୱାନ-ୱେ ଟ୍ରାଭେଲ ଡକ୍ୟୁମେଣ୍ଟ) ପ୍ରଦାନ କରାଯାଇଥିବା ସେ ଦର୍ଶାଇଛନ୍ତି।
ପାୱାରଫୁଲ ପାସପୋର୍ଟ ସୂଚୀରେ ଭାରତର ସ୍ଥାନ ୮୪, ଜାପାନ ଶୀର୍ଷରେ : ୨୦୨୦ ହେନ୍‌ଲି ପାସପୋର୍ଟ ଇଣ୍ଡେକ୍ସ ନିକଟରେ ପ୍ରକାଶ ପାଇଛି। ସବୁଠୁ ପାୱାରଫୁଲ ପାସପୋର୍ଟ ସୂଚୀରେ ରହିଛି ଜାପାନ। ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ ତଥ୍ୟ ଆଧାରରେ ଏଭଳି ସୂଚନା ପ୍ରଦାନ କରାଯାଇଛି। ଜାପାନର ପାସପୋର୍ଟଧାରୀ ବିନା ଭିସାରେ ୧୯୧ଟି ଦେଶକୁ ଯାଇପାରିବେ। ଇଣ୍ଡେକ୍ସର ଟପ୍‌ ଟେନ ଦେଶ ଭିତରେ ସିଙ୍ଗାପୁର, ଜର୍ମାନୀ, ଦକ୍ଷିଣ କୋରିଆ, ଇଟାଲୀ, ଫିନଲାଣ୍ଡ, ସ୍ପେନ ଓ ଡେନମାର୍କ ଭଳି ଦେଶ ଅଛନ୍ତି। ୨୦୦୬ରେ ଭାରତ ଏହି ସୂଚୀର ୭୧ତମ ସ୍ଥାନରେ ଥିବା ବେଳେ ୨୦୨୦ରେ ଏହା ତଳକୁ ଖସି ୮୪ତମ ସ୍ଥାନରେ ପହଞ୍ଚିଛି। ସମ୍ପ୍ରତି ଭାରତୀୟ ପାସପୋର୍ଟଧାରୀମାନେ ବିନା ଭିସାରେ ୫୮ଟି ଦେଶକୁ ଯାଇପାରିବେ। ବିଶ୍ବର ସବୁଠୁ ଦୁର୍ବଳତମ ପାସପୋର୍ଟ ପ୍ରଦାନକାରୀ ଦେଶ ଭାବେ ନାଇଜେରିଆ ରହିଛି। ବିଶ୍ବରେ ପାସପୋର୍ଟ ପ୍ରଦାନ ତାଲିକାରେ ନାଇଜେରିଆର ରାଙ୍କ ୧୯୯ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ