ଚମ୍ପୁଆ ସହକାରୀ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଚମ୍ପୁଆ,(ଯୁଗାବ୍ଦ ନ୍ୟୁଜ୍) : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସପନ କୁମାର ସାହୁଙ୍କୁ କାର୍ଯ୍ୟାଳୟ ପକ୍ଷରୁ ବିଦାୟକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ସାହୁଙ୍କର ପଦୋନ୍ନତି ହୋଇଥିବାବେଳେ ସେ ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ସାହୁ ୨୦୧୬ ମସିହା ମାର୍ଚ୍ଚ୧୪ ତାରିଖରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ତାଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଚମ୍ପୁଆ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ସବ୍-ରେଜିଷ୍ଟ୍ରାର୍, ଆର୍ଏମ୍ସିର ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ସେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିଥିଲେ । ଏହାସହ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ଚମ୍ପୁଆ ଉପଖଣ୍ଡର ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି ନିଷ୍ଠାର ସହ କାର୍ଯ୍ୟ କରିବା ତାଙ୍କୁ ବେଶ୍ ଲୋକପ୍ରିୟ କରାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କୁମାର ଗିରି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାଏକ,ବରିଷ୍ଠ କର୍ମଚାରୀ ରାଜେନ୍ଦ୍ର ଦାଶଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କର କାର୍ଯ୍ୟଶୈଳୀ, ବ୍ୟକ୍ତିଗତ ଅନୁଭୂତି ସମ୍ପର୍କରେ ଉପସ୍ଥାପିତ କରିଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ଏବଂ ଅନ୍ୟ କର୍ମଚାରୀଗଣ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।


