ଜୁଲାଇ-ଅଗଷ୍ଟ ସୁଦ୍ଧା କୋରୋନା ଶୂନ୍ୟ ହେବ ଆମେରିକା: ଟ୍ରମ୍ପ୍
ୱାଶିଂଟନ୍: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇ ଦେଇଥିବା କୋରୋନା ଭୂତାଣୁର ପ୍ରଭାବ ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାରେ ବି ବେଶ୍ ଅନୁଭୂତ ହୋଇଛି। ତେବେ ଏହି ଦେଶରେ କୋରୋନାର ମୁକାବିଲା କରିବା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ଏହାର ଫଳ ସ୍ବରୂପ ଆସନ୍ତା ଜୁଲାଇ-ଅଗଷ୍ଟରେ ଦେଶବାସୀ ଆଉ କୋରୋନାକୁ ଭୟ କରିବେ ନାହିଁ। କାରଣ ସେତେବେଳକୁ ଆମେରିକାରୁ ଏହି ଭୂତାଣୁକୁ ବିତାଡ଼ିତ କରିଦିଆଯାଇଥିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ହ୍ବାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ୍ କହିଛନ୍ତି ଯେ କୋରୋନାର ମୁକାବିଲା ଦିଗରେ ଆମେ ଯଥେଷ୍ଟ ସଫଳ ହୋଇଛୁ। ଫଳସ୍ବରୂପ ଦେଶବାସୀ ନିଜ ନିଜ ଭିତରେ ଆଲୋଚନା କରୁଛନ୍ତି ଯେ ଜୁଲାଇ କିମ୍ବା ଅଗଷ୍ଟ ଶେଷ ବେଳକୁ ଆମେରିକାରେ ଜଣେ ବି କୋରୋନା ଭୂତାଣୁ ଆକ୍ରାନ୍ତ ନ ଥିବେ। ତେଣୁ ସରକାର ମଧ୍ୟ ଏପରି ଚିନ୍ତାକୁ ସମର୍ଥନ କରୁଛନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି।
ସୂଚନାଯୋଗ୍ୟ ଯେ ଆମେରିକାରେ କୋରୋନା ଭାଇରସ୍ର ବ୍ୟାପକତା କାରଣରୁ ଦେଶବାସୀଙ୍କୁ ସତର୍କ ରହିବା ସହ ସାହସର ସହ କୋରୋନାର ମୁକାବିଲା କରିବାକୁ ପରାମର୍ଶ ଦିଆଯାଇଛି। ଏହି ଘାତକ ଭୂତାଣୁର ମୁକାବିଲା କରିବା ସକାଶେ ରାଷ୍ଟ୍ରପତି ଟ୍ରମ୍ପ୍ ମଧ୍ୟ ନିୟମିତ ବ୍ୟବଧାନରେ ଆର୍ଥିକ ସହାୟତାର ଘୋଷଣା କରିଛନ୍ତି। କୋରୋନା ପ୍ରଭାବରେ ଦେଶର ପ୍ରମୁଖ ସ୍ଥାନଗୁଡ଼ିକୁ ବନ୍ଦ କରିଦିଆଯାଇଥିବା ବେଳେ କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଲୋକମାନଙ୍କୁ ଜରୁରୀ କାମ ନ ପଡ଼ିଲେ, ଘରୁ ବାହାରକୁ ମନା କରାଯାଇଥିବାରୁ ରାସ୍ତାଘାଟ ଶୂନ୍ଶାନ୍ ରହିଛି। ଏପରିକି ଦେଶର ଅର୍ଥନୈତିକ ମହାଶକ୍ତି ବୋଲି କୁହାଯାଉଥିବା ସାନ୍ ଫ୍ରାନ୍ସିସ୍କୋରେ ସମସ୍ତ ପ୍ରକାର କାର୍ଯ୍ୟ ଠପ୍ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଆମେରିକାରେ ଅଦ୍ୟାବଧି ୮୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ସାଢ଼େ ୪ ହଜାର ଆକ୍ରାନ୍ତ ହୋଇଛନ୍ତି।


