ଗଜପତିରେ ମହିଳାଙ୍କ ଦ୍ୱାରା ଗଡିଲା ପିଙ୍କ ଅଟୋ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଏସପି ଭିନ୍ନଭିନ୍ନ ସମୟରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟର ସୁଭାରମ୍ଭ କରି ବେଶ ଚର୍ଚ୍ଚିତ ହୋଇଆସିଛନ୍ତି । ପୁଣି ସାହାଯ୍ୟର ହାତ ବଢାଇ ଗଜପତି ଏସପି ସାରା ଶର୍ମା ନିଜର ସହନିୟତାର ପରିଚୟକୁ ପୁଣି ଥରେ ପ୍ରଦର୍ଶନ କରି ସାଧାରଣଙ୍କ ଠାରୁ କୃତଜ୍ଞତା ଓ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ୨ଜଣ ମହିଳାଙ୍କୁ ସାହାଯ୍ୟର ହାତବଢାଇ ଗଜପତିରେ ପ୍ରଥମ ଥର ପାଇଁ ମହିଳାଙ୍କ ଦ୍ୱାରା ପିଙ୍କ ଅଟୋ ଚଳାଚଳର ସୁଭାରମ୍ଭ କରିଛନ୍ତି । ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ମହିଳାମାନଙ୍କ ଦ୍ୱାରା ଚାଲିବାକୁଥିବା ଦୁଇଗୋଟି ପିଙ୍କ ଅଟୋର ଶୁଭାରମ୍ଭ ହେବା ସହ ସେ ଗୁଡିକ ଏଣିକି ପାରଳାଖେମୁଣ୍ଡି ସହରରେ ଚାଲିବ ବୋଲି ଜଣାପଡିଛି । ଏଥି ପାଇଁ ଥାନା ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏହି ଅଟୋ ଗୁଡିକର ଶୁଭାରମ୍ଭ କରିବା ସହ ଏହି ଦୁଇ ଜଣ ମହିଳାଙ୍କୁ ପ୍ରଶଂସା କରିଥିଲେ । ଅନୁଷ୍ଠିତ ଏକ ସଭା କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଏହି ପିଙ୍କ ଅଟୋ ଗୁଡିକ ପାରଳାଖେମୁଣ୍ଡି ସହରରେ ଚାଲିବା ସହ ଦୁଇ ଜଣ ମହିଳା ସାହାସିକତାର ସହ ଏହି ଅଟୋ ଚଲାଇବାକୁ ନିର୍ଣ୍ଣୟ ନେଇଥିବାରୁ ତାଙ୍କୁ ସେ ପ୍ରଶଂସା କରିଥିଲେ । ଏହି ମହିଳାମାନେ ଅଟୋ ଚଳାଇବା ଦ୍ୱାରା ଅନ୍ୟ ମହିଳାମାନେ ମଧ୍ୟ ତାଙ୍କ ଠାରୁ ଅନୁପ୍ରାଣୀତ ହୋଇ ଏହି ପରି କାର୍ଯ୍ୟ କରିପାରିବେ ଏବଂ ସେମାନେ ମଧ୍ୟ ସ୍ୱାବଲମ୍ବୀ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ଜେ.ଇଶ୍ୱରୀ ଓ ଋତୁ ଶର୍ମା ଏହି ଦୁଇଜଣ ମହିଳା ଏହିପରି ଫିଙ୍କ ଅଟୋ ଚଳାଇ ଆତ୍ମ ନିର୍ଭରଶୀଳ ହେବାପାଇଁ ଆଗେଇ ଆସିଥିଲେ । ଏହି ପିଙ୍କ ଅଟୋ କିଣିବାପାଇଁ ଯେଉଁ ଋଣ ଆବଶ୍ୟକଥିଲା ସେଥିପାଇଁ ଆରକ୍ଷୀ ଅଧିକ୍ଷକ ଆଗେଇ ଆସି ତାଙ୍କୁ ସହଯୋଗ କରିଥିଲେ । ସେହିପରି ପୌରପରିଷଦ ଏବଂ ଓଡିଶା ଜିବୀକା ମିଶନ ପକ୍ଷରୁ ମଧ୍ୟ ତାଙ୍କୁ ସହଯୋଗ ମିଳିଥିବା ଜଣାପଡିଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥି, ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ଜେନା, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଓ.ଏଲ୍.ଏମ୍.ର ପ୍ରକଳ୍ପ ପରିଚାଳିକା ପ୍ରିୟମ୍ବଦା ବିଶୋୟୀ, ଆକାକ୍ଷାଂ ମହିଳା ସଂଗଠନର ମୁଖ୍ୟ ମିନାକ୍ଷୀ ସାହୁ ପ୍ରମୁଖ ଉପସ୍ଥିତଥିଲେ ।