ବ୍ୟବସାୟୀ, ଶିଳ୍ପପତିଙ୍କ ପାଇଁ ଆଇସିପିର ସ୍ୱତନ୍ତ୍ର ଯୋଜନା
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ସାରା ଓଡ଼ିଶାର ଛୋଟବଡ଼ ସବୁ ବ୍ୟବସାୟୀ, ଶିଳ୍ପୋଦ୍ୟୋଗୀ ଏବଂ ଶିଳ୍ପପତି ଓ ସେମାନଙ୍କର ପରିବାରବର୍ଗ ଏବଂ ବ୍ୟବସାୟ ପାଇଁ ଧନ, ଜୀବନ, ମର୍ଯ୍ୟାଦା ଓ ଲାଭ ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇସିପି) ଘୋଷଣା କରିଛି । ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାରା ଓଡ଼ିଶାର ଛୋଟବଡ଼ ସବୁ ବ୍ୟବସାୟୀ, ଶିଳ୍ପୋଦ୍ୟୋଗୀ ଏବଂ ଶିଳ୍ପପତିମାନଙ୍କର ସମସ୍ୟା ଓ ତାହାର ସମାଧାନ ପନ୍ଥା ସମ୍ବନ୍ଧରେ ଆଲୋଚନା କରାଯାଇ ୧୦ଦଫା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଏହି ୧୦ଦଫା କାର୍ଯ୍ୟକ୍ରମକୁ ତା’ର ନିର୍ବାଚନ ଇସ୍ତାହାରରେ ସ୍ଥାନିତ କରିବ, କାର୍ଯ୍ୟକାରୀ କରିବା ପାଇଁ ଆନ୍ଦୋଳନ କରିବ ଏବଂ ସରକାର ଗଢିଲେ ଆସନ୍ତା ଜୁନ୍ ୧ରୁ କାର୍ଯ୍ୟକାରୀ କରିବ ବୋଲି ଘୋଷଣା କରିଛି । (୧) ବ୍ୟବସାୟୀ, ଶିଳ୍ପୋଦ୍ୟୋଗୀ, ଶିଳ୍ପପତି ଏବଂ ସେମାନଙ୍କ ପରିବାରବର୍ଗର ଧନ, ଜୀବନ, ମର୍ଯ୍ୟାଦା ଗ୍ୟାରେଣ୍ଟି ଏବଂ ବ୍ୟବସାୟ ପାଇଁ ଲାଭ ଗ୍ୟାରେଣ୍ଟି ଯୋଜନା (୨) ବ୍ୟବସାୟ ବା ଶିଳ୍ପ ପାଇଁ ଜମି ଓ ଗୃହ ଯୋଗାଣ (୩) ୭ ଦିନ ମଧ୍ୟରେ ବ୍ୟାଙ୍କ ଋଣ ଯୋଗାଣ (୪) କ୍ଷତି ସହୁଥିବା ବ୍ୟବସାୟୀ, ଶିଳ୍ପୋଦ୍ୟୋଗୀ ଏବଂ ଶିଳ୍ପପତିଙ୍କୁ ଋଣ ଛାଡ଼ (୫) ଶିଳ୍ପାଞ୍ଚଳ, ମାଲଗୋଦାମ, ହାଟ, ବଜାରଗୁଡ଼ିକର ଭିତ୍ତିଭୂମି ବିକାଶ (୬) ପିଲାମାନଙ୍କର ପାଠ ପଢିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସିଟ୍ ସଂରକ୍ଷଣ (୭) ପରିବାର ଚିକିତ୍ସା ବୀମା ଓ ପରିବାର ଜୀବନ ବୀମା (୮) ବଜାର କମିଟି ଏବଂ ବ୍ୟବସାୟୀ ସଂଘ ପାଇଁ ଜମି ଓ ଗୃହ ଯୋଗାଣ (୯) ଉଚ୍ଚମାନର ସଂରକ୍ଷଣ ବ୍ୟବସ୍ଥା (୧୦) ଶିଳ୍ପାଞ୍ଚଳର ଏବଂ ମାଲ୍ଗୋଦାମଗୁଡ଼ିକର ଲିଜ୍ ହୋଲ୍ଡ଼ ପ୍ଲଟଗୁଡ଼ିକୁ ଫ୍ରି ହୋଲ୍ଡ଼ ପ୍ଲଟରେ ପରିଣତ କରିବା ଏବଂ ବ୍ୟବସାୟୀଙ୍କୁ ବିସ୍ଥାପିତ ନ କରିବା । ସାଧାରଣ ସମ୍ପାଦକ ନରେନ୍ଦ କୁମାର ମଳିକ, କୋଷାଧ୍ୟକ୍ଷ ସନାତନ ଗ୍ରହା·ର୍ଯ୍ୟ, ଉପସଭାପତି ସତ୍ୟଜିତ୍ ରାଉତ, ଗୀତାଞ୍ଜଳି ଜେନା, ସଂଯୁକ୍ତା ବେଉରା, ଆଡ଼ଭୋକେଟ ତ୍ରିଲୋଚନ ରାଉତ, ସୁବୋଧ କୁମାର ବେଉରା, ଆଡ଼ଭୋକେଟ ସରୋଜକାନ୍ତ ମଣ୍ଡଳ, ଆଡ଼ଭୋକେଟ ମମତା ମଣ୍ଡଳ, ସୁଧାଂଶୁ ଶେଖର ପାତ୍ର, ସନ୍ତୋଷ କୁମାର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।