ଭିଡ଼ କମାଇବାକୁ ପ୍ଲାଟ୍ଫର୍ମ ଟିକେଟ୍ ଦର ବଢ଼ାଇଲା ରେଳବାଇ
ନୂଆଦିଲ୍ଲୀ: କୋରୋନା ଭାଇରସ୍ର ବ୍ୟାପକତା ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପକ୍ଷରୁ ମଙ୍ଗଳବାର ପ୍ଲାଟ୍ଫର୍ମ ଟିକେଟ୍ର ଦାମ୍କୁ ୫୦ ଟଙ୍କାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହି ଦର ୧୦ ଟଙ୍କା ଥିଲା। ତେବେ କୋରୋନା ଭାଇରସ୍ ଉଦ୍ବେଗଜନକ ଭାବେ ବ୍ୟାପୁଥିବାରୁ ବିଭିନ୍ନ ଷ୍ଟେସନ୍ରେ ଅଯଥା ଭିଡ଼ କମାଇବା ଲକ୍ଷ୍ୟ ନେଇ ରେଳବାଇ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଦେଶର ୨୫୦ଟି ଷ୍ଟେସନ୍ରେ ଏହି ନୂଆ ଦର ଲାଗୁ ହେବା ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପଶ୍ଚିମତଟ ରେଳବାଇ ପକ୍ଷରୁ ମୁମ୍ବାଇ, ଭଡୋଦରା, ଅହମଦାବାଦ, ରତ୍ଲାମ୍, ରାଜକୋଟ, ଭାବନଗର ପରି ୬ଟି ଡିଭିଜନ୍ରେ ଏହି ଟିକେଟ୍ ଦର ବୃଦ୍ଧି କରାଯାଇଛି ବୋଲି କୁହାଯାଇଛି। କିନ୍ତୁ ଏହି ଦର ବୃଦ୍ଧି ସ୍ଥାୟୀ ନୁହେଁ, ସାମୟିକ ଏବଂ ଷ୍ଟେସନ୍ରେ କେବଳ ଭିଡ଼ ନିୟନ୍ତ୍ରଣ କରିବା ସକାଶେ ଏକ ପଦକ୍ଷେପ ବୋଲି ଜନୈକ ଅଧିକାରୀ କହିଛନ୍ତି।
ଉକ୍ତ ଅଧିକାରୀଙ୍କ କହିବାନୁସାରେ, ଗତ ୨୦୧୫ରେ ରେଳବାଇ ପକ୍ଷରୁ ବିଭିନ୍ନ ସମୟରେ ଆବଶ୍ୟକତାନୁସାରେ ନିଷ୍ପତ୍ତି ନେବା ସକାଶେ ଡିଆର୍ଏମ୍ମାନଙ୍କୁ କେତେକ ଅଧିକାର ପ୍ରଦାନ କରାଯାଇଛି। ଏଥିରେ ପ୍ଲାଟ୍ଫର୍ମ ଟିକେଟ୍ ବୃଦ୍ଧି ସଂକ୍ରାନ୍ତ କ୍ଷମତା ମଧ୍ୟ ରହିଛି। ଅଧିକାଂଶ ସମୟରେ ଷ୍ଟେସନ୍ରେ ଅନାବଶ୍ୟକ ଭାବେ ଭିଡ଼ ଜମୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଡିଆର୍ଏମ୍ମାନଙ୍କୁ ଏପରି କ୍ଷମତା ଦିଆଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦେଶର ବିଭିନ୍ନ ସ୍ଥାନରେ ଆହୁରି ୧୨ ଜଣ କୋରୋନା ପଜିଟିଭ୍ ଠାବ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଏକ ସୂଚନାନୁସାରେ, ଏଥିରେ ୧୦୪ ଜଣ ଭାରତୀୟ ରହିଥିବା ବେଳେ ୨୨ ଜଣ ବିଦେଶୀ ନାଗରିକ ରହିଛନ୍ତି।


