କରୋନା ଭୂତାଣୁ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ବୈଠକ
କେନ୍ଦ୍ରାପଡା : ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ କରୋନା ଭୂତାଣୁ ସମ୍ପର୍କୀତ ଏକ ସଚେତନତା ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ମନ୍ଦିର ମସଜିଦ, ଗୁରୁଦ୍ୱାର, ଚର୍ଚ୍ଚର ପୂଜକ ଓ ପରିଚାଳନା କମିଟିର କର୍ମକର୍ତ୍ତା, ବିଭିନ୍ନ ବ୍ୟାଙ୍କର ପ୍ରତିନିଧି, ବଣିକ ସଙ୍ଘ ଓ ବସମାଲିକ ସଙ୍ଘର କର୍ମକର୍ତ୍ତା ଓ ସହରର ବୁଦ୍ଧିଜୀବିମାନେ ଯୋଗଦେଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନଦେଇ ଆବଶ୍ୟକ ନହେଲେ କିଛିଦିନ ପାଇଁ ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲେ । ଆବଶ୍ୟକ ସ୍ଥଳେ ପରଷ୍ପର ମଧ୍ୟରେ ୧ମିଟର ଦ୍ୱରତ୍ୱ ରଖିବାକୁ ପରାମର୍ଶ ଦେଇଥିଲେ । ଛିଙ୍କ,କାଶ ଓ ଜ୍ୱର ହେଉଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବେ । କରୋନା ଭୂତାଣୁ ସଂକ୍ରମିତ ସନ୍ଦେହ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ ଗୃହରେ ରଖିବାର ବ୍ୟବସ୍ଥା କରାଯାଇଛି । ବିଶେଷ ଭାବେ ଏହି ଜିଲ୍ଲାକୁ ବିଦେଶରୁ ଫେରୁଥିବା ବ୍ୟକ୍ତିମାନେ ନିଜର ନାମ ପଞ୍ଜିକରଣ କରି ୧୪ଦିନ ଡାକ୍ତରଙ୍କ ତତ୍ୱାବଧାନରେ ଡାକ୍ତରଖାନାରେ କିମ୍ବା ନିଜ ଘରେ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବେ । ଏହି ସମୟରେ ସେ ଅନ୍ୟମାନଙ୍କ ସହ ନମିଶିବାକୁ ପରାମର୍ଶ ଦିଆଯାଇଛି । ବିଦେଶରୁ ଆସୁୁଥିବା ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣ ଗୃହରେ ରଖିବା ସହ ସେମାନଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ୧୫ହଜାର ଟଙ୍କା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମିଶ୍ର ଏହା ଏକ ଭୂତାଣୁ ଜନିତ ରୋଗ ଏହା ବାୟୁ ମଣ୍ଡଳରେ ଉଡେନାହିଁ କେବଳ ସ୍ପର୍ଶରେ ଏହା ବ୍ୟାପେ । ତେଣୁ ମୁହଁକୁ ଘୋଡାଇ ରଖିବାକୁ ଓ ହାତ ପରିସ୍କାର ନକରି ମୁହଁରେ ନମାରିବାକୁ ପରାମର୍ଶ ଦେଇଥିଲେ । ବିଶେଷ ଭାବରେ ହାତ ଧୋଇବାକୁ ଜନସାଧାରଣଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଘରୋଇ ନର୍ସିଂହୋମ ଗୁଡିକ କରୋନା ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରିବେ ଏବଂ ଚିକିତ୍ସା ଓ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗର ସହାୟତା ନେବେ । ଏଥିସହିତ ସେମାନେ ନର୍ସିଂହୋମ ପରିସରକୁ ପରିସ୍କାର ପରିଛନ୍ନ ରଖିବା ସହ ସେଠାକୁ ଆସୁଥିବା ରୋଗୀମାନଙ୍କ ହାତଧୁଆର ବ୍ୟବସ୍ଥା କରିବେ । ବିଶେଷ ଭାବରେ ବ୍ୟାଙ୍କ, ହାଟ, ଦୋକାନ, ବଜାର ପ୍ରଭୃତି ପରିଷ୍କାର ପରିଛନ୍ନ ରଖିବା ସହ ହାତ ଧୋଇବାର ବ୍ୟବସ୍ଥା କରିବେ । ଗୁଜବ ସୃଷ୍ଟି ଓ ପ୍ରଚାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ଯେଉଁ ଔଷଧ ଦୋକାନୀମାନେ ମାସ୍କ ଓ ସାନିଟାଇଜର ବିକ୍ରୀ ନକରି ଗଛିତ ରଖୁଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏଟିଏମ କାଉଁଟରକୁ ପରିଷ୍କାର ପରିଛନ୍ନ ରଖିବା ଉପରେ ଗୁରୁତ୍ୱାରୋପ କରିବା ସହ କିଛିଦିନ ପାଇଁ ଭକ୍ତମାନେ ମନ୍ଦିର ଓ ମସଜିଦରେ ଗହଳି ନକରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଦେଶ ଫେରନ୍ତାଙ୍କ ପାଇଁ ୧୦୪ନମ୍ବରରେ ପଞ୍ଜିକରଣ କରିବାକୁ ଥିବା ବେଳେ ଜିଲ୍ଲା ହେଲପ ଲାଇନ ପାଇଁ ୧୦୭୭ ରହିଛି । ଆବଶ୍ୟକ ସ୍ଥଳେ ଏହାର ଉପଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ,ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସହରର ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।ଯୋଗଦେଇଥିଲେ ।


