ପଲିଟେକିନକର କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ
ନାଉଗାଁ : ଥାନା ଅନ୍ତର୍ଗତ କାନୁନଗୋସାହିର ପ୍ରଫୁଲ୍ଲ ମହାନ୍ତିଙ୍କ ପୁତ୍ର ଅନିଲ ମହାନ୍ତିଙ୍କୁ କିଛି ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ପ୍ରଫୁଲ୍ଲ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ତାଙ୍କ ପୁଅ ଜାମୁଗାଁ ପଂଚାୟତର କଣିପଡାସ୍ଥିତ ପଲିଟେକନିକ କଲେଜରେ ଚାକିରୀ କରୁଛନ୍ତି । ସେ କାର୍ଯ୍ୟରେ ଯୋଗ ଦେବା ପାଇଁ ରାସ୍ତାରେ ଯାଉଥିବା ସମୟରେ କଲେଜ ନିକଟରେ ଭାତପଡାର ମିଲନ ମହାନ୍ତି ଓ ଖଇରାବସ୍ତର ସମୀର ରାୟ ତାଙ୍କ ପୁଅକୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ତାକୁ ଜୀବନରୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ପରେ ଏକ ଲୁହାରଡରେ ତାଙ୍କ ପୁଅକୁ ଉଭୟ ସେଥିରେ ପିଟିଥିଲେ । ଯାହାଫଳରେ ତାଙ୍କ ପୁଅର ହାତ ଭାଙ୍ଗି ଯାଇଥିଲା । ତାଙ୍କ ପୁଅ ତଳେ ପଡିଯିବାରୁ ନିକଟରେ ପଡିଥିବା ଇଟାକୁ ଆଣି ତାଙ୍କ ମୁହଁକୁ ଛେଚିଥିଲେ । ଯାହାଫଳରେ ତାଙ୍କ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକ ଏହା ଦେଖି ତାଙ୍କ ପୁଅକୁ ଉଦ୍ଧାର କରି ଘରକୁ ଖବର ଦେଇଥିଲେ । ଖବର ପାଇ ତାଙ୍କ ପୁଅକୁ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ କଟକର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସା ଲାଗି ଭର୍ତି କରାଯାଉଛି । ତେଣୁ ତାଙ୍କ ପୁଅକୁ ଜୀବନରେ ମାରି ଦେବା ପାଇଁ ଯେଉଁ ମାନେ ଉଦ୍ୟମ କରୁଥିଲେ ସେମାନଙ୍କୁ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏବିଷୟରେ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରହିଥିବା ସହିତ ଅଭିଯୋଗକୁ ଭିତି କରି ୩୬/୨୦୨୦ରେ ଏକା ମାମଲା ରୁଜୁ ହୋଇଥିବା ପ୍ରକାଶ କରିଛନ୍ତି ।