ବଦଳାନ୍ତୁ ଜୀବନଶୈଳୀ, ଛୁଇଁ ପାରିବନି ବାର୍ଦ୍ଧକ୍ୟ
ଆପଣ କେତେକ ଲୋକଙ୍କୁ ଦେଖିଥିବେ, ୭୦ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ୫୦ ବର୍ଷର ବ୍ୟକ୍ତି ଭଳି ଦେଖାଯାଇଥାନ୍ତି। ବିଶେଷକରି ସୋସାଲ ସାଇଟ୍ରେ ଆକ୍ଟିଭ୍ ମହିଳାମାନଙ୍କୁ ଦେଖିଲେ ମନେ ହେବ ନାହିଁ ଯେ ସେମାନେ ବାର୍ଦ୍ଧକ୍ୟରେ ପହଞ୍ଚି ସାରିଛନ୍ତି। ଏମିତି କେମିତି? କେତେକ ଲୋକ ନିଜ ଡାଏଟ୍ର ବିଶେଷ ଧ୍ୟାନ ରଖିଥାନ୍ତି। ଯାହାଫଳରେ ବୟସ ବଢ଼ିବା ସତ୍ତ୍ବେ ସେମାନେ ନିଜ ବୟସଠାରୁ ୧୦ରୁ ୨୦ ବର୍ଷ କମ୍ ଦେଖାଯାଆନ୍ତି। କିନ୍ତୁ ଖାଦ୍ୟପେୟ ବ୍ୟତୀତ ଚାପ ମଧ୍ୟ ଆପଣଙ୍କୁ ସମୟ ପୂର୍ବରୁ ବୟସ୍କ ଓ ରୋଗୀ କରିଥାଏ। ଚାଲନ୍ତୁ ଜାଣିବା ଦୀର୍ଘ ଦିନ ଯାଏ ଯୁବା ଓ ଫିଟ୍ ରହିବା ପାଇଁ ଆପଣଙ୍କୁ ଡେଲି ରୁଟିନ୍ରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ।
ଓମେଗା ୩ ଫ୍ୟାଟି ଏସିଡ୍
ବୈଜ୍ଞାନିକଙ୍କ ଅନୁସାରେ ଓମେଗା ୩ ଫ୍ୟାଟି ଏସିଡ୍ ଆମ ମସ୍ତିଷ୍କ ପାଇଁ ସବୁଠାରୁ ଆବଶ୍ୟକୀୟ ତତ୍ତ୍ବ ଅଟେ। ଏହାଦ୍ବାରା ମସ୍ତିଷ୍କ ଠିକ୍ ଭାବେ କାମ କରିଥାଏ। କେବଳ ଏତିକି ନୁହେଁ, କୋଷିକାର ଯତ୍ନ ନେବା ସହିତ ଚାପରୁ ଦୂରେଇ ରଖିବାରେ ମଧ୍ୟ ଏହା ସାହାଯ୍ୟ କରେ। ଫ୍ଲେକ୍ସ ସିଡ୍, ସୋୟାବିନ୍, ଚିଆ ସିଡ୍ସ ଓ ମାଛରେ ଭରପୂର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ୍ ରହିଛି।
ଜେନେଟିକ୍ସର ଯୋଗଦାନ
କିଛି ଲୋକଙ୍କ ଯୁବା ରହିବା ଜେନେଟିକ୍ସ ଉପରେ ନିର୍ଭର କରିଥାଏ। ଯେଉଁ ପିଲାମାନଙ୍କ ମା’ ବାପା ନିଜ ଫିଟ୍ନେସ୍କୁ ନେଇ ଅଧିକ ସଚେତନ ଥାଆନ୍ତି କିମ୍ବା ସଚେତନ ଅଟନ୍ତି, ସେମାନଙ୍କ ପିଲାମାନଙ୍କଠାରେ ଫିଟ୍ନେସ୍ ଓ ଯୁବା ଦେଖାଯିବା ସାଧାରଣତଃ ଦେଖିବାକୁ ମିଳିଥାଏ।
ଅଁଳା
ଯଦି ଆପଣ ଅଧିକ ଦିନ ଯାଏ ଯୁବା ଦେଖାଯିବା ଲାଗି ଚାହୁଛନ୍ତି, ତେବେ ନିଜ ନିୟମିତ ଡାଏଟ୍ରେ ଗୋଟିଏ ଅଁଳା ସାମିଲ୍ କରନ୍ତୁ। ଚର୍ମ ସହିତ ଆପଣଙ୍କ କେଶ ମଧ୍ୟ ଦୀର୍ଘ ଦିନ ଯାଏ ସୁନ୍ଦର ରହିବ। ୫୦ ବର୍ଷ ବୟସରେ ପହଞ୍ଚିଲା ପରେ ମଧ୍ୟ ଆପଣଙ୍କ ଭିତରେ ୩୦ ବର୍ଷ ବୟସର ଲୋକଙ୍କ ଏନର୍ଜି ଓ ଆକ୍ଟିଭ୍ ଅନୁଭବ ହେବ।
ଚର୍ବିଠାରୁ ଦୂରରେ
ଶରୀରର ଅତିରିକ୍ତ ଚର୍ବି ଆପଣଙ୍କ ବୟସକୁ ୧୦ ବର୍ଷ ଅଧିକ କରିଦିଏ। ଯଦି ଆପଣଙ୍କ ବୟସ ୪୦ ଓ ଆପଣଙ୍କ ଓଜନ ୭୦ରୁ ୮୦ କିଲୋ, ତେବେ ଆପଣଙ୍କ ବୟସ ୫୦ରୁ ୬୦ ବର୍ଷର ଦେଖାଯିବ। ଯଦି ଆପଣଙ୍କ ଓଜନ ଠିକ୍ ରହିବ, ତେବେ ହୁଏତ ଆପଣଙ୍କ ବୟସ ୨୫ରୁ ୩୦ ବର୍ଷର ଦେଖାଯିବ।
ରାଗ ଓ ଚାପ
ଆବଶ୍ୟକତାଠାରୁ ଅଧିକ ଚାପ ଓ ରାଗ ଆପଣଙ୍କୁ ବୟସ ପୂର୍ବରୁ ରୋଗୀ ଏବଂ ବାର୍ଦ୍ଧକ୍ୟ କରିଦିଏ। ଏପରିସ୍ଥଳେ ଯଥାସମ୍ଭବ ନିଜକୁ ସକାରାତ୍ମକ ରଖନ୍ତୁ। ରାଗିଲେ ମଧ୍ୟ ଶାନ୍ତ ହୋଇ କଥା ହେବାକୁ ଚେଷ୍ଟା କରନ୍ତୁ। ଅଧିକ ରାଗ ଓ ଚାପ ଆପଣଙ୍କୁ ଦିନେ ନା ଦିନେ କୌଣସି ରୋଗର ଶିକାର କରିପାରେ।
ସ୍ବାସ୍ଥ୍ୟକର ଡ୍ରିଙ୍କସ୍
ହ୍ବିଟ୍ ଗ୍ରାସ୍, ପଇଡ଼ ପାଣି, ଲେମ୍ବୁ ପାଣି ଓ ଦୈନିକ ଏକ ଗ୍ଲାସ୍ କ୍ଷୀର ସେବନ କରିବା ଦ୍ବାରା ଶରୀରରୁ ଅନେକ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଆପଣଙ୍କ ଶରୀର ଯେତିକି ଟକ୍ସିନ୍ ଫ୍ରି ହେବ, ଆପଣ ସେତେ ଅଧିକ ଫିଟ୍ ଓ ଆକ୍ଟିଭ୍ ଦେଖାଯିବେ। ଏହାବ୍ୟତୀତ ଚେହେରାକୁ ବାହାରୁ ଯତ୍ନ ନେବା ମଧ୍ୟ ନିହାତି ଦରକାର। ଲେମ୍ବୁ ପାଣି ପିଇବା ସହିତ ଲେମ୍ବୁ, ମହୁ ଓ ଗ୍ଲିସେରିନ୍ର ଘୋଳ ପ୍ରସ୍ତୁତ କରି ସବୁବେଳେ ଚେହେରାରେ ଲଗାଇବା ଫଳରେ ଆପଣଙ୍କ ତ୍ବଚା ଅଧିକ ଯୁବା ଓ ଚମକଦାର ଦେଖାଯିବ।