୨୨ ଦିନ ପରେ ବି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନି
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ଫାନି ପ୍ରକୋପରେ କୋଣାର୍କରେ ନାହିଁ ନଥିବା କ୍ଷୟକ୍ଷତି ଘଟିଥିବାବେଳେ ପର୍ଯ୍ୟଟନ ବିଭାଗ ଅଧିନରେ ଥିବା ଉଡେନ ରେଷ୍ଟୁରାଣ୍ଟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଫାନି ଯିବାର ୨୨ ଦିନ ପରେ ବି ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଏଠାରେ ପର୍ଯ୍ୟଟନ ବିଭାଗର ଉଚ୍ଚ ପଦାଧିକାରୀ ବିକାଶ ନାମରେ ବିନାଶ କାର୍ଯ୍ୟରେ ଲାଗିଥିବା ଅଭିଯୋଗ ହେଉଛି । ବିଭାଗୀୟ ଅବହେଳା ଯୋଗୁଁ ଆଜି ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ପର୍ଯ୍ୟଟନ ବିଭାଗ ଅଧିନସ୍ଥ ବିଭିନ୍ନ ଅନୁଷ୍ଠାନ କ୍ଷତିରେ ଚାଲୁଥିବା ଦେଖାଯାଇଛି । ୨୦୦୯ ଅକ୍ଟୋବରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇ ଦେବାପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଉଡେନ ରେଷ୍ଟୁରାଣ୍ଟ ଖୋଲାଯାଇଥିଲା । କାଳକ୍ରମେ ଏହି ରେଷ୍ଟୁରାଣ୍ଟଟି ଏକ ଲାଭ ଜନକ ସଂସ୍ଥାରେ ପରିଣତ ହୋଇଥିଲା । ମାତ୍ର ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏହି ରେଷ୍ଟୁରାଣ୍ଟଟି କ୍ଷତିରେ ଚାଲୁଥିବା ଦର୍ଶାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । କୋଣାର୍କରେ ଥିବା ପର୍ଯ୍ୟଟନ ବିଭାଗର ଯାତ୍ରୀ ନିବାସ ଗୀତାଞ୍ଜଳି ରେଷ୍ଟୁରାଣ୍ଟ ଓ ଉଡେନ ରେଷ୍ଟୁରାଣ୍ଟର ଆୟବ୍ୟୟ ଓ ଲାଭକ୍ଷତି ଅଲଗା ଅଲଗା କରାଯାଇ ତିନୋଟି ସଂସ୍ଥାର ଆୟବ୍ୟୟ ନେଇ କ୍ଷତି ଆକଳନ କରାଯାଉଥିବା ଜଣାପଡ଼ିଛି । ଯାହାଦ୍ୱାରା ଲାଭରେ ଚାଲୁଥିବା ଏହି ଲାଭଜନକ ଉଡେନ ରେଷ୍ଟୁରାଣ୍ଟକୁ କ୍ଷତିରେ ଚାଲୁଥିବା ଦର୍ଶାଇ ବିଭାଗୀୟ ଉଚ୍ଚ ଅଧିକାରୀମାନେ ନିଜ ଲୋକଙ୍କୁ ଏହାକୁ ବିକ୍ରି କରିଦେବା ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ରୀ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ଏହି ସଂସ୍ଥାର ଲାଭକୁ ଲୁଚାଇବା ପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କରାଯାଇ ତିନୋଟି ସଂସ୍ଥାର ଗୋଟିଏ ଆକାଉଣ୍ଟସ କରାଯିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । କ’ଣ ପାଇଁ ସମସ୍ତ ୟୁନିଟ୍ର ଅଲଗା ଅଲଗା ଆୟବ୍ୟୟ କରାନଯାଇ ଏପରି କରାଯାଇ ତାହା ତଦନ୍ତ ସାପେକ୍ଷ । କାହା ନିର୍ଦ୍ଦେଶ ଓ କାହା ସ୍ୱାର୍ଥରେ ଏପରି ବ୍ୟବସ୍ଥା ଦୀର୍ଘ ଦିନ ହେବ ଚାଲିଛି, ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି । ଗତ ମଙ୍ଗଳବାର ୧୪ ତାରିଖ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କୋଣାର୍କ ଗସ୍ତରେ ଆସି ଉଡେନ ରେଷ୍ଟୁରାଣ୍ଟର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ଏହି ରେଷ୍ଟୁରାଣ୍ଟଟି ସେହିପରି ଭୂତକୋଠି ହୋଇ ପଡ଼ିରହିଛି । ରେଷ୍ଟୁରାଣ୍ଟର ପୁନରୁଦ୍ଧାର ଲାଗି କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି । ପର୍ଯ୍ୟଟନ ବିଭାଗର ଏପରି ଅବହେଳା ପ୍ରଦର୍ଶନକୁ ସାଧାରଣରେ ନିନ୍ଦା କରାଯିବା ସହ ଅସନ୍ତୋଷ ପ୍ରକାଶ ପାଇଛି ।