ଆନ୍ଧ୍ରକୁ ବିଦେଶୀ ମଦ ଚୋରା ଚାଲାଣ ବେଳେ ଜଣେ ଗିରଫ
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ସ୍ଥାନୀୟ ହାଟପଦା ନିକଟରୁ ଚୋରା ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ ପୋଲିସ ପେଟ୍ରୋଲିଂ ସମୟରେ ହାଟପଦାଠାରେ ଏସ୍. ଅନନ୍ତ(୪୦) ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକାଇ ପଚରାଉଚରା କରିଥିଲେ । ପଚରା ଉଚରା କରିବାପରେ ସେ ପ୍ରାୟ ୯୦ଗୋଟି ୧୮୦ଏମଏଲ ଛୋଟ ମଦ ବୋତଲ ଆନ୍ଧ୍ରକୁ ଟ୍ରେନ ଯୋଗେ ଚାଲାଣ ପାଇଁ ଅପେକ୍ଷା କରିଥିବା ଜଣାପଡିଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ହଜାର ହେବ ବୋଲି ଜଣାଯାଇଛି । ଅଭିଯୁକ୍ତଙ୍କ ଘର ଆନ୍ଧ୍ର ରାଜ୍ୟର ସାରୋକାଟା ନିକଟସ୍ଥ ଆଗୁର ଗ୍ରାମ ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ୫୯/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏ.ଏସ୍.ଆଇ. ଜଗଦୀଶ ପଣ୍ଡା ଜଣାଇଛନ୍ତି ।


