ସବପୋଷ୍ଟ ମାଷ୍ଟରଙ୍କ ଖାମଖିଆଲି ନୀତି ଯୋଗୁଁ ଡାକସେବା ବାଧାପ୍ରାପ୍ତ
ହାଟଡ଼ିହି : ସବପୋଷ୍ଟ ଅଫିସ ଦାୟିତ୍ୱରେ ଥିବା ପୋଷ୍ଟମାଷ୍ଟରଙ୍କ ଖାମଖିଆଲି ନୀତି ଯୋଗୁଁ ସଞ୍ଚୟ ଜମାକାରୀ ଓ ଅନ୍ୟାନ୍ୟଉପଭୋକ୍ତା ମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ଜଣାଯାଏ ଯେ କୁଣ୍ଡିସାହି ଗ୍ରାମର ରାଧାକୃଷ୍ଣ ପତିଙ୍କ ସଞ୍ଚୟ ଜମାଖାତା ନମ୍ବର ୬୧୭୭୯୭୫୬୫୩କୁ ଛେନାପଦି ପୋଷ୍ଟ ଅଫିସକୁ ମ୍ୟାପିଂ (ସଂଯୋଗ) କରିବାପାଇଁ ଉପଭୋକ୍ତା ଜଣକ ଜାନୁୟାରୀ ମାସ ୨ତାରିଖ ଦିନରୁ କେୱାଇସି ଜମାଦେଇ ବାରମ୍ବାର ଦୌଡି ଦୌଡି ଦୀର୍ଘ ଦୁଇମାସ ପରେ ଗତ ଫେବୃୟାରୀ ୨୮ତାରିଖରେ ପୋଷ୍ଟମାଷ୍ଟର ମ୍ୟାପିଂ ନକରି ଫେରାଇ ଦେଇଥିଲେ । ସେହିପରି ମଞ୍ଜୁଲତା ମିଶ୍ର ନାମକ ଜଣେ ଗ୍ରାହକଙ୍କ ସଞ୍ଚୟ ଜମାଖାତା ନଂ ୬୧୭୮୦୪୧୪୮୧ଟିକୁ ଚଳାଇବାପାଇଁ କେୱାଇସି ସହିତ ସେହି ଜାନୁୟାରୀ ୨ତାରିଖରୁ ୫ଶହ ଟଙ୍କା ଜମା ରଖିଥିଲେ ମଧ୍ୟ ମୋ ହାତ ଖରାପ ଅଛି କିଛି କରିପାରିବି ନାହିଁ ବୋଲି କହି ବହି ଓ ଟଙ୍କାକୁ ଦୁଇମାସ ପରେ ଫେରସ୍ତ କରିଦେଇଥିଲେ । ଲୋକମାନେ ଯେକୌଣସି କାମରେ ପୋଷ୍ଟ ଅଫିସକୁ ଗଲେ ପୋଷ୍ଟଅଫିସରେ କୌଣସି କାମ ହେଉ ନଥିବା ଯୋଗୁଁ ନିରାଶରେ ଫେରୁଛନ୍ତି । ସେହିପରି ବ୍ଲକ, ତହସିଲର ବହୁ ଜରୁରୀ କାଗଜପତ୍ରକୁ ଗ୍ରହଣ ନକରିବା ଯୋଗୁଁ ସରକାରୀ କାମରେ ବାଧା ଉପୁଜିବା ସହ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନହେଉଛନ୍ତି । ଫଳରେ ପୋଷ୍ଟଅଫିସରେ ଅଚଳାବସ୍ଥା ଦେଖା ଦେଇଛି । କେନ୍ଦ୍ର ସରକାର ଡାକସେବାକୁ ଲୋକାଭୀମୁଖୀ କରିବା ସକାଶେ ଡାକ, ବ୍ୟାଙ୍କ ବ୍ୟବସ୍ଥା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଏହିଭଳି କିଛି କର୍ମଚାରୀଙ୍କ ପାଇଁ ଏହା ଠିକଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଏ ସମ୍ପର୍କରେ ପୋଷ୍ଟମାଷ୍ଟର କ୍ଷେତ୍ରମୋହନ ଜେନାଙ୍କୁ ପଚାରିବାରେ ସେ ନେଟ ଫେଲର ଯୋଗୁଁ ପୋଷ୍ଟ ଅଫିସ କାର୍ଯ୍ୟରେ ବିଳମ୍ବ ଘଟୁଛି ବୋଲି ସଫେଇ ଦେଇଛନ୍ତି । କିନ୍ତୁ ପୋଷ୍ଟମାଷ୍ଟରଙ୍କୁ ଏ ବାବଦରେ ପଚାରିବାର ୫ମିନିଟ ମଧ୍ୟରେ ସଂପୃକ୍ତ ଦୁଇଜଣ ଗ୍ରାହକଙ୍କ ଜମାବହି ଠିକ କରିଦିଆଯାଇଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି ।