ସୁମୋ ରେସଲରଙ୍କ ଜୀବନଶୈଳୀ

ପ୍ରାୟ ଲୋକମାନେ ଟିଭି ପରଦାରେ ସୁମୋ ରେସଲରଙ୍କ କ୍ରୀଡ଼ା କୌଶଳ ଦେଖିଥିବେ। ଏମାନଙ୍କ ଜୀବନଶୈଳୀ ସବୁଠୁ ନିଆରା। ଏହା ଜାପାନର ଜାତୀୟ ଖେଳ। ଏହି ଖେଳ ପାଇଁ କଠିନ ପରିଶ୍ରମ ଓ ଦୃଢ଼ ମନୋବଳର ଆବଶ୍ୟକତା ରହିଛି। ବର୍ତ୍ତମାନର ପିଢ଼ି ଏତେଟା ସମୟାନୁବର୍ତ୍ତିତା ତଥା କଠିନ ପରିଶ୍ରମ କରିପାରୁନଥିବାରୁ ଧୀରେ ଧୀରେ ଏହି ଖେଳଠାରୁ ଦୂରେଇ ଯାଉଥିବା ଦେଖାଯାଇଛି। ସୁମୋ ଖେଳ ପାଇଁ ପ୍ରାୟ ୬ ବର୍ଷ ବୟସରୁ ହିଁ ଖେଳାଳିଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିଥାଏ। ପିଲାବେଳୁ ଖେଳ ପ୍ରତି ଆଗ୍ରହ ଓ ନିଷ୍ଠା ରହିଲେ ହିଁ ବଡ଼ ହେଲା ପରେ ଜଣେ ଭଲ ସୁମୋ ରେସଲର ହୋଇ ବାହାରିଥାଏ। ଏହା ବ୍ୟତୀତ ଖେଳାଳିଙ୍କୁ ନିଜ ଖାଦ୍ୟପେୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ସୁମୋ ରେସଲରଙ୍କ ବିଷୟରେ କେତେକ ଅଜଣା କଥା।
ଜାପାନରେ ସୁମୋ ଫାଇଟ୍‌ର ପରମ୍ପରା ଖୁବ୍‌ ପୁରୁଣା। କୁହାଯାଏ ଯେ ଏହା ପ୍ରାୟ ୧୫୦୦ ବର୍ଷ ତଳର ଖେଳ। ପରମ୍ପରା ଅନୁସାରେ ଜାପାନରେ ବସନ୍ତର ଆଗମନରେ ୟାସୁକୁନି ନାମକ ମଠରେ ଚେରୀ ଭଙ୍ଗାଯାଏ। ଏହା ପରେ ସୁମୋ ଫାଇଟ୍‌ର ଆୟୋଜନ କରାଯାଏ। ଏହି ପରମ୍ପରାକୁ ସୁମୋ ପହିଲିମାନମାନେ ଖୁବ୍‌ ମାନିଥାନ୍ତି। ଫାଇଟିଂର ଠିକ୍‌ ପୂର୍ବରୁ ଲଢ଼େଇରେ ଭାଗ ନେଉଥିବା ପହିଲିମାନମାନେ କେତେକ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି। ଲଢ଼େଇ ପୂର୍ବରୁ ସେମାନେ ଉପରକୁ ଲୁଣ ଫିଙ୍ଗିଥାନ୍ତି। ଏଭଳି କରିବା ଦ୍ୱାରା ସେମାନେ ଆଖଡ଼ାରେ ବିଜୟ ଲାଭ କରିବେ ବୋଲି ବିଶ୍ୱାସ ରହିଛି। ସୁମୋ ପହିଲିମାନମାନଙ୍କ ଜୀବନଶୈଳୀ ମଧ୍ୟ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ସେମାନେ ସାଧାରଣ ଜୀବନରୁ ନିଜକୁ ଦୂରେଇ ରଖିଥାନ୍ତି। ପିଲାବେଳୁ ଏମାନଙ୍କୁ ସମାଜଠାରୁ ଦୂରେଇ ରଖାଯାଏ। ଫଳରେ ସେମାନେ ନିଜ ଲକ୍ଷ୍ୟଠାରୁ ଦୂରେଇ ଯାଆନ୍ତି ନାହିଁ। ଜାପାନରେ ସୁମୋ ପହିଲିମାନମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ତାହାକୁ ହେୟା କୁହାଯାଏ। ଏଠାରେ ସୁମୋ ପହଲିମାନଙ୍କ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ରହିଥାଏ। ଏଠାରେ ରହି ସେମାନେ ଅଭ୍ୟାସ କରିଥାନ୍ତି। ଏଥିସହ ଏଠାକାର ସମସ୍ତ ନିୟମ କାନୁନ୍‌ ମଧ୍ୟ ପାଳନ କରିଥାନ୍ତି। କଡ଼ା ଅନୁଶାସନ ମଧ୍ୟରେ ରହି ସୁମୋ ଫାଇଟର ନିଜ ଜୀବନକୁ ଗଢ଼ି ତୋଳିଥାନ୍ତି। ଯଦି କୌଣସି ପହିଲିମାନ ଏହି ନିୟମକୁ ଭାଙ୍ଗେ ତେବେ ଏହାର ପରିଣାମ ଭୟଙ୍କର ହୋଇଥାଏ। ନିୟମ ଭାଙ୍ଗିଥିବା ପହିଲିମାନକୁ ଜରିମାନା ଦେବାକୁ ପଡ଼େ। ଆଉ ଯଦି ମାମଲା ଗମ୍ଭୀର ହୋଇଥାଏ ତେବେ ତାଙ୍କୁ ଆଜୀବନ ନିଲମ୍ବନ କରିବାର ନିୟମ ମଧ୍ୟ ରହିଛି। ସୁମୋ ପହିଲିମାନ୍‌ଙ୍କ ପୋଷାକ ମଧ୍ୟ ଅନ୍ୟ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ। ଏମାନେ ଖେଳିବା ବେଳେ ଜାପାନୀ ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି। ଏହା ଦ୍ୱାରା ଖେଳିବା ବେଳେ ସେମାନେ ସହଜ ଅନୁଭବ କରିଥାନ୍ତି। ସୁମୋ ଫାଇଟର ସକାଳେ ବ୍ରେକଫାଷ୍ଟ କରିନଥାନ୍ତି। ଏମାନେ ସକାଳୁ ଶୀଘ୍ର ଉଠି ଖାଲି ପେଟରେ ୫ ଘଣ୍ଟା ପର୍ଯ୍ୟନ୍ତ କୁସ୍ତି ଅଭ୍ୟାସ ଓ ଅନ୍ୟାନ୍ୟ ବ୍ୟାୟାମ କରିଥାନ୍ତି। ବ୍ରେକଫାଷ୍ଟ ନ କରିବାର ପ୍ରମୁଖ କାରଣ ହେଉଛି ଲଞ୍ଚ୍‌ ବେଳେ ତାଙ୍କୁ ପ୍ରବଳ ଭୋକ ଲାଗିବ ଓ ସେମାନେ ଅଧିକ ଖାଇପାରିବେ। ଲଞ୍ଚ୍‌ ପରେ ସେମାନେ ୪ ଘଣ୍ଟା ଶୋଇଥାନ୍ତି। ଏହା ଦ୍ୱାରା ସେମାନଙ୍କ ମେଟାବଲିଜିମ୍‌ ହ୍ରାସ ପାଏ, ଫଳରେ ଶରୀରରେ ଫ୍ୟାଟ୍‌ ଜମା ହୁଏ। ସେମାନେ ଶୋଇକି ଉଠିବା ପରେ ହାଲ୍‌କା ଖାଦ୍ୟ ଖାଇଥାନ୍ତି ଓ ରାତି ଡିନରରେ ପ୍ରଚୁର ପରିମାଣରେ ପୌଷ୍ଟିକ ଖାଦ୍ୟ ଖାଇ ପୁଣି ଶୋଇଯାଆନ୍ତି।
ସୁମୋ ଫାଇଟରଙ୍କ ପ୍ରମୁଖ ଖାଦ୍ୟ ମଧ୍ୟରେ ଚଙ୍କୋନାବେ, ବିୟର, ଭାତ, ଫ୍ରାଏଡ ଚିକେନ୍‌, ଉଦୋନ୍‌ ନୁଡଲ୍‌ସ, ସଲାଡ ଓ ସୁପ୍‌ ପ୍ରମୁଖ। ସେମାନଙ୍କ ସମସ୍ତ ଖାଦ୍ୟରେ ଚିକେନ୍‌, ମଟନ, ମାଛ, ଅଣ୍ଡା, ମଇଦା ଜାତୀୟ ଖାଦ୍ୟ ଭରି ରହିଥାଏ, ଯାହା ଶରୀରରେ ଚର୍ବିର ପରିମାଣ ବୃଦ୍ଧି କରି ସେମାନଙ୍କୁ ପୃଥୁଳାକାୟ କରିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ