ବର୍ଷାରେ ଘରର କାନ୍ଥ ପଡ଼ି ଚାପି ହୋଇ ବୃଦ୍ଧ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ପୌରଂଚଳ ୨୧ ନଂ ୱାର୍ଡ଼ ଜଗାଳି ସାହିରେ ସୋମବାର ଦିନ ଘଟିଛି ଏକ ଅଭାବନୀୟ ଘଟଣା । ବର୍ଷାରେ ଘରର କାନ୍ଥ ଭୁଷୁଡ଼ି ପଡ଼ିବା ଫଳରେ ଜୈନିକ ବୃଦ୍ଧ କାନ୍ଥ ତଳେ ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି । ଆହତ ବୃଦ୍ଧ ଜଣକ ସଂପୃକ୍ତ ସାହିର ବାସୁଦେବ ନାଇକ(୬୨) । ପ୍ରକାଶ ଯେ, ସୋମବାର ଦିନ ଅପରାହ୍ନ ଓ ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ଘର ହିଞ୍ଜିଳିକାଟୁ ପୌରଂଚଳ ୨୧ ନଂ ୱାର୍ଡ଼ ଜଗାଳି ସାହିର ବାସୁଦେବ ରାତ୍ର ପ୍ରାୟ ୮ ଟାରେ ଘର ମଧ୍ୟରେ କୌଣସି କାମ କରୁଥିବା ସମୟରେ ହଠାତ ବାସୁଦେବଙ୍କ ଝାଟିମାଟି ପୁରୁଣା ଘରର ମାଟି କାନ୍ଥଟି ଭୁଷୁଡ଼ି ପଡ଼ି ବୃଦ୍ଧଙ୍କ ଉପରେ ଚାପି ହୋଇ ଯାଇଥିଲା । ବାସୁଦେବଙ୍କ ପରିବାର ସଦସ୍ୟ ଜାଗର ସକାଶେ ମନ୍ଦିରକୁ ଯାଇଥିବା ବେଳେ ଘଟଣା ଜାଣି ପାରିନଥିଲେ । ବୃଦ୍ଧଙ୍କ ଚିକ୍ରାର ଶୁଣି ସାହି ବାସିନ୍ଦା ବୃଦ୍ଧଙ୍କୁ ଉଦ୍ଧାର ପାଇଁ ହିଞ୍ଜିଳିକାଟୁ ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ଦମକଳ ବାହୀନି କର୍ମଚାରୀ ଘଟଣା ସ୍ଥଳରେ ପଂହଚି ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ବୃଦ୍ଧଙ୍କ ପରିବାର ସଦସ୍ୟ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଓ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି ।


