ଅଶୁଭ ଶୁକ୍ରବାର: ପିପିଲିରେ ଫନି ଚଡ଼କ

ପିପିଲି (ଜୁଗାବ୍ଦ ନ୍ୟୁଜ୍‍): ପିପିଲି ଉପରେ ପଡ଼ିଛି ସାମୁଦ୍ରିକ ଝଡ଼ ଫାନିର ଚଡ଼କ । ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିବା ବାତ୍ୟା ଫାନିର ପ୍ରଭାବରୁ ବାଦ୍ ପଡ଼ିନି ପିପିଲି । ୧୯୯୯ ମହାବାତ୍ୟା ପରେ ଅର୍ଥାତ୍ ଦୀର୍ଘ ୨୦ ବର୍ଷ ପରେ ଆଉ ଏକ ବଡ଼ ବାତ୍ୟାର ସମ୍ମୁଖୀନ ହେଲେ ପିପିଲିବାସୀ । ପୂର୍ବରୁ ଫାଇଲିନ୍, ହୁଡହୁଡ଼୍, ଓ ତିତିଲି ଭଳି ଅନେକ ବାତ୍ୟା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ପିପିଲିରେ ସେତେ ପଡ଼ିନଥିଲା । ମାତ୍ର ଫାନି ପ୍ରକୋପରେ ପିପିଲିାର ଧାନ, ପାନ ଫସଲଠାରୁ ଆରମ୍ଭ କରି ବିଦ୍ୟୁତ୍ ସେବା, ଟେଲିସେବା ସବୁ କିଛି ଠପ୍ ହୋଇଯାଇଛି । ବାତ୍ୟା ଉଜାଡ଼ି ଦେଇଛି ଚାଷୀର ମେରୁଦଣ୍ଡ । ଧାରକରଜ କରି ଫସଲ କରିଥିବା ଚାଷୀର ମୁଣ୍ଡରେ ଏବେ ଋଣବୋଝ । ମୁଗ, ବିରି, ଧାନ, ପାନ,ନଡ଼ିଆ ଫସଲକୁ ସମ୍ପର୍ଣ୍ଣ ନଷ୍ଟ କରିଦେଇଛି ଫାନି । ହଜାର ହଜାର ହେକ୍ଟର ଚାଷ ଜମିରେ ବର୍ଷା ପାଣି ମାଡ଼ିଯିବାରୁ ନଷ୍ଟ ହୋଇଛି ଫସଲ । ପବନରେ ଭାଙ୍ଗିଯାଇଛି ପାନବରଜ । ଗାଈ ବାଛୁରୀ, ଛେଳି, ମେଣ୍ଢା, ବଳଦ, ଘୁଷୁରୀ ଓ ଅନେକ କୁକୁଡ଼ାଙ୍କର ମୃତ୍ୟୁ ଘଟିଛି । ଗାଈ ଗୁହାଳ, କୁକୁଡ଼ା ଫାର୍ମା ସବୁ ମିଳିଯାଇଛି ମାଟିରେ । ସବୁଠାରୁ ବେଶୀ କ୍ଷତି ହୋଇଛି ବିଦୁତ୍ ବିଭାଗର । ଗ୍ରାମାଞ୍ଚଳରେ ଏଲ୍ଟି ଲାଇନ୍, ଗ୍ରୀଡ୍ ସବଷ୍ଟେସନ, ୧୧ କେଭି, ୩୩ କେଭି ଓ ଅନ୍ୟାନ୍ୟ ଲାଇନ୍ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । କେତେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପରେ ଗଛ ପଡ଼ି ଭାଙ୍ଗି ଯାଇଥିବାବେଳେ ଆଉ କିଛି ଖୁଣ୍ଟ ସବୁ ନଇଁ ପଡ଼ିଛି । ତେବେ ବିଦ୍ୟୁତ୍ ସେବା ସ୍ୱାଭାବିକ୍ କରିବାଲାଗି ଆନ୍ଧ୍ରର ୧୬୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କାର୍ଯ୍ୟ ଜାରି ରହିଥିଲେ ବି ଅନେକ ଗାଁଗଣ୍ଡା ସମେତ ଦୋକାନ ବଜାର ଏବେ ବି ଅନ୍ଧାରରେ ରହିଛି । ବିଭିନ୍ନ ଛକ ବଜାର ସମେତ ଗାଁରେ ଥିବା ଛୋଟବଡ଼ କ୍ୟାବିନ ଆଜବେଷ୍ଟସ ଓ ଟିଣ ଛପର ଘର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବ୍ୟବସାୟୀମାନେ ଏବେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସଂଘର୍ଷ କରୁଛନ୍ତି । ବ୍ୟାଙ୍କ ଓ ଏଟିଏମ୍ ସେବା ଅଚଳ ହୋଇପଡ଼ିଥିବାରୁ ଜନସାଧାରଣ ଏବେ ଚିନ୍ତାରେ । ଜମାଖାତରେ ଟଙ୍କା ଥାଇ ବି ଉଠାଇପାରୁନାହାନ୍ତି । ଏହିଭଳି ଦୁର୍ଦ୍ଦିନରେ ଏବେ କାଳ କାଟୁଛନ୍ତି ପିପିଲି ଅଞ୍ଚଳବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ