ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ
କେନ୍ଦ୍ରାପଡା: ଜିଲ୍ଲାରେ ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଭାଇଚାରା ନଷ୍ଟ ହେବା ଆଶଙ୍କା କରି ଜିଲ୍ଲା କଂଗ୍ରେସ ଓବିସି ସେଲର ସଭାପତି ବିଧୁଭୂଷଣ ମହାପାତ୍ର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ତାଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଏକ ଭାଇଚାରାର ଜିଲ୍ଲା ଭାବରେ ଖ୍ୟାତି ରହିଥିବା ବେଳେ ଏଠାରେ କେତେକ ଘଟଣାକୁ ନେଇ ତାହା ବ୍ୟାହାତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହି ଘଟଣା ଗୁଡିକୁ ଗୁରୁତ୍ୱ ସହକାରେ ନେବା ପାଇଁ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରତି ପଂଚାୟତରେ ବିକାଶର ଧାରା ନାମରେ ଶିଶୁ ଉଦ୍ୟାନ, ପାର୍କ, ଖେଳପଡିଆ, ଷ୍ଟାଡିୟମ ଓ କଲ୍ୟାଣମଣ୍ଡପ ପ୍ରଭୃତି ନିର୍ମାଣ ଚାଲିଛି ।ଏଥିନିମନ୍ତେ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ପର୍ଯ୍ୟନ୍ତ କୈାଣସି ଠାରେ ଏଥିନିମନ୍ତେ ନିର୍ଦ୍ଦିଷ୍ଠ ଖସଡା ପ୍ରସ୍ତୁତ ହୋଇନାହିଁ । ବିନା ନକ୍ସା, ଏଷ୍ଟିମେଟ, ମଞ୍ଜୁରୀ ଓ ଯୋଜନାରେ ଏହିସବୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏଥି ପାଇଁ ଗ୍ରାମପଂଚାୟତ ଗୁଡିକରେ କାର୍ଯ୍ୟ ନିର୍ବାହୀ ଚୟନ କରିବା, ସୂଚନା ଫଳକ ମରାଯିବା, ସୂଚନା ଫଳକରେ କାର୍ଯ୍ୟର ନକ୍ସା, ସାରଣୀ ଓ କାର୍ଯ୍ୟର ମାନ ଉଲ୍ଲେଖ ରହିବା କଥା । ମାତ୍ର ଏସବୁ କିଛି ନଥାଇ ନିର୍ମାଣ କାର୍ଯ୍ୟ କରାଯାଉଛି । ଏହାଦ୍ୱରା ସାଧାରଣ ଜନତାଙ୍କ ପକ୍ଷରୁ ଏନେଇ ପରଷ୍ପରକୁ ସନ୍ଦେହ କରିବା ସହ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ ହେବାରେ ଲାଗିଛି । ଏହାଦ୍ୱାରା ଗ୍ରାମାଚଂଳର ଗରୀବ ଖଟିଖିଆ ମୂଲିଆ ଜନତାଙ୍କ ମଧ୍ୟରେ ଅସୂୟା ମନୋଭାବ ସୃଷ୍ଟି ହେଉଛି । ଫଳରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି । ଏହାର ସଦ୍ୟତମ ଉଦାହରଣ ହେଉଛି ସୂଚନା ଅଧିକାର କର୍ମୀ ରଞ୍ଜନ ଦାସର ଅକାଳ ବିୟୋଗର ଘଟଣା । ଏଭଳି ହେବା ଦ୍ୱାରା ପରଷ୍ପର ଭିତରେ ଅସୂୟା ଭାବ ବୃଦ୍ଧି ହେବା ସହିତ ଗ୍ରାମର ସରକାରୀ ଗୋଚର ଜମି, ଶ୍ମଶାନ, କାଡାକେନାଲ, ପୋଖରୀ ହୁଡା, ଜଳାଶୟ ଗୁଡିକ ତା’ର ଅସ୍ତିତ୍ୱ ହରାଉଛି । ତେଣୁ ଏସବୁକୁ ବିଚାରକୁ ନେଇ ଦୂରଦୃଷ୍ଟି ସମ୍ପନ୍ନ ଭାବରେ ପ୍ରଥମେ ନିର୍ମାଣ ପାଇଁ ଭୂମି ଚୟନ କରିବା,ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରାଯିବା,ସାଧାରଣ ଲୋକଙ୍କ ଠାରୁ ମତାମତ ଓ ଅଭିଯୋଗ ଗ୍ରହଣ କରିବା,ପ୍ରକଳ୍ପ ଗୁଡିକରେ ଉନ୍ନତମାନର ସାମଗ୍ରୀ ବ୍ୟବହୃତ କରି ସୁଦୃଢ ପ୍ରକଳ୍ପ ସ୍ଥାପନ କଲେ ଏବଂ ସରକାରୀ ନୀତିନିୟମରେ ଅଧରକ ଅର୍ଥ ବ୍ୟୟବରାଦ ହେଉଥିବା ପ୍ରକଳ୍ପ ନିମନ୍ତେ ଟେଣ୍ଡର ବ୍ୟବସ୍ଥା କରାଗଲେ ଜନସାଧାରଣଙ୍କ ମଧ୍ୟରେ ଆଉ ସନ୍ଦେହ ରହିବ ନାହିଁ । ଫଳରେ ତଳସ୍ତରର କର୍ମଚାରୀ ଯଥା କନିଷ୍ଠ ଯନ୍ତ୍ରୀ,ପିଇଓ ଏବଂ ଜିଆରଏସମାନେ ସୁରକ୍ଷିତ ରହିବା ସହିତ ସରପଂଚ, ୱାର୍ଡମେମ୍ବର, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନେ ସାଧାରଣ ଲୋକଙ୍କ ଠାରୁ ଅସୂୟା ପରିବର୍ତ୍ତେ ଯଥେଷ୍ଟ ସମ୍ମାନ ପାଇପାରିବେ । ଭବିଷ୍ୟତରେ ଏଥିପାଇଁ ଘର ଘର ଓ ଗାଁ ଗାଁ ମଧ୍ୟରେ ମାଲିମକ୍କଦ୍ଦମା ନହୋଇ ଭାଇଚାରାର ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲା କଂଗ୍ରେସ ଓବିସି ସେଲର ସଭାପତି ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି