ନାବାଳିକା ଯୁବତୀ ଉଦ୍ଧାର, ପରିବାରକୁ ହସ୍ତାନ୍ତର
ବେଗୁନିଆ(ଯୁଗାବ୍ଦ ନ୍ୟୁଜ୍): ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଲ୍ଲି ଗ୍ରାମ ମୁଣ୍ଡରେ ଥିବା ହନୁମାନ ମନ୍ଦିର ନିକଟ ବିଲ ଭିତରୁ ଗ୍ରାମବାସୀ ଏକ ନାବାଳିକା ଯୁବତୀକୁ ସୋମବାର ସକାଳେ ଉଦ୍ଧାର କରିଛନ୍ତି । ବହୁ ସମୟ ପରେ ତା’ର ଠିକଣା ପାଇ ତାକୁ ତା’ର ପରିବାର ଜିମା ଦେଇଆସିଛନ୍ତି । ଭୋର ସମୟରେ ନିକଟସ୍ଥଗ୍ରାମ ଅନନ୍ତାପଲ୍ଲୀର ଜଣେ ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟର ନେଇ ସେହି ବାଟଦେଇ ଯାଉଥିବା ବେଳେ ସମ୍ପୃକ୍ତ ଯୁବତୀଟି ମୁର୍ମୂଷ ଅବସ୍ଥାରେ ବିଲ ଭିତରେ ପଡ଼ିଥିବା ଦେଖି ଲୋକଙ୍କୁ ଡାକ ପକାଇଥିଲା । ଲୋକମାନେ ସେଠାରେ ପହଞ୍ଚି ଯୁବତୀର ମୁହଁରେ ପାଣି ମାରି ଚେତା ଆଣି ଖାଇବାକୁ ଦେଇଥିଲେ । ସେ ଧରିଥିବା ଗୋଟିଏ ୧୦୦ଟଙ୍କିଆ ନୋଟ୍କୁ ଦେଖି ଲୋକମାନେ ବିଭିନ୍ନ କଥା ସନ୍ଦେହ କରିଥିଲେ । ହେଲେ ତାକୁ ଯାହା ପଚାରିଲେ କିଛି ଉତ୍ତର ନଦେଇ କେବଳ ହସିବା ସହ ନିରବ ରହୁଥିଲା । ତେଣୁ ଲୋକମାନେ ବେଗୁନିଆ ଥାନାକୁ ଫୋନ କରିଥିଲେ ବି କେହି ଫୋନ ଉଠାଇନଥିଲେ । ତା ପରେ ଚାଇଲ୍ଡ ହେଲ୍ପଲାଇନ୍ ଭୁବନେଶ୍ୱରକୁ ଫୋନ କରିବାରୁ ତାକୁ ରଖିଥାଆନ୍ତୁ ଆମେ ଯାଉଛୁ ବୋଲି କହିଥିଲେ । ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମ ସହିତ ଯୋଗାଯୋଗ କରିବାରୁ ସେ ସେହି ଗ୍ରାମର ଦ୍ୱିଜ ବାରିକଙ୍କ ଝିଅ ରୁନି ବାରିକ(୧୬) ବୋଲି ଜଣାପଡ଼ିଥିଲା । ସେ ମେଟ୍ରିକ ପାଶ କରିଛନ୍ତି । ତାଙ୍କ ବାପା ପ୍ରଥମେ ସୁନାଖଳା ନିକଟସ୍ଥ ପାନନଗରରେ ବାହା ହୋଇଥିବା ବେଳେ ୫/୬ ବର୍ଷ ହେବ ଏକ ଆଦିବାସୀ ମହିଳାଙ୍କୁ ନେଇ ଘର ଛାଡ଼ି ପଳାଇଛନ୍ତି । ଫଳରେ ପାରିବାରିକ ଚାପ ଏବଂ ଆର୍ଥିକ ଅନାଟନ ଯୋଗୁ ଗତକାଲି ସକାଳେ ତା ମା ଗାଧୋଇ ଯାଇଥିବା ବେଳେ ସେ ଘରୁ ବାହାରି ଚାଲି ଚାଲି ପଳାଇ ଆସିଛି ବୋଲି ଜଣାପଡ଼ିଛି । ବିଳମ୍ବିତ ରାତିରେ ସେ ବୁଲୁୁଥିଲା ଏବଂ ଠିଆ ହୋଇ ବିକଟାଳ ହସ ହସୁଥିବା ଲୋକେ ଦେଖିଛନ୍ତି । ଫଳରେ ତାର ସନ୍ଧାନ ପାଇବାପରେ ସମାଜସେବୀ ଦାସରଥି ଖୁଣ୍ଟିଆ ଏବଂ ଅଶୋକ କୁମାର ନାଏକ ଯୁବତୀ ଜଣକର ସେବା ଶୁଶୃଷା କରି ତାକୁ ନେଇ ଶଗଡ଼ଭଙ୍ଗା ଗ୍ରାମରେ ତାର ପରିବାର ଜିମା ଦେବା ସହିତ ଚାଇଲ୍ଡ ହେଲ୍ପଲାଇନ କର୍ମକର୍ତ୍ତାଙ୍କୁ ନ ଆସିବାପାଇଁ କହିଥିଲେ ।