ପଥବିକ୍ରେତା ସଂଘ ପକ୍ଷରୁ ପୂର୍ବତନ ସାଂସଦ ଦୁତୀକୃଷ୍ଣ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର : ଓଡ଼ିଶାର କୃଷକ ଓ ଶ୍ରମିକ ଶ୍ରେଣୀ ସଂଗ୍ରାମର ଅନ୍ୟତମ ମହାନାୟକ ସି.ପି.ଆଇ.ର ପୂର୍ବତନ ରାଜ୍ୟ ସଂପାଦକ ଏ.ଆଇ.ଟି.ୟୁ.ସି.ର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ଓ ସଭାପତି, ଆସ୍କା ସଂସଦୀୟ କ୍ଷେତ୍ରର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ଦୁତୀକୃଷ୍ଣ ପଣ୍ଡାଙ୍କର ଗତ ମେ ୫ ତାରିଖ ସକାଳେ ବିୟୋଗ ହୋଇଯାଇଛି । ଆଜି ବାଲେଶ୍ୱର ପଥବିକ୍ରେତା ସଂଘ ପକ୍ଷରୁ ଏହି ମହାନ ନେତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଦୁତୀକୃଷ୍ଣ ପଣ୍ଡା ୧୯୨୩ ମସିହା ଜୁଲାଇ ପହିଲାରେ ଜନ୍ମଗ୍ରହଣ କରିଥିଲେ । ଛାତ୍ରଜୀବନରୁ ଅଖିଳ ଭାରତ ଛାତ୍ରସଂଘରେ ସକ୍ରିୟତା ପ୍ରଦର୍ଶନ କରି ଦେଶର ମୁକ୍ତି ଆନ୍ଦୋଳନରେ ଝାସ ଦେବା ସହ ସ୍ୱାଧୀନୋତ୍ତର ଭାରତରେ ଓକିଲାତି ଜୀବନରେ କୃଷକ ସଂଗଠନ, ବିଶେଷକରି ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳରେ ଆଖୁଚାଷୀ ସଂଗଠନ, ଆସ୍କା ଚିନିକଳର ଶ୍ରମିକ ସଂଗଠନ, ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ଛୋଟବଡ଼ ଶ୍ରମିକ ସଂଗଠନ, ରାଜ୍ୟରେ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ୍, ରାଜ୍ୟର ଏ.ଆଇ.ଟି.ୟୁ.ସି.ର ସାଧାରଣ ସଂପାଦକ ଓ ପରେ ରାଜ୍ୟ ସଭାପତି ଥିଲେ । ଆସ୍କା ଲୋକସଭା ଆସନରୁ ବିଜୁ ପଟ୍ଟନାୟକଙ୍କ ଭଳି ବଳିଷ୍ଠ ନେତୃତ୍ୱଙ୍କୁ ନିର୍ବାଚନରେ ପରାଜିତ କରି ୧୯୭୧ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ପାଦଦେବାବେଳେ ଦୁତୀକୃଷ୍ଣ ପଣ୍ଡା ଆସ୍କା ଲୋକସଭାପାଇଁ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକ ଥିଲେ । ସି.ପି.ଆଇ.ର ନେତୃତ୍ୱ ନେଉଥିବାବେଳେ ବାଲେଶ୍ୱର ଜିଲ୍ଲାର ଦୁର୍ଭିକ୍ଷ ବିଷୟରେ ସଂସଦରେ ଉପସ୍ଥାପନ କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ଜୀବନସାରା ଶ୍ରମଜୀବୀ ଜନଗଣଙ୍କ ଅଧିକାର, ଚାଷୀମାନଙ୍କ ପାଇଁ ‘ଲଙ୍ଗଳ ଯାହାର ଜମି ତାହାର’, ଦେଶର ଏକତା, ଅଖଣ୍ଡତା ଓ ଧର୍ମନିରପେକ୍ଷତାର ସଂଗ୍ରାମରେ ଲାଗିରହିଥିଲେ । ତାଙ୍କର ଜୀବନର ଶେଷ ପର୍ଯ୍ୟନ୍ତ ସେ ଏ.ଆଇ.ଟି.ୟୁ.ସି. ରାଜ୍ୟ କାର୍ଯ୍ୟାଳୟରେ ରହୁଥିଲେ । ଗତ ମେ ୫ ତାରିଖ ସକାଳ ୫ଟାରେ ଆମ୍ରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ଘଟିବା ପରେ ସମଗ୍ର ରାଜ୍ୟର ଶ୍ରମଜୀବୀ ଜନଗଣଙ୍କ ପାଇଁ ସେ ଯୋଗାଇଆସିଥିବା ପ୍ରେରଣା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବାବେଳେ ଆଜି ବାଲେଶ୍ୱର ଠାରେ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆବିଦ୍ ଖାନ୍, ମୋହିନୀ ମୋହନ ପରିଡ଼ା, ଅରୁଣ ଜେନା, ଦେବେନ୍ଦ୍ର ଜେନା, ତପନ କୁମାର ସିଟ୍, ରାମଚନ୍ଦ୍ର ପରିଡ଼ା, ଟିପିରି ସିଂ, ଜୟନ୍ତୀ ଦାସ, ଅଭିରାମ ବାରିକ୍, ସୁଧାଂଶୁ ଶାହା, ଶେଖ୍ ଇସ୍ଲାମ୍, ନିରଞ୍ଜନ ସ୍ୱାଇଁ, ମନୋରଞ୍ଜନ ଆସ୍, ସନ୍ତୋଷ କୁମାର ସାହୁ, ଜିତେନ୍ଦ୍ର ଦେ, ଗୋବର୍ଦ୍ଧନ ସାହୁ, ସେକ୍ ସମୀମ୍, ଦୀନବନ୍ଧୁ ସାହୁ, ମହମ୍ମଦ ମୁସ୍ତାଫା (ରୁକ୍ସାନ୍), ଶଶୀଭୂଷଣ, ଓମ୍ପ୍ରକାଶ ପାଣ୍ଡେ, ପୁରୁଷୋତ୍ତମ ଖଟୁଆ, ହରେକୃଷ୍ଣ ଦାସ, ଦୁର୍ଗାଶଙ୍କର ଦାସ, ସୁବାସ ପ୍ରଧାନ, ଗୌରାଙ୍ଗ ଜେନା ପ୍ରମୁଖ ଦୁତୀକୃଷ୍ଣ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ